Advertisment

ପାଟିରେ ବନ୍ଧୁକ ପୂରାଇଲେ, ପେଟରେ ବାରମ୍ବାର ଛୁରୀ ଭୁଷିଲେ

ତାଙ୍କ ପେଟ, ଛାତି ଓ ଗୋଡ଼ରେ ଛୁରୀ ମାଡ଼ ହୋଇଥିଲା। ଛୁରୀ ମାଡ଼ରେ ଘାଇଲା ଅନୂପ କିନ୍ତୁ ହାର ନମାନି ଜଣେ ଦୁର୍ବୃତ୍ତ ଧରି ଥିବା ଛୁରୀକୁ ଛଡ଼ାଇ ଆଣିଥିଲେ।

author-image
Hemant Lenka
Barbil

Barbil

କେନ୍ଦୁଝର ଜିଲ୍ଲା ବଡ଼ବିଲରେ ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତଙ୍କ ଦାଦାଗିରି। ୩ ଜଣ ଦୁର୍ବୃତ୍ତ ଲୁଟ ଉଦ୍ଦେଶ୍ୟରେ ଜଣେ ଯୁବକଙ୍କ ଘରେ ପଶି ଘଟାଇଛନ୍ତି ଅଭାବନୀୟ କାଣ୍ଡ। ସେମାନେ ଯୁବକଙ୍କ ପାଟିରେ ବନ୍ଧୁକ ପୂରାଇ ଦେବା ସହ ତାଙ୍କୁ ଛୁରୀରେ ବାରମ୍ବାର ଆକ୍ରମଣ କରିଛନ୍ତି।

Advertisment

ବଡ଼ବିଲ ପୌରାଞ୍ଚଳର ୮ ନଂ ୱାର୍ଡ଼ ଭଞ୍ଜ କଲୋନୀରେ ଏପରି ଘଟଣେ ଘଟିଛି। ଛୁରା ମାଡ଼ରେ ଗୁରୁତର ଆହତ ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ଶାରଦା ମାଇନ୍ସର କର୍ମଚାରୀ ଅନୂପ ବିଶ୍ଵକର୍ମା। ତାଙ୍କୁ ପ୍ରଥମେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି ।

ଅନୂପ ବିଶ୍ଵକର୍ମାଙ୍କ ସ୍ତ୍ରୀ ଓ ପିଲାମାନେ ଗାଁକୁ ଯାଇଥିବା ବେଳେ ସେ ଏକାକୀ ଭଞ୍ଜ କଲୋନୀ ସ୍ଥିତ ନିଜ ଘରେ ରହୁଥିଲେ। ତାଙ୍କ କହିବା ମୁତାବକ ଆଜି ସକାଳ ପ୍ରାୟ ୧୦ଟା ସମୟରେ ସେ ଏକାକୀ ଘରେ ବସି କିଛି କାମ କରୁଥିଲେ।

Advertisment

ଏହି ସମୟରେ ପଛପଟ ପାଚେରୀ ଡେଇଁ ହଠାତ୍ ୩ ଜଣ ଦୁର୍ବୃତ୍ତ ତାଙ୍କ ଘର ଭିତରେ ପଶି ଯାଇଥିଲେ। ସେ କିଛି ବୁଝିବା ପୂର୍ବରୁ ସେମାନେ ତାଙ୍କ ପାଟିରେ ବନ୍ଧୁକ ପୂରାଇ ଦେଇଥିଲେ। ଏହାପରେ ଘରେ ଥିବା ଟଙ୍କା ଓ ମୂଲ୍ୟବାନ ଜିନିଷ ସବୁ ଦେବାକୁ କହିଥିଲେ।

ପାଟିରେ ବନ୍ଧୁକ ଥିବା ସତ୍ତ୍ୱେ ଅନୂପ ଡରି ନଥିଲେ। ସେ ଚୋରମାନଙ୍କ କଥାରେ ରାଜି ହୋଇ ନଥିଲେ। ସେ ଖସିବାକୁ ଉଦ୍ୟମ କରିବାରୁ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଏଥିରେ ରାଗି ଯାଇ ୩ ଦୁର୍ବୃତ୍ତ ଅନୂପଙ୍କୁ ବାରମ୍ବାର ଛୁରୀରେ ଆକ୍ରମଣ କରିଥିଲେ।

ତାଙ୍କ ପେଟ, ଛାତି ଓ ଗୋଡ଼ରେ ଛୁରୀ ମାଡ଼ ହୋଇଥିଲା। ଛୁରୀ ମାଡ଼ରେ ଘାଇଲା ଅନୂପ କିନ୍ତୁ ହାର ନମାନି ଜଣେ ଦୁର୍ବୃତ୍ତ ଧରି ଥିବା ଛୁରୀକୁ ଛଡ଼ାଇ ଆଣିଥିଲେ। ସେ ଏହାକୁ ଦେଖାଇ ସେମାନଙ୍କୁ ଡରାଇଥିଲେ ଓ କୌଶଳକ୍ରମେ ବାହାରକୁ ଚାଲି ଆସିଥିଲେ।

ସେ ବାହାରେ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ଭୟରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ଅନୂପଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କ ପେଟ ଓ ଛାତିରେ ଏକାଧିକ ଷ୍ଟିଜ ପଡ଼ିଛି। ସେ ଏବେ ସୁସ୍ତ ଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ ପାଇଁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ଘଟଣା ସମ୍ପର୍କରେ ଖବର ପାଇ ବଡ଼ବିଲ ପୁଲିସ୍ ଘଟଣାର ତନାଘନା ଆରମ୍ଭ କରିଛି। ଫେରାର ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି। କିନ୍ତୁ ଏଯାଏ ଫେରାର ୩ ଯୁବକଙ୍କ ପତ୍ତା ମିଳିନାହିଁ।

Odisha Crime Kendujhar Barbil