Advertisment

ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ

ଜଣେ ଜନପ୍ରତିନିଧି, ଜଣେ ଲେଖକ ଓ ଫକୀରମୋହନ ସେନାପତିଙ୍କର ଜଣେ ପାଠକ ଭାବରେ ମୁଁ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଛନ୍ତି।

ଅଦ୍ୟତନ ହୋଇଛି
BJD

BJD

Advertisment

ସପ୍ତାହେ ଭିତରେ ଅଭିନେତା ମନୋଜ ମିଶ୍ର ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ। ନହେଲେ ଆମେ କୋର୍ଟକୁ ଯିବୁ। ବାଲେଶ୍ୱର ସମେତ ରାଜ୍ୟର ସବୁ ସ୍ଥାନରେ ପ୍ରତିବାଦ କରାଯିବ। ଆଜି ଏପରି ଚେତାବନୀ ଦେଇଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ। ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଅଭିନେତା ମନୋଜ ମିଶ୍ର।

Advertisment

ଗୌତମବୁଦ୍ଧ ଦାସ କହିଛନ୍ତି, ନିକଟରେ ଅଭିନେତା ମନୋଜ ମିଶ୍ର ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ଫକୀରମୋହନ ସେନାପତିଙ୍କ ଉପରେ ବିରୂପ ମନ୍ତବ୍ୟ ଦେଇଛନ୍ତି। ଯାହା ଆଦୌ ଗ୍ରହଣୀୟ ନୁହେଁ। ମୋତେ ଲାଗୁଛି ସେ ଫକୀରମୋହନଙ୍କୁ ପଢ଼ିନାହାନ୍ତା ବା ଜାଣିନାହାନ୍ତି। ଫକୀରମୋହନ ସେନାପତିଙ୍କ ଉପରେ ସିଏ ଯେଉଁ ମନ୍ତବ୍ୟ ଦେଉଛନ୍ତି, ତାହା ବୋଧହୁଏ ଗୁଗଲ୍‌ରେ ରିସର୍ଚ୍ଚ କରି କହିଥିବେ ବୋଲି ଶ୍ରୀ ଦାସ କହିଛନ୍ତି।

ସେ କହିଛନ୍ତି, ଫକୀରମୋହନ ସେନାପତିଙ୍କ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’ ଉପରେ ଚଳଚ୍ଚିତ୍ର ନିର୍ମାଣ ହେଉଛି। ସେହି ଫିଲ୍ମର ନାଁ ‘ରାଣ୍ଡିପୁଅ ଅନନ୍ତା’; ବିଶେଷକରି ‘ରାଣ୍ଡି’ ଶବ୍ଦକୁ ନେଇ ମନୋଜ ମିଶ୍ର ଆପତ୍ତି ଉଠାଇଛନ୍ତି। ମୁଁ ତାଙ୍କୁ କହିରଖିବାକୁ ଚାହେଁ, ରାଣ୍ଡିପୁର ଅନନ୍ତା ଶବ୍ଦଟି ଫକୀରମୋହନ ସେନାପତିଙ୍କର ନୁହେଁ। ଫକୀରମୋହନଙ୍କ ପୂର୍ବରୁ ଓଡ଼ିଆ ଲୋକ କଥାରେ ଏଇଟା ଗୋଟିଏ ବହୁ ପ୍ରଚଳିତ ଶବ୍ଦ ବା ରୁଢ଼ି ବୋଲି କୁହାଯାଏ। ରାଣ୍ଡିପୁଅ ଅନନ୍ତାର ଅର୍ଥ ହେଉଛି ଜଣେ ଚାରି ଦୌଡ଼ି କଟା ଯୁବକ। ସେହି ଚରିତ୍ରକୁ ସେ ଏମିତି ଭାବେ ଫୁଟାଇଛନ୍ତି, ଯାହା କେବଳ ଓଡ଼ିଆ ପାଠକଙ୍କ ମନକୁ ଛୁଇଁନାହିଁ, ବିଶ୍ୱ ସାହିତ୍ୟରେ ସେ ଗୋଟିଏ ଶ୍ରେଷ୍ଠ ରଚନା ବୋଲି କୁହାଯିବ। ସେଭଳି ଲେଖାକୁ ବୁଝିବା ପାଇଁ ବୋଧହୁଏ ତାଙ୍କର ସେଭଳି ଜ୍ଞାନ ନାହିଁ। ଏହାଛଡ଼ା ସେ(ମନୋଜ ମିଶ୍ର) ଆହୁରି କହିଛନ୍ତି ଫକୀରମୋହନ କୁଆଡ଼େ ଲେଖା କପି କରିଥିଲେ। ତାଙ୍କର ଏପରି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ବୋଲି ଶ୍ରୀ ଦାସ କହିଛନ୍ତି।

Advertisment

ଜଣେ ଜନପ୍ରତିନିଧି, ଜଣେ ଲେଖକ ଓ ଫକୀରମୋହନ ସେନାପତିଙ୍କର ଜଣେ ପାଠକ ଭାବରେ ମୁଁ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଛନ୍ତି। ସପ୍ତାହେ ଭିତରେ ଯଦି ସେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା ନକରନ୍ତି, ତା’ହେଲେ ଆମେ ଏହା ବିରୋଧରେ କୋର୍ଟକୁ ଯିବୁ। ସବୁସ୍ଥାନରେ ଏହାର ପ୍ରତିବାଦ କରିବୁ। ମୁଁ ମନୋଜ ମିଶ୍ରଙ୍କୁ ଅନୁରୋଧ କରିବି, ସେ ଫକୀରମୋହନ ଉପରେ ଯଥେଷ୍ଟ ପଢ଼ିକି ଆସନ୍ତୁ। ଆଉ ଏପରି ବିବାଦ ସୃଷ୍ଟି କରନ୍ତୁ ନାହିଁ। ଆଗରୁ ଚଳଚ୍ଚିତ୍ରକୁ ନେଇ ବିବାଦ କରୁଥିଲେ। ଏବେ ସାହିତ୍ୟକୁ ନେଇ ବିବାଦ ସୃଷ୍ଟି କରୁଛନ୍ତି, ଯେଉଁଥିରେ ତାଙ୍କର ଜ୍ଞାନ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି।

ସୂଚନାରୁ ପ୍ରକାଶ, ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକମାନଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଓଡ଼ିଶା ଫିଲ୍ମ ନିର୍ଦ୍ଦେଶକ ମହାସଂଘ ପକ୍ଷରୁ କଟକ ସାଇବର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ତା’ପରେ ଦିନ ମନୋଜ ମିଶ୍ର ସାମ୍ୱାଦିକ ସମ୍ମିଳନୀ କରି ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ମନଇଚ୍ଛା ବର୍ଷି ଥିଲେ। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ କହୁଥିବା ବେଳେ ମନୋଜ ମିଶ୍ର ବ୍ୟାସ୍‌କବି ଫକୀରମୋହନ ସେନାପତି ସାହିତ୍ୟ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ। ଏହାକୁ ନେଇ ସାହିତ୍ୟିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। 

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

BjD Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe