Advertisment

ରୁଟି ପୋଡ଼ି ଯିବାରୁ ଚେଙ୍କ, ଜେଲ ଗଲେ ଶାଶୁ ଓ ସ୍ୱାମୀ

ରଶ୍ମିତା ରୁଟି କରିବା ବେଳେ ଏହା ସାମାନ୍ୟ ପୋଡ଼ି ଯାଇଥିଲା। ବାସ୍‌ ଏହାକୁ ନେଇ ଶାଶୁ ସୁପ୍ରଭା ଚିହିଁକି ଉଠିଥିଲେ।

Odisha

Odisha

Advertisment

ସାମାନ୍ୟ ଘଟଣାକୁ ନେଇ ଜଣେ ଅଧ୍ୟାପିକା ତାଙ୍କ ବୋହୂଙ୍କୁ ଦେଇଛନ୍ତି ଅକଥନୀୟ ନିର୍ଯାତନା। ରୁଟି ପୋଡ଼ି ଯିବାରୁ ସେ ନିଜ ବୋହୂଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗରମ ତାୱାରେ ଚେଙ୍କ ଦେଇଛନ୍ତି। ଖାଲି ସେତିକି ନୁହେଁ, ଚିମୁଟାରେ ତାଙ୍କ ଜଙ୍ଘକୁ ଆକ୍ରମଣ କରି ରକ୍ତାକ୍ତ ମଧ୍ୟ କରିବାକୁ ପଛାଇ ନାହାନ୍ତି। ପୁଅ ମଧ୍ୟ କିଛି କମ ନୁହନ୍ତି, ମା’ କଥାରେ ପଡ଼ି ସେ ମଧ୍ୟ ନିଜ ପତ୍ନୀଙ୍କୁ ନିର୍ଯାତନା ଦେଇଥିଲେ। ଢେଙ୍କାନାଳ ଜିଲ୍ଲା ଭୁବନରେ ଏପରି ଘଟଣା ଘଟିଛି। ଅକଥନୀୟ ଅତ୍ୟାଚାର ଅଭିଯୋଗରେ ମହିଳାଙ୍କ ସ୍ୱାମୀ ଓ ଶାଶୁଙ୍କୁ ପୁଲିସ୍‌ ଗିରଫ କରି ଜେଲ ପଠାଇ ଦେଇଛି।

Advertisment

ଭୁବନ ଏନଏସିର ୧ ନମ୍ବର ୱ।ର୍ଡ ଲତାବିଲ ସାହିର ଭାଗିରଥୀ ବେହେରାଙ୍କ ଏକ ମାତ୍ର ଝିଅ ହେଉଛନ୍ତି ରଶ୍ମିତା। ସେ ଜଣେ ଉଚ୍ଚ ଶିକ୍ଷିତ ମଧ୍ୟ। ୨୦୨୨ ମସିହା ଏପ୍ରିଲ ୧୭ରେ ସେ ଜଗତସିଂହପୁର ଟାଉନରେ ରହୁଥିବା ଖାରବେଳ ଦିଗବିଜୟ ସିଂହଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ।

ରଶ୍ମିତାଙ୍କ ବାପା ଭାଗିରଥୀ ବିବାହ ସମୟରେ ଝିଅକୁ ୫ ଭରି ସୁନା ସହ ଘରର ସମସ୍ତ ଆସବାବପତ୍ର ମଧ୍ୟ ଦେଇଥିଲେ। ହେଲେ ଏହାବାଦ ରଶ୍ମିତାଙ୍କ ଶାଶୁ ତଥା ଜଗତସିଂହପୁରରେ ଥିବା ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟରେ ଇତିହାସ ବିଭାଗର ଅଧ୍ୟାପିକା ଥିବା ସୁପ୍ରଭା ଜେନା ଓ ସ୍ୱାମୀ ଖାରବେଳ ଅଧିକ ଯୌତୁକ ମାଗି ଆସୁଥିଲେ। ଏଥିପାଇଁ ଅଧିକାଂଶ ସମୟରେ ସେମାନେ ରଶ୍ମିତାଙ୍କୁ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ।

Advertisment

ତେବେ ନିକଟରେ ଏହି ନିର୍ଯାତନେ ସବୁ ସୀମା ପାର କରି ଯାଇଥିଲା। ରଶ୍ମିତା ରୁଟି କରିବା ବେଳେ ଏହା ସାମାନ୍ୟ ପୋଡ଼ି ଯାଇଥିଲା। ବାସ୍‌ ଏହାକୁ ନେଇ ଶାଶୁ ସୁପ୍ରଭା ଚିହିଁକି ଉଠିଥିଲେ। ସେ ଗରମ ତାୱାରେ ରଶ୍ମିତାଙ୍କୁ ବେଶ ଅମାନବୀୟ ଭାବେ ଚେଙ୍କ ଦେଇଥିଲେ। ଚେଙ୍କ ଦେବା ପରେ ବି ତାଙ୍କ ମନ ଶାନ୍ତ ହୋଇ ନଥିଲା।

ସେ ଗୋଟିଏ ଚିମୁଟାରେ ତାଙ୍କ ଜଙ୍ଘକୁ ମଧ୍ୟ ଆକ୍ରମଣ କରିଥିଲେ। ଏଥିସହ ହେମଦସ୍ତା ବାଡ଼ିକୁ ବେକରେ ପକାଇ ତାଙ୍କୁ ଜୀବନରୁ ମାରିଦେବା ଭଳି ଉଦ୍ୟମ କରିବାକୁ ବି ପଛେଇ ନଥିଲେ।  ଏଥିରେ ରଶ୍ମିତାଙ୍କ ସ୍ୱାମୀ ଖାରବେଳ ମଧ୍ୟ ସୁପ୍ରଭାଙ୍କୁ ସବୁ ପ୍ରକାରର ସହଯୋଗ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ରଶ୍ମିତାଙ୍କ ପିଠି ଓ ହାତରେ ଗଭୀର କ୍ଷତିଚିହ୍ନ ସୃଷ୍ଟି ହୋଇଛି।

ରଶ୍ମିତାଙ୍କୁ ଏଭଳି ନିର୍ଯାତନା ଦିଆ ଯାଇଥିବା ଜାଣିବା ପରେ ମହାରାଷ୍ଟ୍ରର ପୁନେରେ ରହୁଥିବା ତାଙ୍କର ବାପା ମା, ଭାଇ ଓ ଭାଉଜ ତୁରନ୍ତ ଭୁବନ ସ୍ଥିତ ଘରକୁ ଆସିଥିଲେ। ଏହାପରେ ଶାଶୁ ଘରୁ ଝିଅକୁ ଆଣି ନିକଟସ୍ଥ ମେଡିକାଲରେ ଚିକିତ୍ସା କରାଇଥିଲେ। ଏହାପରେ ସେମାନେ ଏନେଇ ବିଧିବଦ୍ଧ ଭାବେ ଭୁବନ ଥାନାରେ ଗୋଟିଏ ଲିଖିତ ଅଭିଯୋଗ କରିଥିଲେ।

ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଭୁବନ ପୁଲିସ ଜଗତସିଂହପୁର ଉଗ୍ରତାରା କଲୋନୀରେ ପହଞ୍ଚି ଶାଶୁ ସୁପ୍ରଭା ଓ ସ୍ୱାମୀ ଖାରବେଳକୁ ଗିରଫ କରିଥିଲା। ସେମାନଙ୍କୁ ଭୁବନ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଉଭୟଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ କାମାକ୍ଷାନଗର ଜେଲକୁ ପଠାଇ ଦିଆଯାଇଛି।

Odisha Crime Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe