Advertisment

ସରିଲା ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ‘କୋଣାର୍କ ଉତ୍ସବ’

ସନ୍ଧ୍ୟାର ପ୍ରଥମାର୍ଦ୍ଧରେ ବିଶିଷ୍ଟ ନୃତ୍ୟ ଗୁରୁ କୁମ୍‌କୁମ୍‌ ମହାନ୍ତି ଓ ଗୀତଗୋବିନ୍ଦ ଅନୁଷ୍ଠାନର ଶିଳ୍ପୀଗଣ ପାରମ୍ପାରିକ ବିଧି ଓ ସମର୍ପଣ ଭାବରେ ଓଡ଼ିଶୀ ଶୈଳୀରେ ମଞ୍ଚପୂଜା ଏବଂ ହଂସଧ୍ୱନୀ ପଲ୍ଲବୀ ଉପସ୍ଥାପନା କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Konark Festival

Konark Festival

ସରିଲା ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ କୋଣାର୍କ ଉତ୍ସବ। ଶେଷ ସନ୍ଧ୍ୟାରେ ଓଡ଼ିଶୀ ଶୈଳୀରେ ‘ବୈଦେହୀ ବିଳାଷ’ ଓ କଥକ ନୃତ୍ୟ ଶୈଳୀରେ ‘ସୂର୍ଯ୍ୟ ଉପାସନା’ ଉପସ୍ଥାପନା କରାଯାଇଥିଲା। ଏହି ଭାବ ଭକ୍ତି ଭରା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶୀତୁଆ ସନ୍ଧ୍ୟାରେ ଉପଭୋଗ କରିଥିଲେ ଶହଶହ ସଂସ୍କୃତି ପ୍ରେମୀ।

Advertisment

ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ପାଞ୍ଚଦିନ ବ୍ୟାପୀ ଆୟୋଜିତ ହୋଇଥିଲା କୋଣାର୍କ ଉତ୍ସବ। ବର୍ଣ୍ଣାଢ୍ୟ ଶେଷ ସନ୍ଧ୍ୟାରେ ଓଡ଼ିଶୀ ଓ କଥକ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ପ୍ରତିକୂଳ ପାଗ ସତ୍ତ୍ୱେ ହଜାର ହଜାର ସଂଖ୍ୟାରେ ଦେଶ ବିଦେଶର ଦର୍ଶକ ସାଂସ୍କୃତିକ ସନ୍ଧ୍ୟାକୁ ଉପଭୋଗ କରିଥିଲେ। ସନ୍ଧ୍ୟାର ପ୍ରଥମାର୍ଦ୍ଧରେ ବିଶିଷ୍ଟ ନୃତ୍ୟ ଗୁରୁ କୁମ୍‌କୁମ୍‌ ମହାନ୍ତି ଓ ଗୀତଗୋବିନ୍ଦ ଅନୁଷ୍ଠାନର ଶିଳ୍ପୀଗଣ ପାରମ୍ପାରିକ ବିଧି ଓ ସମର୍ପଣ ଭାବରେ ଓଡ଼ିଶୀ ଶୈଳୀରେ ମଞ୍ଚପୂଜା ଏବଂ ହଂସଧ୍ୱନୀ ପଲ୍ଲବୀ ଉପସ୍ଥାପନା କରିଥିଲେ। ପରେ ‘ବିଚିତ୍ର ରାମାୟଣ’ କାବ୍ୟ ଅନ୍ତର୍ଗତ ‘ବୈଦେହୀ ବିଳାଷ’ର ହେ ବନଗିରି ହେ ଲତାଗିରି... ମୋ କାନ୍ତ ଗଲେ ମୃଗ ମାରିର... ପରିବେଷଣ କରିଥିଲେ। ଯାହା ଦର୍ଶକଙ୍କୁ ଆକର୍ଷିତ କରିଥିଲା।

Konark Festivalପ୍ରଣାମ ଜଣାଉଛନ୍ତି ଓଡ଼ିଶୀ ନୃତ୍ୟ ଶିଳ୍ପୀ

ଓଡ଼ିଶୀର ଅନ୍ତିମ ପ୍ରସ୍ତୁତିରେ ଥିଲା ଅଭିନୟ ମା’ ଭାବାନୀ। ସନ୍ଧ୍ୟାର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଂଗମଞ୍ଚରେ କୋଲକାତାର ପ୍ରସିଦ୍ଧ କଥକ ନୃତ୍ୟଗୁରୁ ଲୁନା ପୋଦ୍ଦାର ଓ ପ୍ରେରଣା ଅନୁଷ୍ଠାନର ଶିଳ୍ପୀମାନେ ସୂର୍ଯ୍ୟ କଥକ ଶୈଳୀରେ ‘ସୂର୍ଯ୍ୟ ଉପାସନା’ ଉପସ୍ଥାପନା କରି ସଂନ୍ଧ୍ୟାକୁ ଭାବମୟ କରିଥିଲେ।

Advertisment
Konark Festivalକଳାକାରମାନେ ନୃତ୍ୟ ପରିବେଷଣ କରୁଛନ୍ତି

ଶେଷ ସନ୍ଧ୍ୟାରେ ଦର୍ଶକ ଗ୍ୟାଲେରୀ ଭରପୁର ଥିଲା। ବହୁସଂଖ୍ୟାରେ ବିଦେଶୀ ଦର୍ଶକ ଉପଭୋଗ କରିଥିଲେ। ଉଦ୍‌ଯାପନୀ ସଂଧ୍ୟାର ଅତିଥିମାନେ ଥିଲେ ପୂର୍ବତଟ ରେଳପଥର ମହା ପ୍ରବନ୍ଧକ ମନୋଜ ଶର୍ମା, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧକ୍ଷ ଡଃ ଲେନିନ ମହାନ୍ତି, ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶୋକ କୁମାର ତ୍ରିପାଠୀ ପ୍ରମୁଖ ଥିଲେ।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

Puri Konark