Advertisment

‘ଜମ୍ବୁଲୋକ’ ପାଇଁ ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର

୨୦୧୭ ମସିହାରେ ପ୍ରକାଶିତ ‘ଜମ୍ବୁଲୋକ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ତାଙ୍କୁ ସମ୍ମାନପତ୍ର ଓ ଫଳକ ସହିତ ପାଞ୍ଚ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।

author-image
Manoranjan Sial
Sarala Puraskar

Sarala Puraskar

ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତବର୍ଷ ସୁଖ୍ୟାତ କଥାକାର ଭୀମ ପୃଷ୍ଟିଙ୍କୁ ପ୍ରଦାନ କରାଯିବ। ୨୦୧୭ ମସିହାରେ ପ୍ରକାଶିତ ‘ଜମ୍ବୁଲୋକ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ତାଙ୍କୁ ସମ୍ମାନପତ୍ର ଓ ଫଳକ ସହିତ ପାଞ୍ଚ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।

Advertisment

ଭୀମ ପୃଷ୍ଟିଙ୍କ ‘ଜମ୍ବୁଲୋକ’ ସହିତ ଚୂଡ଼ାନ୍ତ ପର୍ଯ୍ୟାୟ ବିଚାର ପ୍ରକ୍ରିୟାରେ ସାମିଲ ହୋଇଥିବା ଅନ୍ୟ ପୁସ୍ତକଗୁଡ଼ିକ ଥିଲା ବିଜୟ କୁମାର ଶତପଥୀଙ୍କ ‘ନଷ୍ଟନୀଡ଼ର ଉପକଥା’, ଅପର୍ଣ୍ଣା ମହାନ୍ତିଙ୍କ ‘ଅଗ୍ନି କମଳିନୀ’, ଅମରେଶ ପଟ୍ଟନାୟକଙ୍କ ‘ଚାହଁ ବା ନଚାହଁ’, ସରୋଜିନୀ ସାହୁଙ୍କ ‘ଦାଦନ’, ରମେଶ ପ୍ରସାଦ ପାଣଗ୍ରାହୀଙ୍କ ‘କାନୀନ’ ଓ ପ୍ରଦୀପ କୁମାର ପଣ୍ଡାଙ୍କ ‘ଯାହା ମୁଁ ଚାହୁଁ ନଥିବି’।

ପ୍ରାଥମିକ ପୁସ୍ତକ ଚୟନମଣ୍ଡଳୀରେ ସୀତେଶ ତ୍ରିପାଠୀ, ଡ. ସୁଚେତା ମିଶ୍ର, ଡ. ପରମେଶ୍ୱର ମୁଣ୍ଡ, ବୈଜୟନ୍ତୀ ମିଶ୍ର ଓ ଡ. ପ୍ରୀତିଧାରା ସାମଲ ବିଚାରକ ଥିଲା ବେଳେ ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକ ଥିଲେ ଅଧ୍ୟାପକ ବିଶ୍ୱରଞ୍ଜନ, ଡ. ମୃଣାଳ ଚାଟାର୍ଜୀ, ଡ. ପ୍ରସନ୍ନ କୁମାର ମହାନ୍ତି, ଡ. ଯଶୋଧାରା ମିଶ୍ର, ରଂଜନ କୁମାର ଦାସ, ଚିରଶ୍ରୀ ଇନ୍ଦ୍ରସିଂ ଏବଂ ଆଦିତେଶ୍ୱର ମିଶ୍ର।

Advertisment

ଏଥିସହିତ କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନାର ଉତ୍କର୍ଷ ପାଇଁ ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ମଧ୍ୟ ୨୦୨୩ ମସିହା ପାଇଁ ଘୋଷିତ ହୋଇଛି। ପଟ୍ଟଚିତ୍ରର ଅଦ୍ୱିତୀୟ ଶିଳ୍ପୀ ଗୁରୁ ବେଣୁଧର ମହାପାତ୍ର ଓ ପ୍ରସିଦ୍ଧ ବଂଶୀବାଦକ ଗୁରୁ ମୋହିନୀ ମୋହନ ପଟ୍ଟନାୟକଙ୍କୁ ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦରେ ଉଭୟଙ୍କୁ ଦୁଇଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ। ସଙ୍ଗୀତ ବିଭାଗରେ ଅରୁଣା ମହାନ୍ତି, ରତିକାନ୍ତ ମହାପାତ୍ର, ମିତାଲି ଚିନାରା ଏବଂ ଚିତ୍ରକଳା ବିଭାଗରେ ପଞ୍ଚମୀ ମାନୁ ଉକୀଲ, ବିୟତପ୍ରଜ୍ଞା ତ୍ରିପାଠୀ ଓ ରମାକାନ୍ତ ସାମନ୍ତରାୟ ବିଚାରକ ଥିଲେ ।

ବିଶିଷ୍ଟ ଶିଳ୍ପପତି ବୈଜ୍ଞାନିକ ଡ. ବଂଶୀଧର ପଣ୍ଡା ଓ ତାଙ୍କର ସହଧର୍ମିଣୀ କଳାବିଦୁଷୀ ଇଲା ପଣ୍ଡାଙ୍କର କଳାତ୍ମକ ଚେତନାର ଫଳଶ୍ରୁତି ହେଉଛି ଶାରଳା ପୁରସ୍କାର ଉତ୍ସବ। ୧୯୮୦ ମସିହାରୁ ପ୍ରଦାନ କରାଯାଉଥିବା ଶାରଳା ପୁରସ୍କାର ୪୩ ବର୍ଷ ଧରି ଏହାର ଅଭିଯାତ୍ରା ଜାରି ରଖିଛି। ପରବର୍ତ୍ତୀ ସମୟରେ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ଏହି ଗୌରବମୟ ପରମ୍ପରାରେ ସାମିଲ ହୋଇଛି। ଇମ୍ପାକ୍ଟର ଅନ୍ୟଏକ ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ରହିଛି "ଏକଲବ୍ୟ ପୁରସ୍କାର', ଯାହାକି ପ୍ରତିବର୍ଷ ଓଡ଼ିଶାର ଯୁବ କ୍ରୀଡ଼ାବିତମାନଙ୍କୁ ସେମାନଙ୍କ ଉତ୍କର୍ଷ ପାଇଁ ପ୍ରଦାନ କରାଯାଇ ଆସୁଛି।

Sarala Puraskar