Advertisment

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆସିଲା ଯୌତୁକ ନିର୍ଯାତନା ଅଭିଯୋଗ

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା କରାଯାଇଛି ଓ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରାଯାଇଥିବା ତାଙ୍କ ପରିବାର ଲୋକ କହିଛନ୍ତି।

Police

Police

Advertisment

ଘର ଭିତରୁ ମିଳିଛି ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ। ସେ ଆତ୍ମହତ୍ୟା କରିଥିବା ଶାଶୂ ଘର ଲୋକ କହୁଥିବା ବେଳେ ବାପ ଘର ଲୋକ ହତ୍ୟା ଅଭିଯୋଗ କରିଛନ୍ତି। ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା କରାଯାଇଛି ଓ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରାଯାଇଥିବା ତାଙ୍କ ପରିବାର ଲୋକ କହିଛନ୍ତି।

Advertisment

ନୟାଗଡ଼ ଜିଲ୍ଲା ସଦରଥାନା କଞ୍ଜନବିଲି ଗାଁରେ ଘଟିଛି ଏମିତି ଘଟଣା। ଏହି ଗାଁରେ ରହୁଥିବା ବିଜୟ ନାହାକଙ୍କୁ ୫ ବର୍ଷ ତଳେ ଇଟାମାଟି ଥାନା ଅଧୀନ ଅରାସାହିର ରଂଜିତା ନାହାକଙ୍କୁ ବିବାହ କରିଥିଲେ। ହିନ୍ଦୁ ରୀତିନୀତିରେ ବିବାହ ହେବା ସହ ବାପା ଘର ପକ୍ଷରୁ ଦାବି ଅନୁସାରେ ଯୌତୁକ ମଧ୍ୟ ଦିଆଯାଇଥିଲା।

ସବୁ କିଛି ବେଶ କିଛି ବର୍ଷ ଧରି ଠିକ ଠାକ ଚାଲିଥିଲା। ହେଲେ ସମୟ ଗଡ଼ିବା ସହ ବିଜୟ ଓ ତାଙ୍କ ପରିବାର ଲୋକଙ୍କ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିଥିଲା। ରଞ୍ଜିତାଙ୍କୁ ସେମାନେ ଅଧିକ ଯୌତୁକ ଆଣିବାକୁ କହିଥିଲେ। ଏହାକୁ ନେଇ ବିଜୟ ଓ ରଞ୍ଜିତାଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଯାଇଥିଲା। ଦୁଇ ପରିବାର ମଧ୍ୟରେ ବି ପାଟିତୁଣ୍ଡ ଲାଗି ରହିଥଲା ବୋଲି ଅଭିଯୋଗ ହୋଇଛି। 

Advertisment

ଏସବୁ ଭିତରେ ଆଜି ରଞ୍ଜିତାଙ୍କ ମୃତଦେହକୁ ପୁଲିସ୍‌ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି। ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣୁଥିବା ବେଳେ ଶାଶୂ ଘର ଲୋକ ରଞ୍ଜିତା ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଉଭୟ ପକ୍ଷର କଥାକୁ ବିଚାରକୁ ନେଇ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରଞ୍ଜିତାଙ୍କ ଭଉଣୀ ମମିତା ନାହାକ କହିଛନ୍ତି, “ମୋ ଭଉଣୀଙ୍କୁ ତା’ ସ୍ୱାମୀ ଘର ଲୋକ ସବୁବେଳେ ମାରପିଟ କରନ୍ତି। ଅଧିକ ଯୌତୁକ ପାଇଁ ସେମାନେ ତା’କୁ ନିର୍ଯାତନା ଦେଉଥିଲେ। ଅନେକ ଥରେ ସେମାନେ ମୋ ଭଉଣୀଙ୍କୁ ଗାଁରେ ଛାଡ଼ି ଦିଅନ୍ତି। ଏହାର ସାମାଧାନ ମଧ୍ୟ କରାଯାଇଥିଲା। ଥାନାକୁ ମଧ୍ୟ ଅବଗତ କରାଯାଇଥିଲା।

ଏବେ ତା’କୁ ପିଟି ମାରି ଦେଇଛନ୍ତି। ପହରଦିନ ମଧ୍ୟ ପାଟିତୁଣ୍ଡ ହୋଇଥିଲା। ବାପା ବୋଉ ତା’କୁ ଆଣି ଦେଉଥିଲେ। କିନ୍ତୁ ସେମାନେ ବୁଝାସୁଝା କରି ରଖିଥିଲେ। ହେଲେ ଆଜି ତା’ର ମୃତ୍ୟୁ ଖବର ଆସିଛି। ସ୍ୱାମୀଙ୍କ ଠାରୁ ଆରମ୍ଭ କରି ଦେଢ଼ଶୂର, ଶାଶୂ ଓ ଶ୍ୱଶୁର ସମସ୍ତେ ମିଶି ମୋ ଭଉଣୀଙ୍କୁ ମାରି ଦେଇଛନ୍ତି। ଆଜି ସକାଳ ୮ଟାରେ ଝିଅ ମା’ଙ୍କ ସହ ଫୋନରେ କଥା ହୋଇଥିଲା। ୮.୩୦ରୁ ୯ ଟା ଭିତରେ ତା’ର ମୃତ୍ୟୁ ଖବର ଆମ ପାଖରେ ପହଞ୍ଚିଥିଲା।”

ଅନ୍ୟପକ୍ଷରେ ରଞ୍ଜିତାଙ୍କ ଶାଶୂ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଆଜି କିଛି ବି କଳି କଜିଆ କିଛି ହେଇନି। ଘର କାମ ସବୁ ସେ ଆଜି କରିଥିଲା। ଏହାପରେ ଝିଅ ଘରକୁ କାଠ ପାଇଁ ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ମୁଁ ଯାଇ ଦେଖିଲା ବେଳକୁ ଭିତରୁ ତାଲା ପଡ଼ିଛି। ପଛ ପଟେ ତାଟି ବି ପଡ଼ିଛି। ପରେ ତାଟି ଭାଙ୍ଗି ଭିତରୁ ଯିବା ପରେ ଝୁଲନ୍ତା ଅବସ୍ଥାରେ ରଞ୍ଜିତା ରହିଥିଲେ। ହତ୍ୟା ଅଭିଯୋଗରେ କୌଣସି ସତ୍ୟତା ନାହିଁ।”

Odisha Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe