Advertisment

ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ

ମିଳିଥିବା ସୂଚନା ଅନୁସାରେ, ଶ୍ରୀମତୀ ମେହେଟ୍ଟା ଗତ ୨ବର୍ଷ ଧରି ପାରାଲେସିସ୍ ଓ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ଗତକାଲି ରାତିରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅଧିକ ଅବନତି ଦେଖା ଦେଇଥିଲା ଓ ଆଜି ତାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଛନ୍ତି ।

author-image
Ordigital Desk
ଅଦ୍ୟତନ ହୋଇଛି
Gita Mehta

Gita Mehta

ଆନ୍ତର୍ଜାତୀୟ ଲେଖିକା ତଥା ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରଯୋଜିକା ଗୀତା ମେହେଟ୍ଟାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ନୂଆଦିଲ୍ଲୀସ୍ଥିତ ବାସଭବନରେ ଆଜି ସନ୍ଧ୍ୟାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଗୀତା ମେହେଟ୍ଟା ହେଉଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ଭଉଣୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କନ୍ୟା। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ।

Advertisment

ଗୀତା ମେହେଟ୍ଟା ଗତ ୨ବର୍ଷ ଧରି ପାରାଲେସିସ୍ ଓ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଶୁକ୍ରବାର ରାତିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା। ଆଜି ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ୨୦୧୯ ମସିହାରେ ତାଙ୍କ ସ୍ୱାମୀ ତଥା ବିଶିଷ୍ଟ ଆମେରିକୀୟ ପ୍ରକାଶକ ସନ୍ନି ମେହେଟ୍ଟାଙ୍କ ପରଲୋକ ପରଠୁ ସେ ଭାରତରେ ରହୁଥିଲେ ।

୧୯୪୩ ମସିହାରେ ଦିଲ୍ଲୀରେ ଜନ୍ମିତ ଗୀତା ବ୍ରିଟେନ, ୟୁରୋପ ଓ ଆମେରିକା ନେଟୱାର୍କ ପାଇଁ ୧୪ଟି ଡକ୍ୟୁମେଂଟାରୀ ଫିଲ୍ମ ପ୍ରଯୋଜନା କରିଛନ୍ତି । ଗୀତାଙ୍କ ଲିଖିତ ବହିଗୁଡ଼ିକ ପ୍ରାୟ ୨୧ଟି ଭାଷାରେ ଟ୍ରାନ୍ସଲେଟ୍ ହୋଇଛି ଓ ୟୁରୋପ, ଆମେରିକା ଓ ଭାରତରେ ସର୍ବାଧିକ ବିକ୍ରି ହେଉଥିବା ପୁସ୍ତକ ଭାବେ ପରିଗଣିତ ହୋଇଥିଲା ।

Advertisment

ଉଲ୍ଲେଖ ଯୋଗ୍ୟ, ୧୯୬୫ ମସିହାରେ ସେ ସନ୍ନି ମେହେଟ୍ଟାଙ୍କୁ ବିବାହ କରିଥିଲେ। ୨୦୧୯ ମସିହାରେ ଗୀତା ଭାରତ ସରକାରଙ୍କ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇ ଚର୍ଚ୍ଚାରେ ରହିଥିଲେ। ତାଙ୍କର ଏକମାତ୍ର ପୁଅ ଆଦିତ୍ୟ ସିଂ ମେହେଟ୍ଟା ଅଛନ୍ତି । ଶ୍ରୀ ମେହେଟ୍ଟା ଆସନ୍ତାକାଲି ଦିଲ୍ଲୀରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ଶେଷଦର୍ଶନ ପାଇଁ ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି ।

ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଆଜି ସକାଳୁ ଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି। ସେଠାରେ ରହି ତାଙ୍କ ଶେଷକୃତ୍ୟ ଆଦିର ତଦାରଖ କରିବେ ବୋଲି ଜଣାପଡ଼ିଛି।

ଗୀତାଙ୍କ ବିୟୋଗରେ ତାଙ୍କ ଭାଇ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେପିର ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।  

Naveen Patnaik