Gopinath Swain and Bhagabat Padhan
ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇବେ ୪ ଓଡ଼ିଆ। କଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ କୃଷ୍ଣଲୀଳା ଗାୟକ ଗୋପୀନାଥ ସ୍ୱାଇଁ, ଶବ୍ଦନୃତ୍ୟ ଗୁରୁ ଭାଗବତ ପ୍ରଧାନ, ଗୀତିକାର ତଥା ସାହିତ୍ୟିକ ବିନୋଦ ପଶାୟତ ଓ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣାଙ୍କ ନାଁ ଘୋଷଣା କରାଯାଇଛି। ଏମାନେ ସମସ୍ତେ ପାଇବେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର।
ନାଁ ଘୋଷଣା ପରଠୁ ଚର୍ଚ୍ଚାରେ ରହିଛନ୍ତି ରାଜ୍ୟର ଏହି ଚାରି ହିରୋ। ଏମାନଙ୍କ ଭିତରୁ ସବୁଠୁ ବୟସ୍କ ହେଉଛନ୍ତି ଗଞ୍ଜାମ ଶେରଗଡ଼ ଗୋବିନ୍ଦପୁର ଗାଁର ଶତାୟୁ ପୁରୁଷ ଗୋପୀନାଥ ସ୍ୱାଇଁ। ବୟସ ୧୦୬ ବର୍ଷ। ହେଲେ ଆଜିକା ଦିନରେ ବି କଣ୍ଠରୁ ଝରୁଛି ସୁମଧୁର ଲାଳିତ୍ୟ ଭରା ସଙ୍ଗୀତ। ଏହା ଆଶ୍ଚର୍ଯ୍ୟଠୁ କମ୍ ନୁହେଁ। ବିଗତ ୯ ଦଶନ୍ଧି ଧରି କୃଷ୍ଣଲୀଳା ଗାୟନ ଏବଂ ଏହାର ପ୍ରଚାର ପ୍ରସାର ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ଗୋପୀନାଥଙ୍କୁ ତାଙ୍କର ଏହି ଜୀବନ ବ୍ୟାପୀ ସାଧନା ପାଇଁ ମିଳିବାକୁ ଯାଉଛି ପଦ୍ମଶ୍ରୀ ସମ୍ମାନ। ଯେଉଁଥିରେ ଭାରି ଖୁସି ଅଛନ୍ତି ଗୋପୀନାଥ ସ୍ୱାଇଁ।
ପଶ୍ଚିମ ଓଡ଼ିଶାର ଜଣାଶୁଣା କବି ବିନୋଦ ପଶାୟତଙ୍କ ନାଁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା ହେବା ପରଠୁ ଗର୍ବରେ ଫାଟି ପଡୁଛି ତାଙ୍କ ପରିବାର। ତାଙ୍କ ସମ୍ବଲପୁର ଘରକୁ ଛୁଟୁଛି ଶୁଭେଚ୍ଛୁଙ୍କ ସୁଅ। ତାଙ୍କର ଏକ ସେଲୁନ ଅଛି। ଚୁଟି କାଟି ସେ ପରିବାର ଚଳାନ୍ତି। ହେଲେ ନିଶା ହେଉଛି ସାହିତ୍ୟ ସାଧନା। କଲମ ଓ କଇଁଚିରେ ଉତ୍ତମ ସମନ୍ୱୟ ରଖି ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ଢେର ନାଁ କମେଇଥିବା ବିନୋଦ ଜଣେ ସ୍ୱନାମଧନ୍ୟ ଗୀତିକାର ମଧ୍ୟ। ତାଙ୍କର ଲୋକପ୍ରିୟ ଗୀତ ମଧ୍ୟରେ ଲିଟି ଉଡ଼େ ଫର ଫର ହାଏ କୃଷ୍ଣ, ହାଏ କୃଷ୍ଣ ବୋଲି ଯାଉ ମୋ ଜୀବନ ଆଜି ବି ଅନେକଙ୍କ ହୃଦୟରେ ବସାବାନ୍ଧିଛି। ୮୬ ବର୍ଷରେ ଆଜି ବି ସାଧନା ଜାରି ରଖିଛନ୍ତି ବିନୋଦ।
