Advertisment

‘ଇନ୍ଦୁପୁର ହାଇସ୍କୁଲରେ ପଢ଼ିବା ବେଳେ ମୋ’ ଜୀବନ ଗଢ଼ି ଉଠିଥିଲା’

୧୯୩୯ ମସିହା ଫେବ୍ରୁଆରୀ ୨୭ ତାରିଖରେ ଅବିଭକ୍ତ କଟକ ଜିଲ୍ଲା ତଥା ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଗାଁଠାରେ ଜନ୍ମ ଗ୍ରହଣ କରିଥିଲେ ପ୍ରଫେସର ବୈଷ୍ଣବ ଚରଣ ସାମଲ। ସେ କହିଛନ୍ତି, ଇନ୍ଦୁପୁର ହାଇସ୍କୁଲରେ ପାଠ ପଢ଼ିବା ବେଳେ ମୋ’ ଜୀବନ ଗଢ଼ି ଉଠିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Baishnab Charan Samal

Baishnab Charan Samal

ଅଧ୍ୟାପକ ତଥା ବିଶିଷ୍ଟ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ‘ଭୂତି ଭକ୍ତି ବିଭୂତି’ ପ୍ରବନ୍ଧ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଏହି ଖବର ପାଇବା ପରେ ଖୁସି ପ୍ରକାଶ କରିଛନ୍ତି ପ୍ରଫେସର ସାମଲ୍‌। ଆଉ ପିଲା ଦିନର ସ୍ମୃତିକୁ ଗୋଟି ଗୋଟି କରି ବଖାଣିଛନ୍ତି। ସେ କହିଛନ୍ତି, ଇନ୍ଦୁପୁର ହାଇସ୍କୁଲରେ ପାଠ ପଢ଼ିବା ବେଳେ ମୋ’ ଜୀବନ ଗଢ଼ି ଉଠିଥିଲା।

Advertisment

୧୯୩୯ ମସିହା ଫେବ୍ରୁଆରୀ ୨୭ ତାରିଖରେ ଅବିଭକ୍ତ କଟକ ଜିଲ୍ଲା ଓ ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଗାଁଠାରେ ଜନ୍ମ ଗ୍ରହଣ କରିଥିଲେ ପ୍ରଫେସର ବୈଷ୍ଣବ ଚରଣ ସାମଲ। ସେ କହିଛନ୍ତି, ଇନ୍ଦୁପୁର ହାଇସ୍କୁଲରେ ପାଠ ପଢ଼ିବା ବେଳେ ମୋ’ ଜୀବନ ଗଢ଼ି ଉଠିଥିଲା। ହାଇସ୍କୁଲର ଶିକ୍ଷକମାନଙ୍କ ଆଦର୍ଶ ମୋ’ ଉପରେ ଗଭୀର ଭାବେ ପଡ଼ିଥିଲା। ଅଷ୍ଟମରେ ପଢ଼ୁଥିବା ବେଳେ ପ୍ରତି ଶନିବାର ହେଉଥିବା ଡିବେଟ୍‌ରେ ଭାଗ ନେବା ଓ କାବ୍ୟ, କବିତା ଲେଖିବା ଏବଂ ଅନୁବାଦ କରିବା ଚିନ୍ତାଧାରା ସେତେବେଳେ ଆସିଥିଲା। ମାଟ୍ରିକ୍‌ ପାସ୍‌ ପରେ ଆଉ ପଢ଼ିବା ପାଇଁ ସୁଯୋଗ ମିଳି ନଥିଲା। ତେଣୁ ପାଠ ପଢ଼ା ବନ୍ଦ କରିଦେଇଥିଲି। ପରବର୍ତ୍ତୀ ସମୟରେ ଟେଲିକମ୍‌ ବିଭାଗରେ ଚାକିରି କଲି ଓ ପାଠ ପଢ଼ିଲି। ଆଉ ନିଜ ଗୋଡ଼ରେ ଛିଡ଼ା ହୋଇଥିଲି।

