Advertisment

ମୁଁ ବି ଓଡ଼ିଆ!

ତୋ ପୁର୍ବ ପୁରୁଷ ଜୟ କରିଥିଲେ ଗଙ୍ଗାଠାରୁ ଗୋଦାବରୀ, ଆଜି ଧାଉଁଚୁ ସୁରଟ ଚେନ୍ନାଇ ଇଟାଭାଟି କାମ କରି, ତତେ କି ଦଶା ପଡ଼ିଲା ହାଏ! ଯେତେଦିନ ଯାଏଁ ଚେଇଁ ଶୋଇଥିବୁ ତୋତେ ଉଠେଇବ କିଏ?

author-image
Debendra Prusty
Migrant Labourers

Migrant Labourers

ଆଶୁତୋଷ ଆଚାର୍ଯ୍ୟ

କ୍ଷେତ ମୁଣ୍ଡକୁ ପାଣି ଟୋପେ ନାହିଁ ଚାଷୀ ଦେଉଅଛି ଫାଶୀ

ବାବୁ କାହାକୁ କରିବୁ ଦୋଷୀ

ତୁ ଖାଉଥା ପଖାଳ ବାସି !

ତେଣେ, ପନ୍ଦ୍ରା ମାସରେ ବିକାଶ ଦେଖେଇ ସବୁ ତ ଗଲେଣି ଗ୍ରାସି!

କାଳିଆ ବଳିଆ ଝୁରି ଝୁରି ତୁ' ଯେ ହଳିଆ ହେଲୁଣି

ଓଡ଼ିଆ ଜାତିଟା ଶୋଇଗଲା କିବା, ମରି ତ ଗଲାଣି

ମହାନଦୀ ଯାହା ବାଲି ମୁଠେ ଖାଇ ଶୁଖିଲା ପଡ଼ିଚି

ରାଜନୀତି କାଳେ ଚଳୁ କରିଦେଲା ସବୁ ଯାକ ପାଣି!

ଖଜୁରୀ ଗଛର କି ଗୁଣ ଗାଇବି, ସବୁଠି ହଜାରେ ଖୁଣ

ମାଇକ୍ରୋଫାଇନାନ୍ସ ଋଣ ଶୁଝି ଶୁଝି ଖାଇବାକୁ ନାହିଁ ଲୁଣ

ତେଣେ ଜବାବ୍ ମାଗୁଚି ମାଟି!

ପୋଲିସ୍ ମାଡ଼ରେ ଭାଙ୍ଗୁଛି କା ହାଡ଼, ଫାଟୁଚି କାହାର ପିଠି!

ଗଛ ଖାଇଗଲେ, ମାଛ ଖାଇଗଲେ, ଖାଇଦେଲେ ଛୁଆ ଡାଲି

ନଗଡ଼ା କାନ୍ଦୁଚି ଭୋକ ଉପାସରେ, ନିଆଁରେ ଜଳେ କୁନ୍ଦୁଲି

ଆଜି ରାଇଜଟା ସାରା ଜାଲି

ମୁହଁ ନ ଖୋଲିଲେ ମୂକ ହେଇଯିବୁ, ଭାବୁଥିବୁ ବସି କାଲି!

ଓଃ ମୁଁ କଅଣ କଲି!

ଯୋଜନା ପ୍ରସବେ ମୋ-ପ୍ରଶାସନ, ରାଜା ସାଜିଛନ୍ତି ତାଣ୍ଡିଆ

ନୀଳ ଶୃଗାଳର ନୀଳ ମୁଖା ଦେଖି ଜନତା ଆମର ଭାଣ୍ଡିଆ

ଦୁର୍ନୀତିର ଚେର ଲମ୍ବିଛି କୁଆଡ଼େ ଓଡ଼ିଶାରୁ ଅଲ୍ ଇଣ୍ଡିଆ

ଗରମ ନାଗିଲେ ପେଟ ଥଣ୍ଡା କର, ପି ଅଧକଂସେ ହାଣ୍ଡିଆ!

ତୋ ପୁର୍ବ ପୁରୁଷ ଜୟ କରିଥିଲେ ଗଙ୍ଗାଠାରୁ ଗୋଦାବରୀ

ଆଜି ଧାଉଁଚୁ ସୁରଟ ଚେନ୍ନାଇ, ଇଟାଭାଟି କାମ କରି!

ତତେ କି ଦଶା ପଡ଼ିଲା ହାଏ!

ଯେତେଦିନ ଯାଏଁ ଚେଇଁ ଶୋଇଥିବୁ ତୋତେ ଉଠେଇବ କିଏ?

କିଛି ହେବ ନାହିଁ କହି କି ବାବୁରେ କାହିଁକି ଯାଉ ତୁ ଖସି

ଦୁଇଶ’ ଟଙ୍କାରେ ମୁଣ୍ଡ ବିକି ଦେଉ ପଚାରିଲେ ଦେଉ ହସି!

ବାପ କେତେ ଗଣୁଥିବୁ ତରା!

ବିଜୁ ସପନକୁ ରାତି ନାହିଁ, ଉଠ ହେଲାଣି ସକାଳ ପରା!

ଓଡ଼ିଆ ଯେବେ ଦାଦନ ଧାଏଁ ହୃଦରୁ ଝରେ ରକତ

ଆପନ୍ ମାନେ ଖୁସି ତ!

ରତ୍ନ ଭଣ୍ଡାର ହେଲାଣି ଚୋରି, ପଚାରେ ସାରା ଜଗତ

ଆପନ୍ ମାନେ ଖୁସି ତ!

ରାଇଜ ସାରା ବିକାଶ କାଳେ ଭୁବନେଶ୍ୱରରେ ସୀମୀତ

ଆପନ୍ ମାନେ ଖୁସି ତ!

ଭାଷା ସଂସ୍କୃତି ଚୁଲିକୁ ଯାଉ, ତଥାପି ଆମେ ଗର୍ବିତ!

ଆପନ୍ ମାନେ ଖୁସି ତ!

ଫୋ- ୭୯୭୮୭୩୯୮୨୦

Odisha Literature Poetry