ମଠ ମନ୍ଦିର ପାଇଁ  ‘ଦେବାଳୟ ଯୋଜନା’ ଖୁବଶୀଘ୍ର : ଆଇନ ମନ୍ତ୍ରୀ

ମନ୍ଦିର ଓ ମଠର ପରିଚାଳନା ଦୃଷ୍ଟିକୋଣରୁ ଯେଉଁସବୁ ସମସ୍ୟା ଓ ସହାୟତା କଥା ଆସୁଛି ସେଦିଗରେ ଗଭୀର ଭାବେ ଚିନ୍ତା କରାଯାଉଛି ।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

  • Published: Monday, 28 October 2024
  • , Updated: 28 October 2024, 08:32 PM IST

ରାଜ୍ୟରେ ମଠ-ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ, ସୁରକ୍ଷା ଓ ପରିଚାଳନା ପାଇଁ ଖୁବଶୀଘ୍ର ମୋହନ ମାଝୀଙ୍କ ସରକାର ଏକ ନୂଆ ଯୋଜନା ଆଣିବେ । ଏହି ଯୋଜନାର ନାଁ ‘ଦେବାଳୟ ଯୋଜନା’ ରଖାଯାଇଛି । ସାଂସ୍କୃତିକ ଓ ଧାର୍ମିକ ଗୁରୁତ୍ୱ ବହନ କରୁଥିବା ମଠ-ମନ୍ଦିରର ସାମଗ୍ରିକ ବିକାଶ ଓ ସୁରକ୍ଷା ଦିଗରେ ଏହି ଯୋଜନା କାର୍ଯ୍ୟ କରିବ ।

ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଥିବା ମଠମନ୍ଦିର ଗୁଡ଼ିକର ସୁରକ୍ଷା,ରକ୍ଷଣାବେକ୍ଷଣ ଓ ପରିଚାଳନା ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି । ମନ୍ଦିର ଓ ମଠର ପରିଚାଳନା ଦୃଷ୍ଟିକୋଣରୁ ଯେଉଁସବୁ ସମସ୍ୟା ଓ ସହାୟତା କଥା ଆସୁଛି ସେଦିଗରେ ଗଭୀର ଭାବେ ଚିନ୍ତା କରାଯାଉଛି । ଯେଉଁସବୁ ଦିଗ ଦୀର୍ଘଦିନ ଧରି ଅବହେଳିତ ହୋଇ ରହିଛି ତାକୁ ଗୁରୁତ୍ୱ ଦିଆଯିବ । ମଠ-ମନ୍ଦିରଗୁଡ଼ିକୁ ଯେଭଳି ଧାର୍ମିକ କ୍ଷେତ୍ରରେ ଅଧିକ ସମ୍ମାନ ଦିଆଯାଇପାରିବ ସେନେଇ ଚର୍ଚ୍ଚା-ଆଲୋଚନା ଜାରି ରହିଛି । ସରକାର ଏବେ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରୁଛନ୍ତି ।

ପୂର୍ବ ସରକାରରେ ଅବଢ଼ା ଯୋଜନାରେ କେବଳ ମରାମତି କଥା ରହିଥିଲା । କିନ୍ତୁ ଏହି ନୂଆ ଯୋଜନାରେ ଅନେକ କଥା ରହିଛି । ନୂଆ ଯୋଜନାରେ ପ୍ରାଥମିକ ଭାବେ ମରାମତି, ରକ୍ଷଣାବେକ୍ଷଣ, ପରିଚାଳନା ଓ ଅନ୍ୟାନ୍ୟ ସମସ୍ୟା କଥା ରହିଛି । ଯାହାର ସମାଧାନ କରାଯିବ । ନିର୍ଦ୍ଦିଷ୍ଟ ରୂପରେଖ ଖୁବଶୀଗ୍ର ସ୍ପଷ୍ଟ ହେବ । ଓଡ଼ିଶାର ସଂସ୍କୃତି ଯେଉଁ ମଠମନ୍ଦିର ସହ ଜଡ଼ିତ ଅଛି ସେଗୁଡ଼ିକର ସୁରକ୍ଷା ଆମ ପ୍ରାଥମିକତା । ସେଥିପାଇଁ ଯାହା ଯାଆ ଆବଶ୍ୟକ ସରକାର ନିଶ୍ଚିତ ଭାବେ ସେକଥାକୁ ପ୍ରାଥମିକତା ଦେଇ କରିବେ । ମଠମନ୍ଦିରର ସୁରକ୍ଷା,ପରିଚାଳନା ଓ ମରାମତି ଦୃଷ୍ଟିରୁ ଯେଉଁସବୁ ସମସ୍ୟା ଥିଲା ତାକୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

Related story