Advertisment

କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷିତ

ଓଡ଼ିଶାର ଜଣାଶୁଣା ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀ ଓ ଯୁବ ସାହିତ୍ୟିକ ସୁବ୍ରତ କୁମାର ସେନାପତି ଯଥାକ୍ରମେ ବାଲ୍ ସାହିତ୍ୟ ଓ ଯୁବ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Rajkishore Padhi and Subrat Senapati

Rajkishore Padhi and Subrat Senapati

କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ବୈଠକରେ ଆଜି ୨୦୨୫ ବର୍ଷ ପାଇଁ ଓଡ଼ିଆ ସମେତ ୨୩ଟି ଭାଷା ପାଇଁ ଯୁବ ପୁରସ୍କାର ଓ ୨୪ଟି ଭାଷା ପାଇଁ ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି।

Advertisment

ଓଡ଼ିଆ ଭାଷାରେ ଯୁବ ପୁରସ୍କାର ପାଇବେ ସୁବ୍ରତ କୁମାର ସେନାପତି। ସେହିପରି ବାଲ୍ ସାହିତ୍ୟ ପୁରସ୍କାର ପାଇବେ ଜଣାଶୁଣା ଶିଶୁ ସାହିତ୍ୟିକ ଡ. ରାଜକିଶୋର ପାଢ଼ୀ।

ଗଳ୍ପ ସଂକଳନ ‘କଦମ୍ବବନ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୫ ପାଇବେ ସୁବ୍ରତ କୁମାର ସେନାପତି। ପୁରସ୍କାର ବାବଦକୁ ତାଙ୍କୁ ପରବର୍ତ୍ତୀ ସମୟରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ଏକ ତାମ୍ରଫଳକ ଓ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।

Advertisment

ଯୁବ ପୁରସ୍କାର ପାଇଁ ପ୍ରତ୍ୟେକ ଭାଷାରେ ତିନି ଜଣିଆ ସଦସ୍ୟ ବିଶିଷ୍ଟ ବିଚାରକ ମଣ୍ଡଳୀ ଗଠନ କରାଯାଇଥିଲା। ସେହି ବିଚାରକ ମଣ୍ଡଳୀ ଗୁଡ଼ିକର ସୁପାରିଶକ୍ରମେ ଏହି ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଆ ଭାଷା ପାଇଁ ଗଠିତ ବିଚାରକ ମଣ୍ଡଳୀରେ ବିଶିଷ୍ଟ ଲେଖିକା ଯଶୋଧାରା ମିଶ୍ର, ରବି ସ୍ୱାଇଁ ଓ ସୁଭାଷ ଶତପଥୀ ସଦସ୍ୟ ଥିଲେ।

ସୁବ୍ରତ କୁମାର ସେନାପତିଙ୍କ ଗଳ୍ପ ସଂକଳନ ‘କଦମ୍ବବନ’ରେ ୧୫ଟି ଗଳ୍ପ ରହିଛି। ‘କଦମ୍ବବନ’ ସହିତ ଏହି ଗଳ୍ପ ସଂକଳନରେ ସ୍ଥାନିତ ଅନ୍ୟ ଗପଗୁଡ଼ିକ ହେଉଛି- ଖୁଚୁରା, ବାସ୍ନା, ଦାୟାଦ, ଶୀର୍ଷସୁଖ, ସର୍ପମନସ୍କ, ଅନ୍ଧାର, ଇନ୍ଧନ, ପଲ୍ଲି ପତନ, ଦେବୀ ଦର୍ଶନ, ଗୋଟାଏ ସମତଳ: ତିନୋଟି ସମାନ୍ତର ସରଳରେଖା, ଶୀତରାତିର ଫୁଲମାନେ, ଡିସେମ୍ବରୀ ରଙ୍ଗର ଶାଢ଼ି, ନିବୁଜ କଠୋରି ଓ ମୃତ୍ୟୁର ପରିଧି ବାହାରେ। ୨୦୨୩ରେ ଏହାର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା। 

Story and Poetry Book ଗଳ୍ପ ସଂକଳନ ‘କଦମ୍ବବନ’ ଓ କବିତା ସଂକଳନ ‘କେତେ ଫୁଲ ଫୁଟିଚି’

‘କଦମ୍ବବନ’ ପୂର୍ବରୁ ତାଙ୍କର ଆଉ ଏକ ଗଳ୍ପ ସଂକଳନ ପ୍ରକାଶ ପାଇଥିଲା। ତା’ର ନାଁ ‘ନିଷିଦ୍ଧବନ’। ଏହି ଗଳ୍ପ ସଂକଳନ ପାଇଁ ସେ ପ୍ରସିଦ୍ଧି ସାଉଁଟିଥିଲେ। ସେ କଥା ନବପ୍ରତିଭା ପୁରସ୍କାର (୨୦୧୨) ସମେତ ସୃଜନଝର ଗଳ୍ପ ସମ୍ମାନ ଓ ବ୍ରହ୍ମପୁର ସାହିତ୍ୟ ପରିଷଦ ଯୁବପ୍ରତିଭା ସମ୍ମାନ ଆଦି ଅନେକ ପୁରସ୍କାର ପାଇଛନ୍ତି।

ସେହିପରି କବିତା ସଙ୍କଳନ ‘କେତେ ଫୁଲ ଫୁଟିଚି’ ପାଇଁ ଶିଶୁ ସାହିତ୍ୟିକ ଡକ୍ଟର ରାଜକିଶୋର ପାଢ଼ୀ ବାଲ୍‌ ସାହିତ୍ୟ ପୁରସ୍କାର ପାଇବେ। ପୁରସ୍କାର ବାବଦକୁ ତାଙ୍କୁ ଏକ ତାମ୍ରଫଳକ ଓ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ ହେବାକୁ ଥିବା ଏକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ। ‘କେତେ ଫୁଲ ଫୁଟିଚି’ର ପ୍ରଥମ ସଂସ୍କରଣ ୨୦୨୩ରେ ପ୍ରକାଶିତ ହୋଇଥିଲା। 

ଯୁବ ପୁରସ୍କାର ଭଳି ବାଲ୍ ପୁରସ୍କାର ପାଇଁ ପ୍ରତି ଭାଷାରେ ତିନି ଜଣିଆ ସଦସ୍ୟ ବିଶିଷ୍ଟ ବିଚାରକମଣ୍ଡଳୀ ଗଠନ କରାଯାଇଥିଲା। ଓଡ଼ିଆ ଭାଷା ପାଇଁ ଗଠିତ ବିଚାରକମଣ୍ଡଳୀରେ ନୀଳାଦ୍ରିଭୂଷଣ ହରିଚନ୍ଦନ, ଡ. ଶକୁନ୍ତଳା ବଳିୟାରସିଂହ ଓ ଡ. ରାମଚନ୍ଦ୍ର ନାୟକ ରହିଥିଲେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଡୋଗରୀ ଭାଷା ପାଇଁ କାହାକୁ ଯୁବ ପୁରସ୍କାର ଦେବାକୁ ମନୋନୀତ କରାଯାଇନାହିଁ।

Kendra Sahitya Academy