Advertisment

ଭୋକର ରାତିଟିଏ!

ଭୋକର ସ୍ୱପ୍ନ ଥିବା ଅନୁରୂପ ସ୍ୱପ୍ନର ମଧ୍ୟ ଭୋକ ଥାଏ। ସାରା ଜୀବନ ଏହି ଭୋକର କବଳରେ ଆୟୁସ ସରିଯାଏ। କିନ୍ତୁ ଭୋକ ସରେନା କି ମରେନା।

A Night Of Hunger

A Night Of Hunger

Advertisment

ଭୋକର ସ୍ୱପ୍ନ ଥିବା ଅନୁରୂପ ସ୍ୱପ୍ନର ମଧ୍ୟ ଭୋକ ଥାଏ। ସାରା ଜୀବନ ଏହି ଭୋକର କବଳରେ ଆୟୁସ ସରିଯାଏ। କିନ୍ତୁ ଭୋକ ସରେନା କି ମରେନା।

Advertisment

ସୃଷ୍ଟିର ଆରମ୍ଭରୁ ମଣିଷ, ପଶୁପକ୍ଷୀ, ବୃକ୍ଷଲତା ସମସ୍ତଙ୍କୁ ଏହି ଭୋକ କବଳିତ କରି ରଖିଛି।

କେବେ କେଜାଣି ଏହି ସମଗ୍ର ପୃଥିବୀ ଭୋକଶୂନ୍ୟ ହେବ!

ଗାଢ଼ ଶୂନଶାନ ଶୀତ। ରାତି ତୃତୀୟ କି ଚତୁର୍ଥ ପ୍ରହର। ସାରା ସହର ଅଚିନ୍ତା ନିଦରେ ଘୋଡ଼ି ହୋଇ ଶୋଇଯାଇଥିଲା ବେଳେ କୁଁ କୁଁ ହୋଇ ଭିଡ଼ିମୋଡ଼ି ହେଉଥିଲା ବୁଲା। ଆଜି କେଉଁଠି ବି ବାସି ରୁଟି କି ପାଉଁରୁଟି ଖଣ୍ଡେ ମିଳିନି ବୋଧେ।

Advertisment

ଆଉଟୁ ପାଉଟୁ ହୋଇ ବେକ ଭାଙ୍ଗି ପଛକୁ ଅନେଇଲା। ପାଖ ଝୁପୁଡ଼ିରେ ଜାକିଜୁକି ହୋଇ କଡ଼ ଲେଉଟାଉଥିଲା ନେତି।

ତିନି ଦିନ ହେଲାଣି ରଇଜଳା ଜରଟା ଦେହ ମୁଣ୍ଡକୁ ଏମିତି ଥରେଇ ଦେଉଛି ଯେ ନା ପାଇଟିକୁ ଯାଇ ପାରୁଛି, ନା ଉଠିକି ଭାତ ମୁଠେ ଫୁଟେଇ ପାରୁଛି।

ଭୋକରେ ପେଟ କଁ କଁ କାନ୍ଦକୁ ବୁଝିଲେ ବି ବୁଲା ପାଇଁ କିଛି କରି ପାରୁନଥିଲା ନେତି, ନିଦ କେଉଁଠୁ ଅବା ଆସିବ?

ବାଡ଼ି ଠକ୍ ଠକ୍ କରି ରାତି ରାସ୍ତାରେ ବୁଲିବୁଲି ହୁଇସିଲ ମାରି ବୁଲୁଥିଲା ନେପାଳୀ ବାହାଦୂର, ହୁସିଆର୍ ହୋ ...ହୁସିଆର୍!

କିଏ କାହାକୁ ହୁସିଆର ହେବ କହି ଏତେ କଷ୍ଟରେ ବି ହସିଦେଲା ନେତି।

ଟ୍ରଲିବାଲା ସାଧୁ ମୁଣ୍ଡରେ ଠେକାଟିଏ ବାନ୍ଧି ମୁହଁରେ ଗାମୁଛା ଦେଇ ବାହାଦୂରର ଠିକ ପଛ ଦେଇ ଚାଲିଗଲା। ଆଜି କାହା ପାଚେରୀ ଡେଇଁ ଝରକା ପଟ ଦେଇ ମୋବାଇଲ କି ଲାପଟପଟିଏ ମିଳିଗଲେ ତା ମାସକର ଘର ଖର୍ଚ୍ଚ ଉଠି ଯିବ।

ତାଟି କବାଟ ଫାଙ୍କ ଦେଇ ବାହାରକୁ ଅନେଇ ଥିଲା ନେତି। ପାଖ ହୋଟେଲର ଉପର ମହଲାରେ ଲାଇଟ ଜଳୁଛି।

ବଡ଼ ବଡ଼ ବାବୁମାନଙ୍କ କିଛି ଗୋଟେ ମିଟିଙ୍ଗ ଚାଲିଛି ବୋଧେ। ହଁ, ଖବରକାଗଜରେ ବାହାରୁଛି କେଉଁ ଏକ ଚଣ୍ଡାଳ ଝିଅଟିକୁ ବଳାତ୍କାର କରି ମାରି ପୋତି ଦେଇଛି ଯେ ସେଥି ପାଇଁ କୁଆଡ଼େ ରାଜନୀତି ଗରମ ଧରିଛି।

ପଦ ପଦବୀ କାଳେ ପଳେଇବ ସେଥିପାଇଁ ଅଙ୍କ କଷା ଚାଲିଛି। ହଁ ମ’ ସେମାନଙ୍କ ଆଖିରେ ବି ନିଦ ନାହଁ। ସେଇ ଭୋକ .. କ୍ଷମତାର ଭୋକ।

ପାଦ ଘୋଷାରି ଘୋଷାରି ଫେରୁଛନ୍ତି ବସ୍ତିକୁ ଶାନ୍ତି, ଲତା, ମିତା ଏମିତି ଆଉ କେତେ ଝିଅ ..... କେଉଁଠିକୁ ଯାଇଥିଲେ ପରା!

