Advertisment

ଶ୍ରୀମନ୍ଦିରର ସବୁ ଦ୍ୱାର ଏବେ ଖୋଲାଯିବ ନାହିଁ : ଆଇନ ମନ୍ତ୍ରୀ

ଆଜି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ, ୨୦୨୦ ମାର୍ଚ୍ଚ ୨୦ତାରିଖରେ କୋଭିଡ୍ ସଂକ୍ରମଣଜନିତ କଟକଣାକୁ ଦୃଷ୍ଟିରେ ରଖି ଶ୍ରୀଜଗନ୍ନାଥ ମନ୍ଦିରରେ ୪ଗୋଟି ଦ୍ୱାରକୁ ଦର୍ଶନାର୍ଥୀଙ୍କ ପ୍ରବେଶ ନିମନ୍ତେ ବନ୍ଦ ରଖାଯାଇଥିଲା ।

undefined

Puri

Advertisment

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସବୁ ଦ୍ୱାର ଏବେ ଖୋଲାଯାଇ ପାରିବ ନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବାରୁ ଦର୍ଶନାର୍ଥୀଙ୍କ ପ୍ରବେଶ ପାଇଁ ୩ଗୋଟି ଦ୍ୱାର ଖୋଲାଯାଇ ପାରିନାହିଁ ବୋଲି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି । ଶ୍ରୀମନ୍ଦିରର ସମସ୍ତ ଦ୍ୱାର ଦର୍ଶନାର୍ଥୀଙ୍କ ପାଇଁ ଖୋଲା ରଖିବାକୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଛି ।

Advertisment

ଆଜି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ, ୨୦୨୦ ମାର୍ଚ୍ଚ ୨୦ତାରିଖରେ କୋଭିଡ୍ ସଂକ୍ରମଣଜନିତ କଟକଣାକୁ ଦୃଷ୍ଟିରେ ରଖି ଶ୍ରୀଜଗନ୍ନାଥ ମନ୍ଦିରରେ ୪ଗୋଟି ଦ୍ୱାରକୁ ଦର୍ଶନାର୍ଥୀଙ୍କ ପ୍ରବେଶ ନିମନ୍ତେ ବନ୍ଦ ରଖାଯାଇଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବାରୁ ଦର୍ଶନାର୍ଥୀଙ୍କ ପ୍ରବେଶ ପାଇଁ ୩ଟି ଦ୍ୱାର ଖୋଲାଯାଇ ପାରିନାହିଁ । ଶ୍ରୀମନ୍ଦିରକୁ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିବା ଦ୍ୱାରରେ ଦର୍ଶନାର୍ଥୀଙ୍କ ଭିଡ଼ ହ୍ରାସ କରିବା ସହିତ ଶ୍ରୀମନ୍ଦିରକୁ ପ୍ରବେଶରେ ବିଳମ୍ବ ଏଡ଼ାଇବା ଲକ୍ଷ୍ୟରେ ଦୈନିକ ପରମ୍ପରାକ୍ରମେ ଶ୍ରୀମନ୍ଦିରକୁ ଆସୁଥିବା ପୁରୀ ଲୋକଙ୍କ ପାଇଁ ପଶ୍ଚିମ ଦ୍ୱାରରେ ପ୍ରବେଶ ସୁବିଧା ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ବେଢ଼ାର ଜନସମାଗମକୁ ଦୃଷ୍ଟିରେ ରଖି ନୀତି ସମ୍ପାଦନ ପାଇଁ ସାମୟିକ ଭାବେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ଥିବା ସମୟ ବ୍ୟତୀତ ଅନ୍ୟ ସମୟରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଏବେ ଯଥାସମ୍ଭବ କମ୍ ସମୟ ଲାଗୁଛି ବୋଲି ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ।

ସେହିପରି ବିଧାୟକ ପ୍ରଶାନ୍ତ ବେହେରାଙ୍କ ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ, ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ଶ୍ରୀକ୍ଷେତ୍ର ପୁରୀଙ୍କ ନାଁରେ ରାଜ୍ୟର ୨୪ଟି ଜିଲ୍ଲାରେ ମୋଟ ୬୦ହଜାର ୪୨୬ଏକର ୯୪୩ଡିସିମିଲ୍ ଜମି ରହିଥିବା ଚିହ୍ନଟ କରାଯାଇଛି । ସେଥିରୁ ଏପର୍ଯ୍ୟନ୍ତ ୩୮ହଜାର ୬୧ଏକର ୮୯୨ ଡିସିମିଲ ପରିମିତ ଜମିର ସଂଶୋଧିତ ସ୍ୱତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ମିଳିଛି । ସେହିପରି ଅନ୍ୟ ୬ଟି ରାଜ୍ୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୩୯୫ଏକର ୨୫୨ ଡିସିମିଲ୍ ପରିମିତ ଜମି ରହିଥିବା ଚିହ୍ନଟ ହୋଇଛି । ବେଆଇନ ଭାବେ ଅବରୋଧ ହୋଇଥିବା ଶ୍ରୀଜଗନ୍ନାଥଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ଅଧିକାରୀମାନଙ୍କ ଦ୍ୱାରା ସରଜମିନ୍ ତଦନ୍ତ ଓ ଚିହ୍ନଟ କରାଯାଇ ଏହାକୁ ଉଚ୍ଛେଦ କରାଯିବା ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ର ଧାରା ୧୬କରେ ଥିବା ପ୍ରାବଧାନ ଅନୁସାରେ ମୋଟ ୯୭୪ଟି ବେଆଇନ ଜବରଦଖଲ ମାମଲା ସମ୍ପୃକ୍ତ ତହସିଲଦାରଙ୍କ ଇଜିଲାସରେ ଦାଏର କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସାରକା ସୂଚନା ଦେଛନ୍ତି ।

Advertisment
Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe