Advertisment

ବାଲିପାଟଣାରେ ଯୁବକ ଜଳିଯିବା ଘଟଣା; ବାପା, ସାବତ ମା’ ଓ ସାବତ ଭାଇ ଗିରଫ

ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୁବନେଶ୍ୱର ଏମ୍‌ସରେ ପ୍ରାଣ ହରାଇଥିଲେ ଯୁବକ ଜଣଙ୍କ।

Three Accused

Three Accused

Advertisment

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ ନିଆଁରେ ପୋଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ପୁଲିସ୍ ଆଜି ତାଙ୍କ ବାପା, ସାବତ ମା’ ଓ ସାବତ ଭାଇଙ୍କୁ ଗିରଫ କରିଛି।

Advertisment

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମୃତ ଜ୍ୟୋତିରଞ୍ଜନ ମାଠିଆ (୪୨)ଙ୍କ ବାପା ସୁରେନ୍ଦ୍ରନାଥ ମାଠିଆ (୭୪), ସାବତ ମା’ ପ୍ରଭାତୀ ମାଠିଆ (୫୭) ଓ ପ୍ରଶାନ୍ତ କୁମାର ମାଠିଆ (୩୪)।

ଜ୍ୟୋତିରଞ୍ଜନ ମାଠିଆଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଓ ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ବେହେରାଙ୍କ ଅଭିଯୋଗ ଆଧାରରେ ଏହି ୩ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଜୋନ୍ ୪ ଏସିପି ଅଭିମନ୍ୟୁ ନାୟକ।

Advertisment

ସେ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏହା ହତ୍ୟା ଭଳି ଜଣାପଡ଼ୁଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହୋଇଯିବ। ଜମିବାଡ଼ି ବିବାଦରୁ ଏହି ଘଟଣା ଘଟିଛି। ଦୀର୍ଘ ଦିନ ହେବ ଏହି ପରିବାରରେ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ଜ୍ୟୋତିରଞ୍ଜନ ମାଠିଆ ଛୋଟ ଥିବା ବେଳେ ତାଙ୍କ ମା’ଙ୍କର ମୃତ୍ୟୁ ଘଟିଥିଲା। ତା’ପରେ ତାଙ୍କ ବାପା ସୁରେନ୍ଦ୍ରନାଥ ମାଠିଆ ଦ୍ୱିତୀୟ ବିବାହ କରିଥିଲେ। ଅଭିଯୋଗ ଅନୁଯାୟୀ, ସୁରେନ୍ଦ୍ରନାଥ ମାଠିଆ ତାଙ୍କର ସବୁ ସଂପତ୍ତି ସାନ ପୁଅ ନାଁରେ କରି ଦେଇଥିଲେ। ଏମିତିକି ବଡ଼ପୁଅ ଜ୍ୟୋତିରଞ୍ଜନ ମାଠିଆଙ୍କୁ ସେ ତାଙ୍କ ଘରେ ରହିବାକୁ ଦେଇ ନଥିଲେ। ମୃତକଙ୍କ ପରିବାର ପାଖରେ ଥିବା ଏକ ଆଜବେଷ୍ଟସ ଘରେ ରହନ୍ତି, ଯାହାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ରହିଛି।

ଏସିପି ଆହୁରି କହିଛନ୍ତି, ଗତକାଲି ନିଆଁରେ ପୋଡ଼ି ହେବା ପରେ ଜ୍ୟୋତିରଞ୍ଜନଙ୍କୁ ପ୍ରଥମେ ଅଠାନ୍ତର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରାଯାଇଥିଲା। ସେଥିରେ ସେ କହିଛନ୍ତି ଯେ ତାଙ୍କ ବାପା, ସାବତ ମାଆ ଓ ସାବତ ଭାଇ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ପତ୍ନୀ ମଧ୍ୟ ଏଫଆଇଆରରେ ଏହି ଅଭିଯୋଗ କରିଛନ୍ତି। ଜ୍ୟୋତିରଞ୍ଜନ ମାଠିଆଙ୍କୁ ଅଠାନ୍ତର ଡାକ୍ତରଖାନାରୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ତଦନ୍ତ ଜାରି ରହିଛି। ଆବଶ୍ୟକ ପଡ଼ିଲେ ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ।

ମୃତ ଜ୍ୟୋତିରଞ୍ଜନଙ୍କ ପତ୍ନୀ ବିଜୟଲକ୍ଷ୍ମୀ ବେହେରା କହିଛନ୍ତି ଯେ ତାଙ୍କୁ ତାଙ୍କ ବାପା, ସାବତ ମାଆ, ସାବତ ଭାଇ ମିଶି ମାରି ଦେଇଛନ୍ତି। ଆଉ କିଛି ଲୋକଙ୍କର ମଧ୍ୟ ଏହି ଘଟଣା ପଛରେ ଭୂମିକା ରହିଛି। ସମ୍ପତ୍ତି ପାଇଁ ଆମକୁ ପୂର୍ବରୁ ଘରୁ ବାହାର କରି ଦେଇଥିଲେ। ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କୁ ସମସ୍ତଙ୍କୁ କଠୋର ଦଣ୍ଡ ଦିଆଯାଉ।

ଗତକାଲି ବାଲିପାଟଣା ଛକରେ ଜ୍ୟୋତିରଞ୍ଜନ ମାଠିଆ ନିଆଁରେ ଜଳିଯାଇଥିଲେ। ତାଙ୍କ ଶରୀର ୮୦ ପ୍ରତିଶତ ପୋଡ଼ିଯାଇଥିଲା। ତାଙ୍କୁ ପ୍ରଥମେ ଅଠାନ୍ତର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱର ଏମ୍ସ ନିଆଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe