ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତର ୭୭ ବର୍ଷୀୟା ଲେଖକ, ଆଇନଜୀବୀ ଓ ସାମାଜିକ କାର୍ଯ୍ୟକର୍ତ୍ତା ବାନୁ ମୁସ୍ତାକ। ସେ ତାଙ୍କର ଗଳ୍ପ ସଙ୍କଳନ ‘ହାର୍ଟ ଲ୍ୟାମ୍ପ’ ପାଇଁ ଜିତିଛନ୍ତି ସମ୍ମାନଜନକ ‘ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ ୨୦୨୫’।
ଏହା ସହିତ ଇତିହାସ ରଚିଛନ୍ତି ବାନୁ ମୁସ୍ତାକ। ପ୍ରଥମ କନ୍ନଡ ଲେଖକ ଭାବେ ସେ ଜିତିଛନ୍ତି ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ। ‘ହାର୍ଟ ଲ୍ୟାମ୍ପ’ରେ ୧୨ଟି ଗପ ଅଛି। ୧୯୯୦ରୁ ୨୦୨୩ ମଧ୍ୟରେ ଲେଖାଯାଇଛି ଏହି ଗପଗୁଡ଼ିକ। ଏଥିରେ ରହିଛି କର୍ଣ୍ଣାଟକାରେ ବସବାସ କରୁଥିବା ମୁସଲିମ ମହିଳାଙ୍କ ଦୈନନ୍ଦିନ ସଂଘର୍ଷର କଥା।
‘ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ ୨୦୨୫’ ଗ୍ରହଣ କରିବା ଅବସରରେ ବାନୁ ମୁସ୍ତାକ କହିଥିଲେ ଯେ ଏହା କେବଳ ତାଙ୍କର ବିଜୟ ନୁହେଁ। ଏହା ହେଉଛି ସେମାନଙ୍କର ମଧ୍ୟ ବିଜୟ ଯେଉଁମାନଙ୍କର ସ୍ୱରକୁ କେବେ କେହି ଶୁଣନ୍ତି ନାହିଁ।
ଦୀପାଙ୍କ ରେକର୍ଡ
‘ହାର୍ଟ ଲ୍ୟାମ୍ପ’ରେ ଥିବା ଗପଗୁଡ଼ିକୁ ବାନୁ ମୁସ୍ତାକ କନ୍ନଡ ଭାଷାରେ ଲେଖିଥିଲେ। ସେଗୁଡ଼ିକୁ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ ଦୀପା ଭଷ୍ଠୀ। ବାନୁ ମୁସ୍ତାକଙ୍କ ସହିତ ତାଙ୍କୁ ମଧ୍ୟ ‘ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ ୨୦୨୫’ ପ୍ରଦାନ କରାଯାଇଛି। ପୁରସ୍କାର ରାଶି ବାବଦକୁ ମିଳିଥିବା ୫୦ ହଜାର ପାଉଣ୍ଡ (ଭାରତୀୟ ମୁଦ୍ରାରେ ୫୭ ଲକ୍ଷ ୪୨ ହଜାର ୦୯୫ ଟଙ୍କା) ରେ ଉଭୟ ବାନୁ ମୁସ୍ତାକ ଓ ଅନୁବାଦିକା ଦୀପା ଭଷ୍ଠୀଙ୍କର ରହିଛି ସମାନ ଭାଗ।
ବାନୁ ମୁସ୍ତାକଙ୍କ ସହିତ ଦୀପା ଭଷ୍ଠୀଙ୍କ ନାଁରେ ଏକ ରେକର୍ଡ ଯୋଡ଼ି ହୋଇଯାଇଛି। ସେ ପ୍ରଥମ ଭାରତୀୟ ଅନୁବାଦକ ଭାବେ ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ ପାଇଛନ୍ତି। ୨୦୨୨ରେ ଗୀତାଞ୍ଜଳି ଶ୍ରୀ’ଙ୍କ ‘ଟମ୍ବ ଅଫ୍ ସ୍ୟାଣ୍ଡ’ ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ ପାଇଥିଲା। ଏହା ଏକ ଉପନ୍ୟାସ। ଏହାକୁ ଗୀତାଞ୍ଜଳି ଶ୍ରୀ’ ହିନ୍ଦୀରେ ଲେଖିଥିଲେ। ଏହାକୁ ଇଂରାଜୀରେ ଅନୁବାଦ କରିଥିଲେ ହିନ୍ଦୀ ଓ ଊର୍ଦ୍ଦୁରୁ ଇଂରାଜୀକୁ ଅନୁବାଦ କରୁଥିବା ଆମେରିକୀୟ ଅନୁବାଦକ ଡେଜି ରକୱେଲ।
ବାନୁ ମୁସ୍ତାକଙ୍କ ସହିତ ‘ଇଣ୍ଟରନ୍ୟାସନାଲ ବୁକର ପ୍ରାଇଜ ୨୦୨୫’ ଜିତିବା ପରେ ଦୀପା ଭଷ୍ଠୀ କହିଛନ୍ତି ଯେ ସେ ଆଶା କରୁଛନ୍ତି ଯେ ଏହା ତାଙ୍କୁ କନ୍ନଡରୁ ଇଂରାଜୀକୁ ତଥା ଇଂରାଜୀରୁ କନ୍ନଡ ଭାଷାକୁ ଆହୁରି ଅଧିକ ଅନୁବାଦ କରିବାକୁ ପ୍ରେରିତ କରିବ।
ବାନୁଙ୍କ ବିଷୟରେ କିଛି
ବାନୁ ମୁସ୍ତାକଙ୍କ ଘର କର୍ଣ୍ଣାଟକାର ହାସନରେ। ସ୍କୁଲରେ ପଢ଼ିବା ବେଳେ ସେ ଲେଖିଥିଲେ ତାଙ୍କର ପ୍ରଥମ ଗପ। ତାଙ୍କୁ ଯେତେବେଳେ ୨୬ ବର୍ଷ ହୋଇଥିଲା, ସେତେବେଳେ କନ୍ନଡ ପତ୍ରିକା ପ୍ରଜାମାତାରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ ଗପ, ଯାହା ସେତେବେଳେ ଲେଖା ଜଗତରେ ଝଡ଼ ସୃଷ୍ଟି କରିଥିଲା।

ବୁକର ପ୍ରାଇଜ ପ୍ଲାଟ୍ଫର୍ମରେ ପ୍ରଦତ୍ତ ତଥ୍ୟ ଅନୁସାରେ ବାନୁ ମୁସ୍ତାକଙ୍କର ୬ଟି ଗଳ୍ପ ସଂକଳନ ରହିଛି। ସେ ଗୋଟିଏ ଉପନ୍ୟାସ ଲେଖିଛନ୍ତି। ତା’ ସହିତ ତାଙ୍କର ଗୋଟିଏ ପ୍ରବନ୍ଧ ଓ କବିତା ସଙ୍କଳନ ମଧ୍ୟ ରହିଛି।
ବୁକର ପ୍ରାଇଜ ଫାଉଣ୍ଡେସନକୁ ଦେଇଥିବା ଏକ ସାକ୍ଷାତକାରରେ ବାନୁ ମୁସ୍ତାକ କହିଛନ୍ତି ଯେ ସତୁରୀ ଦଶକରେ ଯେତେବେଳେ ସେ ବଡ଼ ହେଉଥିଲେ ସେତେବେଳେ ଦେଖିଥିବା ଦଳିତ ଆନ୍ଦୋଳନ, କୃଷକ ଆନ୍ଦୋଳନ, ଭାଷା ଆନ୍ଦୋଳନ, ମହିଳାଙ୍କ ସଂଘର୍ଷ ଓ ପରିବେଶ ସୁରକ୍ଷାକୁ ନେଇ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରୁ ଲେଖିବା ପାଇଁ ପ୍ରେରଣା ପାଇଥିଲେ। ଶୋଷିତ ଓ ଅବହେଳିତ ବର୍ଗର ଲୋକ ତଥା ମହିଳାଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିବା ହେତୁ ସେମାନଙ୍କର ଭାବନାର ପରିପ୍ରକାଶ ତାଙ୍କୁ ଲେଖିବାକୁ ବଳ ଯୋଗାଇଥିଲା। ମୋଟାମୋଟି ଭାବେ କର୍ଣ୍ଣାଟକାର ସାମାଜିକ ସ୍ଥିତି ତାଙ୍କୁ ଗଢ଼ି ତୋଳିଥିଲା ବୋଲି କହିଛନ୍ତି ଲେଖିବା ବାନୁ ମୁସ୍ତାକ।
ସେ ଆହୁରି କହିଛନ୍ତି ଯେ ଲେଖିବା ପାଇଁ ତାଙ୍କୁ ଗଭୀର ଗବେଷଣା କରିବାକୁ ପଡ଼େ ନାହିଁ। କାରଣ ସେ ବାସ୍ତବ ଜୀବନରୁ ତାଙ୍କ କାହାଣୀଗୁଡ଼ିକୁ ବାଛି ଥାଆନ୍ତି। ଯେଉଁ ମହିଳାମାନେ ତାଙ୍କ ପାଖକୁ ସାହାଯ୍ୟ ମାଗିବାକୁ ଆସନ୍ତି, ସେମାନଙ୍କ କାହାଣୀ ତାଙ୍କୁ ଗପ ଲେଖିବାକୁ ଉତ୍ସାହିତ କରିଛି। ସେ ଧର୍ମ ଓ ଜାତିକୁ ନେଇ ହେଉଥିବା ଭେଦଭାବ ବିରୋଧରେ ଦୃଢ଼ ସ୍ୱର ଉଠାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।