କେଉଁ କାମୁକମାନଙ୍କ ଭୋକ ମେଣ୍ଟାଇ କିଛି ପଇସା ପାଇଲେ କିଏ ବୁଢ଼ା ବାପାକୁ ଡାକ୍ତର ପାଖକୁ ନେବ ତ ଆଉ କିଏ ସାନ ଭାଇଟିକୁ ପାଠ ପଢ଼େଇବ।

ଦୀର୍ଘଶ୍ୱାସଟିଏ ପକାଇ ନେତି ପୁଣି କଡ଼ ଲେଉଟାଇଲା। ଗାଡ଼ିର ହର୍ଣ୍ଣ ବାଜିଲା। ସାମନା ଘରର ଗେଟ ଖୋଲିଲା।

ବୋଧ ହୁଏ ମେମ ସାହେବ ଆସିଲେ। ମୁଣ୍ଡ ଟେକି ନେତି ଅନେଇଲା। ହଁ ତ, ମେମ ସାହେବ। ଟଳି ଟଳି ଅସଂଯତ ଅବସ୍ଥାରେ ଗାଡ଼ିରୁ ଓହ୍ଲାଇଲେ।

ଏ କିଏ କେଜାଣି? କାହା କାନ୍ଧରେ ଭରା ଦେଇ ଘର ଭିତରକୁ ଗଲେ, ଏମିତି ବି ଇଏ ତ ତାଙ୍କର ନିତିଦିନିଆ କଥା।

ପେଟଟା ବିକଳରେ କେମିତି ମୋଡ଼ି ହେଇ ଯାଉଥିଲା। ସନାର ଝାପସା ମୁହଁଟା ଦିଶିଗଲା।

ଦୁଇ ବର୍ଷ ହେଲାଣି କି ଗୋଟିଏ ଅଜଣା ରୋଗରେ ଯାଇଛି ଯେ ଯାଇଛି। ତା ମଲା ଦିନଠୁ ଆଖି ଲୁହ ପୋଛୁ ପୋଛୁ ଦିନ ସରୁନି ନେତିର।

ପେଟ କଥା ବୁଝୁ ବୁଝୁ ବେଳେ ବେଳେ ସନାକୁ ବି ମନ ଭରି ସମ୍ପେ। ହାତ ଧରି ବାହାହୋଇ ଘରକୁ ଆଣିଥିଲୁ କଣ ଏମିତି ଅଧା ବୟସରେ ଏକୁଟିଆ ଛାଡ଼ି ଚାଲିଯିବୁ ବୋଲି! ଦୁଇ ଧାର ଲୁହ ଗାଲ ଉପର ଦେଇ ବୋହିଗଲା।

ଓଃ! ଏ ଭୋକ ବି ନା! ମଣିଷକୁ ଟିକେ ଶାନ୍ତିରେ ବଞ୍ଚେଇ ଦେବ ନା ମରିବାକୁ ଦେଉଛି, ଖାଲି ଯାହା ଦହଗଞ୍ଜ କରୁଛି।

ମୁହଁ ବୁଲେଇ ପୁଣି ଥରେ ଶୋଇବାକୁ ଚେଷ୍ଟା କଲା ନେତି। ଜଠର ଭୋକ ଗ୍ଲାସେ ପାଣି ପିଇ ନିସ୍ତେଜ ହୋଇ ଶୋଇଗଲା।

ସିନ୍ଦୁରା ଫାଟି ସୁରୁଜ ଉଇଁଛି। ଦୂର କେଉଁ ଏକ ଦେବାଳୟରୁ ଶଙ୍ଖ ଘଣ୍ଟଘଣ୍ଟା ଶବ୍ଦ ଭାସି ଆସୁଥିଲା।

ଏକ ରାଜମହଲ ପରି ଉଆସର ଏକ ବିରାଟ ଖାଇବା ଘରେ ଖାଇବାକୁ ବସିଛି ନେତି, ଛପନ ପ୍ରକାର ବ୍ୟଞ୍ଜନ ବଢ଼ା ହେଇଛି ତା ସାମ୍ନାରେ।

ଭୂରି ଭୋଜନ କରିସାରି ଜୋରରେ ହାକୁଟି ମାରୁଛି ନେତି ଓ ବଳକା ଖାଦ୍ୟ ଧରି ଘର ବାହାରେ ଡାକ ଛାଡ଼ିଛି ବୁଲା....ବୁଲା!

ରୀନା ରାଉତରାୟ

ଫୋ- ୯୪୩୮୨୭୨୧୫୨

Odisha Hunger Migrant Labour
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe