I Love Bhubaneswar Write in English Language
ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ତେଇଶି ବର୍ଷ ଶାସନ କାଳରେ ଓଡ଼ିଆ ଭାଷାର ଅଧିକ ପ୍ରୟୋଗ ବଦଳରେ ତାଙ୍କୁ ଖୁସି କରିବା ଲାଗି ସବୁ ସ୍ତରରେ ଇଂରାଜୀର ପ୍ରୟୋଗ ଚାଲିଛି। ଏହାର ଉଦାହରଣ ସ୍ବରୁପ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଓଡ଼ିଆ ଭାଷାକୁ ଉପହାସ କରୁଥିବା I LOVE BHUBANESWAR ଇଂରାଜୀରେ ଲେଖା ହୋଇଛି। ତେବେ ଭୁବନେଶ୍ୱର ଠାରୁ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ଜିଲ୍ଲା ମହକୁମା ଓ ଅନ୍ୟତ୍ର ଏଭଳି ଲେଖା ଚାଲିଛି ବୋଲି କହିଛି "ଉଠ ଓଡ଼ିଆ" ସଂଗଠନ।
ସଂଗଠନ ପକ୍ଷରୁ କୁହାଯାଇଛି, ସମସ୍ତ ସରକାରୀ ଫାଇଲ, ନାମଫଳକ ଓ ପତ୍ରାଦି ଇଂରାଜୀରେ ଲେଖା ଚାଲିଛି। ଗ୍ରାମରକ୍ଷୀଙ୍କ ଠାରୁ ଆରମ୍ଭ କରି ପୁଲିସ ବିଭାଗର ସର୍ବୋଚ୍ଚ ପଦାଧିକାରୀଙ୍କ ବ୍ୟାଜ୍ ମଧ୍ୟ ଇଂରାଜୀରେ ଲେଖା ହୋଇଛି। ଗାଁ ଚାଷୀଙ୍କ ବିକାଶ ଲାଗି ଯେଉଁ ଫର୍ମ, ତାହା ବି ଇଂରାଜୀରେ ଲେଖା ହୋଇଛି। ନାମକୁ ମାତ୍ର ଓଡ଼ିଆ ସରକାରୀ ଭାଷା ବୋଲି ରହିଛି। ପରିସ୍ଥିତି ଏପରିକି, ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭରେ "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ଗାନ କରିବାକୁ ଓଡ଼ିଆ ଅନୁଷ୍ଠାନ ମାନଙ୍କୁ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ ଇଂରାଜୀ ଭାଷାରେ ଚିଠି ପଠାଇଛନ୍ତି। ଏହାର ପ୍ରୟୋଗକୁ ଲଂଘନ କରିଥିବା ଜଣଙ୍କୁ ବି ଦଣ୍ଡ ଦିଆଯାଇନାହିଁ। ଏଣୁ ଜାକଯମକରେ ବିଶ୍ୱ ଓଡ଼ିଆ ସମ୍ମିଳନୀ କରାଗଲେ ଭାଷା ଉଜ୍ଜ୍ଵଳିତ ହେବ ବୋଲି କିଭଳି କହିବା ?
ମୁଖ୍ୟମନ୍ତ୍ରୀ ନିଜେ ଏ ଦିଗରେ ଆଗଭର ହୁଅନ୍ତୁ। ଯେଉଁମାନେ ଏହାକୁ ଲଂଘନ କରୁଛନ୍ତି ସେମାନଙ୍କ ପ୍ରତି ଦଣ୍ଡ ବିଧାନ ହେଉ। ସମସ୍ତେ ନିଜ ମାତୃଭାଷାକୁ ଅଧିକରୁ ଅଧିକ ଶ୍ରଦ୍ଧାର ସହ ସବୁ କ୍ଷେତ୍ରରେ ପ୍ରୟୋଗ କଲେ ହିଁ ଜାତିର ସ୍ୱାଭିମାନ ଉଜ୍ଜଳିବ ଓ ବିଶ୍ୱ ଓଡ଼ିଆ ସମ୍ମିଳନୀର ଉଦ୍ଦେଶ୍ୟ ସାଧିତ ହେବ।
ଆଜି ଓଡ଼ିଆ ଜାତିର ସ୍ବାଭିମାନ ପୁରୁଷ, ମହାନ୍ କାଣ୍ଡାରୀ ତଥା ପୁଣ୍ୟାତ୍ମା କୁଳବୃଦ୍ଧ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ଅବସରରେ "ଉଠ ଓଡ଼ିଆ"ର କର୍ମକର୍ତ୍ତାମାନେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ସ୍ଥିତ I LOVE BHUBANESWAR ଇଂରାଜୀ ଫଳକରେ କଳା ରଙ୍ଗ ବୋଳି ପ୍ରତୀକାତ୍ମକ ପ୍ରତିବାଦ କରିଛନ୍ତି। ଏହା ବଦଳରେ 'ମୋ ପ୍ରିୟ ଭୁବନେଶ୍ବର' ତୁରନ୍ତ ଲେଖିବାକୁ ଦାବି କରାଯାଇଛି। ଓଡ଼ିଶାର ମାଲିକ ଓଡ଼ିଆ ମାନେ ଦାସତ୍ୱ ବନ୍ଧନରୁ ମୁକ୍ତ ହୋଇ ଓଡ଼ିଆ ଅସ୍ମିତା ଓ ସ୍ବାଭିମାନ ଜାଗରଣ କରିବାର ରାସ୍ତା ଆପଣାନ୍ତୁ ବୋଲି ଆହ୍ବାନ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1707029562.jpg)