Advertisment

ମାଟ୍ରିମୋନି ସାଇଟକୁ ଯାଇ ଫସିଗଲେ ଯୁବକ; ସୁନ୍ଦରୀଙ୍କ ଫଟୋ ଦେଖାଇ ୩ ଲକ୍ଷ ଲୁଟିନେଲେ ଲୁଟେରା

ବାପା ଅସୁସ୍ଥ ଦର୍ଶାଇ ଅନଲାଇନରେ ଆଦାୟ କରିଥିଲା ୩ ଲକ୍ଷ ୧୮ ହଜାର ଟଙ୍କା। ତେବେ ଟଙ୍କା ପାଇବା ପରେ ନା ଫୋନ୍ ଲାଗିଲା ନା ଆଉ ଯୋଗାଯୋଗ ସମ୍ଭବ ହେଲା

author-image
Biswajit Samal
Cyber Loot

Cyber Loot

ମାଟ୍ରିମୋନି ସାଇଟରେ ଖୋଜୁଛନ୍ତିକି ଜୀବନ ସାଥୀ ? କୌଣସି ଯୁବତୀ କିମ୍ବା ଯୁବକଙ୍କ ସୁନ୍ଦର ଚେହେରା ଆଉ ଲମ୍ବା ଚଉଡ଼ା ପ୍ରୋଫାଇଲ୍ ଦେଖି ଭଳି ଯାଉନାହାଁନ୍ତି ତ ? ଯଦି ହଁ, ତା’ପୂର୍ବରୁ ପଢିନିଅନ୍ତୁ ଏହି ଷ୍ଟୋରୀ। ଉପରେ ଥିବା ସୁନ୍ଦରୀ ତରୁଣୀଙ୍କ ଫଟୋକୁ ଥରେ ଦେଖନ୍ତୁ। କାରଣ ଏହି ଯୁବତୀଙ୍କ ପାଇଁ ଚାଲିଛି ବରଖୋଜା। ଯାହା ନାଁ ଦୀପାବଳି ପ୍ରଧାନ। ଘର ପୁରୀ ସଦର ଥାନା ଅଞ୍ଚଳରେ।

Advertisment

ବର ଯେମିତି ବି ହେଉ ଚଳିବ। କେବଳ ଯାହା ଭଲ ରୋଜଗାର କରୁଥିବା ଦରକାର। ଏପରିକି ବିବାହ ଛାଡ଼ପତ୍ର ପାଇଥିଲେ ବି ଆପତ୍ତି ନାହିଁ। ଏତିକି ଜାଣିବା ପରେ ଯେ କୌଣସି ବ୍ୟକ୍ତି ତାଙ୍କ ହାତ ଧରିବାକୁ ଇଛୁକ ଥିବେ ନିଶ୍ଚୟ। ଯେମିତି ମାନସ ରଞ୍ଜନ ପଣ୍ଡା ନାମକ ଜଣେ ଯୁବକଙ୍କ ଇଚ୍ଛା ଥିଲା। ହେଲେ ମାନସଙ୍କ ସହ ଯାହା ଘଟିଲା ଆଜି ସେ ଅଖା ଧୋଉଛନ୍ତି, ଗୁଣ ଗାଉଛନ୍ତି। ଦୀପାବଳି ପ୍ରଧାନ ନାଁରେ ଏହି ଅଜଣା ଯୁବତୀଙ୍କ ଫଟୋ ରଖି ମାନସଙ୍କୁ ଲୁଟେରା ଲୁଟିଛନ୍ତି ୩ ଲକ୍ଷ ୧୮ ହଜାର ଟଙ୍କା। ପୁରୀ ସଦର ଥାନା ଅଞ୍ଚଳର ନୃସିଂହ ବିଶ୍ୱାଳଙ୍କୁ ଲଗାଇଛି ଚୁନା। ଯାହାକୁ ଗିରଫ କରିଛି କମିଶନରେଟ୍ ପୁଲିସ।