ପଦ୍ମଶ୍ରୀ ପୁରସ୍କାର ପାଇବାକୁ ଯାଉଥିବା ଆଉ ଜଣେ ହିରୋ ହେଉଛନ୍ତି, ବରଗଡ଼ ବରପାଲି ବ୍ଲକ୍ ଅନ୍ତର୍ଗତ କୁମ୍ଭାରୀ ଗାଁର ଭାଗବତ ପ୍ରଧାନ। ବରଗଡ଼ର ଶବ୍ଦନୃତ୍ୟ ଭଳି ଲୋକନୃତ୍ୟକୁ ନୂଆ ଦିଶା ଓ ଦଶା ଦେଇଥିବା ଶବ୍ଦନୃତ୍ୟର ପ୍ରଧାନ। ୫ ବର୍ଷ ବୟସରୁ ମହାଦେବଙ୍କ ନୃତ୍ୟ ଭାବେ ବିବେଚିତ ଏ ଲୋକନୃତ୍ୟ ଆହରଣ ସହ ବିଗତ ୫ ଦଶନ୍ଧି ଧରି ଏହାର ପ୍ରଚାର ପ୍ରସାରରେ ଲାଗିଛନ୍ତି ଭାଗବତ। ଏହି ଲୋକନୃତ୍ୟକୁ ପରବର୍ତ୍ତୀ ପିଢ଼ିଙ୍କ ପାଇଁ ବଞ୍ଚେଇ ରଖିବାକୁ ୬ ଶହରୁ ଅଧିକ ନୃତ୍ୟଶିଳ୍ପୀ ତିଆରି ବି କରିଛନ୍ତି ସେ। ସେଥିପାଇଁ ୮୬ ବର୍ଷ ବୟସରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମ ପୁରସ୍କାରର ସମ୍ମାନିତ କରିବାକୁ ଯାଉଥିବାରୁ କୃତଜ୍ଞତା ଜଣାଇଛନ୍ତି ଭାଗବତ।
ସେହିପରି ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନିତ ହୋଇଥିବା ଆଉ ଜଣେ ଓଡ଼ିଆ ହେଉଛନ୍ତି ପଟ୍ଟଚିତ୍ରର ମହାନ ଚିତ୍ରକର ବିନୋଦ ମହାରଣା। ୧୯୪୫ ମସିହାରେ ପୁରୀର ଚିତ୍ରକର ସାହିର ପାରମ୍ପରିକ ଶିଳ୍ପୀ ପରିବାରରରେ ଜନ୍ମ ହୋଇଥିବା ବିନୋଦ ପିଲାଦିନୁ ପଟ୍ଟଚିତ୍ରରେ ଧୂରନ୍ଧର। ଓଡ଼ିଶାର କଳା, ସଂସ୍କୃତି ଓ ଇତିହାସକୁ ନିଜ ପଟ୍ଟଚିତ୍ରରେ ଜୀବନ୍ୟାସ ଦେଇ ଦେଶ ବିଦେଶରେ ପହଞ୍ଚାଇବାରେ ବେଶ୍ ଅବଦାନ ରହିଛି ବିନୋଦଙ୍କର। ଜାତୀୟ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ କଳାପ୍ରଦର୍ଶନୀରେ ନିଜ କଳା ପାଇଁ ବେଶ୍ ପ୍ରଶଂସା ଓ ପୁରସ୍କାର ସାଉଁଟିଛନ୍ତି। ୩ ଶହରୁ ଅଧିକ ପିଲାଙ୍କୁ ପଟ୍ଟଚିତ୍ର ଓ ତାଳପତ୍ର କଳା ସଂପର୍କରେ ତାଲିମ ଦେଇ ପରବର୍ତ୍ତୀ ପିଢ଼ି ପ୍ରତି ଏହାର ଗ୍ରହଣୀୟତା ବଢ଼ାଇବା ଦିଗରେ ପ୍ରୟାସ କରିଛନ୍ତି। ଆଉ ଏ ସବୁର ସ୍ୱୀକୃତି ସ୍ୱରୂପ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳୁଥିବା ଜାଣି କୃତଜ୍ଞତାରେ ଗଦଗଦ ହୋଇଛନ୍ତି ବିନୋଦ।
ଚଳିତ ବର୍ଷ ମୋଟ୍ ୧୩୨ ଜଣଙ୍କ ନାଁ ପଦ୍ମ ପୁରସ୍କାର ପାଇଁ ଘୋଷଣା ହୋଇଛି। ତା ମଧ୍ୟରୁ ୫ ଜଣ ପଦ୍ମବିଭୂଷଣ, ୧୭ ଜଣ ପଦ୍ମଭୂଷଣ ଓ ୧୧୦ ଜଣ ପାଇବେ ପଦ୍ମଶ୍ରୀ ସମ୍ମାନ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us