ସେ କହିଛନ୍ତି, ଉପର ବର୍ଗର ମଣିଷ ଭିତରେ ଏତେ ମାତ୍ରାରେ ଈର୍ଷା, କ୍ଷୁଦ୍ରତା ଓ ସଂକୀର୍ଣ୍ଣତା ଭରି ରହିଛି, ଯାହା ଅଧ୍ୟାପକ ହେବା ପରେ ଅନୁଭବ କରିଥିଲି। ଏହା ମୋ’ ଜୀବନ ଭିତରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ତେଣୁ ମୋର ସମସ୍ତ ଲେଖାରେ ‘ମୁଁ’ ପଣିଆକୁ ବିରୋଧ ବା ସମାଲୋଚନା କରିଛି। ଆଉ ପ୍ରକୃତ ମଣିଷ ପଣିଆକୁ ଖୋଜିଛି। ଯେଉଁଠି ପ୍ରକୃତ ମଣିଷ ଅଛି, ତାକୁ ଭଲ ପାଇବା, ଏହା ହେଉଛି ମୋ ଜୀବନର ଆଦର୍ଶ। ହେଲେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଦେଖିବାକୁ ପାଇଲି, ଯେଉଁମାନେ ବଡ଼ ବଡ଼ ଲୋକ ଲେଖନ୍ତି ବା ପୁରସ୍କୃତ ହୋଇଛନ୍ତି, ସେମାନେ ଆମ ସଂସ୍କୃତିକୁ ଛାଡ଼ି ପଶ୍ଚିମ ଜଗତରେ କିଏ କ’ଣ ଲେଖିଛି, ତାକୁ କେବଳ କୋଟ୍‌ କରିବାକୁ ଲାଗିଛନ୍ତି। କିନ୍ତୁ ଦେଖିବାକୁ ଗଲେ ଆମ ଦେଶ ଏକ ବିରାଟ ଦେଶ। ଏହି ଦେଶର ଐତିହ୍ୟ, ସଂସ୍କୃତି, ପରମ୍ପରା, ବେଦ ବେଦାନ୍ତ ଭିତରେ ଅନେକ କିଛି ଭର୍ତ୍ତି ହୋଇଛି। ହେଲେ ତାହା ଉପରେ କେହି କିଛି ଲେଖୁନାହାନ୍ତି। ମୁଁ ତାହାରି ଉପରେ ଗୁରୁତ୍ୱ ଦେଇ ଲେଖିଛି। ଏହାରି ଉପରେ ଲେଖାଯାଇଛି ‘ଭୂତି ଭକ୍ତି ବିଭୂତି’ ପ୍ରବନ୍ଧ। ଦର୍ଶନ ତତ୍ତ୍ୱକୁ ଛାଡ଼ି ମଣିଷତ୍ୱ ପାଇଁ ଗୀତା ଓ ଭାଗବତରେ କ’ଣ କୁହାଯାଇଛି? ମଣିଷ କ’ଣ? ଜଗନ୍ନାଥ କ’ଣ? ରୂପ ଭିତରେ ଥିବା ଜଗନ୍ନାଥ କ’ଣ? ତାକୁ ମୁଁ ମୋ ଜୀବନ ସାରା ଖୋଜିଛି। ଏବେ ମଧ୍ୟ ଖୋଜୁଛି। ସେହି ବହିରେ ଏମିତି କିଛି କଥା ରହିଛି ବୋଲି ଶ୍ରୀ ସାମଲ କହିଛନ୍ତି।

Advertisment

ବେଦ, ଉପନିଷଦ, ଗୀତା ଓ ଭାଗବତରେ କର୍ମ ଉପରେ ଗୁରୁତ୍ୱ ଦିଆଯାଇଛି। କର୍ମରୁ ଆସେ ଜ୍ଞାନ। ଆଉ ଜ୍ଞାନରୁ ଆସେ ଭକ୍ତି। କେହି କର୍ମକୁ ଛାଡ଼ି ନାହାନ୍ତି। କିନ୍ତୁ ଏବେ ରାଜନୀତି ଭିତରେ ଦେଖିବାକୁ ପାଇଲି, କର୍ମକୁ ଛାଡ଼ି ମାଗଣାରେ ସମସ୍ତେ ମାତିଛନ୍ତି। ଯାହାକୁ ମୁଁ ବିରୋଧ କରିଛି। ମାଗଣାକୁ ପସନ୍ଦ କରେନାହିଁ। ମଣିଷକୁ କର୍ମକ୍ଷମ କରାଅ। ମାଗଣାରେ ଦେଇ ତାକୁ ଅଳସୁଆ କରିଦେଉଛ। ମାଗଣା ପାଇଲେ ମଣିଷ କାମ କରେନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି।

Cuttack Literature Kendra Sahitya Academy