/odisha-reporter/media/media_files/2025/11/06/women-2025-11-06-16-36-56.jpg)
ଡ୍ରେନରୁ ମିଳିଲା ମୃତଦେହ
ଡ୍ରେନରୁ ମିଳିଛି ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ। ନୋଏଡା(Noida)ର ସେକ୍ଟର ୧୦୮ରୁ ମିଳିଥିବା ମୃତଦେହର ମୁଣ୍ଡ କିମ୍ବା ଦୁଇ ହାତ ନାହିଁ। ମୁଣ୍ଡହୀନ ମୃତଦେହ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ହାତକୁ ରିଷ୍ଟ ପାଖରୁ କାଟି ଦିଆଯାଇଥିବା ବେଳେ ମୃତଦେହରେ କୌଣସି କପଡ଼ା ନଥିବା ପୁଲିସ୍ କହିଛି।
ପୁଲିସ କହିଛି ଯେ କ୍ଷତାକ୍ତ ମୃତଦେହ(Crime)କୁ ଗୋଟିଏ ବିରାଟ କାୟ ବିଲଡିଂ ଓ ସେକ୍ଟର ୧୦୮ ପାର୍କ ନିକଟରେ ଥିବା ଖୋଲା ପଡ଼ିଆର ଡ୍ରେନରୁ ଜବତ କରାଯାଇଛି। ଏଠାରେ ସାଧାରଣତଃ ବେଶୀ ଭିଡ଼ ହୋଇ ନଥାଏ। ତେଣୁ କେହି ଜଣେ ରାତି ସମୟରେ ସମ୍ଭବତଃ ମୃତଦେହକୁ ଏଠାରେ ଫିଙ୍ଗି ଚାଲି ଯାଇଛି। ଡ୍ରେନରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତଦେହ ମିଳିବାର ୨୪ରୁ ୪୮ ଘଣ୍ଟା ପୂର୍ବରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍ ସନ୍ଦେହ କରୁଛି।
ଜଣେ ପୁଲିସ୍ ଅଧିକାରୀ ନାଁ ଗୋପନ ରଖି କହିଛନ୍ତି, ମଧ୍ୟାହ୍ନ ସମୟରେ କେହି ଜଣେ ଜରୁରିକାଳୀନ ହେଲପ ଲାଇନ ନମ୍ବରକୁ କଲ କରି ମୃତଦେହ ସମ୍ପର୍କରେ ସୂଚନା ଦେଇଥିଲେ। ମୃତଦେହଟି ୮ ଫୁଟ ଗଭୀର ଡ୍ରେନରେ ଭାସୁଥିବା ଖବର ମିଳିବା ପରେ ପୁଲିସ୍ ତୁରନ୍ତ ସେଠାରେ ପହଞ୍ଚିଥିଲା। ସେକ୍ଟର ୩୯ର ପୁଲିସ୍ ସେଠାରେ ପହଞ୍ଚି ଉଲଗ୍ନ ତଥା କ୍ଷତାକ୍ତ ମୃତଦେହକୁ ଜବତ କରିଥିଲେ।
ସ୍ଥାନୀୟ ଅଞ୍ଚଳରୁ କୌଣସି ପ୍ରକାରର କପଡ଼ା କିମ୍ବା କାଗଜପତ୍ର ମିଳିନାହିଁ। ମହିଳାଙ୍କ ପରିଚୟ ହାସଲ କରିବାକୁ ୩ଟି ଟିମ ଗଠନ କରାଯାଇଛି। ସ୍ୱତନ୍ତ୍ର ଟିମ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରୁଛି। ସେହିପରି ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ପଚରାଉଚରା ମଧ୍ୟ କରାଯାଉଛି। ତଥାପି ଏଯାଏ ମହିଳାଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା ମିଳିନାହିଁ।
ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ଥାନାରେ କୌଣସି ମହିଳାଙ୍କ ନିଖୋଜ ସମ୍ପର୍କରେ କିଛି ରିପୋର୍ଟ ରୁଜୁ କରାଯାଇଛି କି ନାହିଁ, ତା’ର ମଧ୍ୟ ଛାନଭିନ କରୁଛି ପୁଲିସ୍। ସମ୍ଭବତଃ ମହିଳାଙ୍କୁ ଅନ୍ୟତ୍ର ହତ୍ୟା କରି ଏଠାରେ ଫିଙ୍ଗି ଦିଆଯାଇଥିବା ମଧ୍ୟ ପୁଲିସ୍ ସନ୍ଦେହ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