ନୃସିଂହ ବିଶ୍ୱାଳ ପାଠପଢ଼ିଛି ମାତ୍ର ନବମ ଯାଏଁ। ନବମ ପଢୁଆ ନୃସିଂହ ହିଁ ମ୍ୟାଟ୍ରିମୋନି ସାଇଟରେ ଲଗାଇଥିଲା ଅଜଣା ଯୁବତୀଙ୍କ ଏହି ଫଟୋ। ଆଉ ତାକୁ ନାଁ ଦେଇଥିଲା ଦୀପାବଳି ପ୍ରଧାନ। ଫଟୋ ସହ ପ୍ରୋଫାଇଲ୍ ଦେଖି ଭଳିଯାଇଥିଲେ ମାନସ ରଞ୍ଜନ। ଏପରିକି ବାହାଘର ପାଇଁ ଡିଲ୍ ବି ଫାଇନାଲ୍ ହୋଇଗଲା। ତା’ପରେ ଚାଟିଂ ସହ ଜଣେ ମହିଳା ଦୀପା ନାଁରେ କଥା ହେଉଥିଲେ ଫୋନ କଲରେ। ଆଉ ବିଶ୍ୱାସ ଜନ୍ମିବା ପରେ ଆରମ୍ଭ ହୋଇଥିଲା ଚୁନାଲଗା ପର୍ବ। ବାପା ଅସୁସ୍ଥ ଦର୍ଶାଇ ଅନଲାଇନରେ ଆଦାୟ କରିଥିଲା ୩ ଲକ୍ଷ ୧୮ ହଜାର ଟଙ୍କା। ତେବେ ଟଙ୍କା ପାଇବା ପରେ ନା ଫୋନ୍ ଲାଗିଲା ନା ଆଉ ଯୋଗାଯୋଗ ସମ୍ଭବ ହେଲା।

Advertisment

ଶେଷରେ ସାଇବର ଥାନାରେ ଅଭିଯୋଗ ପରେ ତଦନ୍ତ କରି କମିଶନରେଟ୍ ପୁଲିସ ପୁରୀ ଭାତକୁଡି ଗାଁର ନୃସିଂହକୁ ଗିରଫ କରିଛି। ତା’ସହ ଲକ୍ଷେ ୬୧ ହଜାର ଟଙ୍କା, ୫ଟି ଏଟିଏମ କାର୍ଡ, ୨ଟି ସିମ୍ ଏବଂ ୩ଟି ମୋବାଇଲ୍ ଜବତ କରିଛି। ମାଟ୍ରିମୋନି ସାଇଟକୁ ଅସ୍ତ୍ର କରି ଏଭଳି ଠକେଇ କରିବା ନୂଆ ନୁହେଁ। ମାଲକାନଗିରିର ଜଣେ ମହିଳାଙ୍କୁ ବିବାହ ନାଁରେ ୬ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିଲା ଅନୁଗୁଳ ଜିଲ୍ଲାର ଲକ୍ଷ୍ମୀକାନ୍ତ ନାଥ। ସେହିପରି ସମ୍ବଲପୁରର ରାହୁଲ ଦୀକ୍ଷିତ ଜଣେ ବଙ୍ଗୀୟ ଯୁବତୀଙ୍କଠାରୁ ୬୪ ଲକ୍ଷ ଚୁନା ଲଗାଇଥିବା ଅଭିଯୋଗ ହୋଇଥିଲା। ଏଭଳି ସ୍ଥିତିରେ ସାଇବର୍ ଲୁଟେରାଙ୍କ ଠାରୁ ବର୍ତ୍ତିବେ କେମିତି।

ସାଇବର ଏକ୍ସପର୍ଟ କହିଛନ୍ତି ମାଟ୍ରିମୋନି ସାଇଟରେ ପ୍ରୋଫାଇଲ୍ ମ୍ୟାଚ୍ ପରେ ସମ୍ପର୍କ ବଢ଼ାଇବା ପୂର୍ବରୁ ପ୍ରଥମେ ବ୍ୟକ୍ତିଗତ ଭାବେ ଘରକୁ ଯାଇ ସମସ୍ତଙ୍କ ସହ ସାମ୍ନାସାମ୍ନି କଥାବାର୍ତ୍ତା କରନ୍ତୁ। ସଠିକ୍ ତଥ୍ୟ ନ ମିଳିବା ଯାଏଁ କୌଣସି ବ୍ୟକ୍ତିଗତ ଚାଟ୍ କିମ୍ବା କଲ୍ କରନ୍ତୁନି। ଟଙ୍କା ଦେଣନେଣ କିମ୍ବା ବ୍ୟାଙ୍କ ଆକାଉଣ୍ଟ ସଂପର୍କିତ ତଥ୍ୟ ସେୟାର କରିବା ଅନୁଚିତ।

Cyber Loot Matrimony