କୃଷି ପ୍ରଯୁକ୍ତିର ଆଦ୍ୟ ଉଦ୍ୟକ୍ତା ତଥା ଏହି ସଂସ୍କୃତିର ଦେବତା ବଳଦେବଙ୍କ ଚିରନ୍ତନତା ରହିଛି ଓ ରହିବ। କୃଷିକର୍ମ ବିନା ଖାଦ୍ୟାନ୍ନ ଉତ୍ପାଦନ ଅସମ୍ଭବ ଓ ଖାଦ୍ୟ ବିନା ପ୍ରାଣୀ ଜଗତର ପରିପୋଷଣୀୟତା ଅକଳ୍ପନୀୟ। ଭୂତ ଜଗତ ଅନ୍ନରୁ ସୃଷ୍ଟି। ଏଣୁ ବଳଭଦ୍ର ହେଉଛନ୍ତି ବିଶ୍ୱ ଦେବତା ଓ ପ୍ରାଣୀ ଜଗତର ତତ୍ତ୍ୱାବଧାରକ। ଭୁବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ ନିଖିଳ ଉତ୍କଳ ପାଟରା ସମିତି ପକ୍ଷରୁ ଆୟୋଜିତ ଗହ୍ମା ପର୍ବ ଅବସରରେ ବକ୍ତାମାନେ ପାଟରାକୂଳର ଇଷ୍ଟ ଦେବତା ବାସ୍ତବରେ ବିଶ୍ୱର ଦେବତା ବୋଲି ମତ ପ୍ରଦାନ କରିଛନ୍ତି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର ଖାଦ୍ୟ ଓ ସାଧାରଣ ବଣ୍ଟନ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜାତିର ସଂସ୍କାର ସହିତ ଧର୍ମ ଓ ରାଷ୍ଟ୍ରର ସୁରକ୍ଷାରେ ସମସ୍ତେ ବ୍ରତୀ ହେବା ଉଚିତ ବୋଲି ମତ ପ୍ରଦାନ କରିଥିଲେ।
ରାଷ୍ଟ୍ର ଓ ଧର୍ମକୁ ଭଲ ପାଇଲେ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସୁରକ୍ଷା ହୋଇପାରିବ। ଭାରତର ବିଭିନ୍ନ ଜାତି ମଧ୍ୟରେ ସଂପର୍କ ଓ ସଦଭାବ ରହିବା ଜରୁରୀ। ତଥାପି ଭିନ୍ନ ଭିନ୍ନ ଜାତି ସେମାନଙ୍କର କୁଳ ଚଳଣି ଓ ପରମ୍ପରା ବଜାୟ ରଖିବା ଦରକାର। ତଦ୍ୱାରା ଭାରତର ବିବିଧତା ବଜାୟ ରହିବ। ଏହି ବିବିଧ ସଂସ୍କୃତି ରାଷ୍ଟ୍ର ଓ ଧର୍ମ ପ୍ରତି ଅଙ୍ଗୀକାରବଦ୍ଧତା ଜରିଆରେ ଏକତା ରଜ୍ଜୁରେ ଗୁନ୍ଥି ହୋଇ ଭାରତାମାଳାରେ ପରିଣତ ହେବ ବୋଲି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମତବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ପ୍ରାଚୀନ ଓଡ଼ିଶାରୁ ଆରମ୍ଭ କରି ଆଧୁନିକ ଓଡ଼ିଶା ଗଠନରେ ପାଟରା ଜାତିର ଉଲ୍ଲେଖନୀୟ ଅବଦାନ ରହିଛି। ପାଟରା ଜାତିର ବିକାଶ ଓ ସଶକ୍ତିକରଣ ଦିଗରେ ସେ ଉଦ୍ୟମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ରାଜଧାନୀରେ ଏକ ପାଟରା ନିବାସ ପ୍ରତିଷ୍ଠା କରିବାରେ ସେ ସହଯୋଗ କରିବେ ବୋଲି ଘୋଷଣା କରିବାବେଳେ ବୁଦ୍ଧ ମନ୍ଦିର ସଭାଗୃହ କରତାଳିରେ ପ୍ରକମ୍ପିତ ହୋଇଉଠିଥିଲା। ପୂର୍ବତନ ବିରୋଧୀ ଦଳ ନେତା ସଚ୍ଚିଦାନନ୍ଦ ଦଲାଲ ଓ ଯୁବ ନେତା ଆଶିଷ ସାହୁ ମଧ୍ୟ ପର୍ବରେ ଉପସ୍ଥିତ ରହି ପାଟରା ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଥିଲେ। ଜାତିର ବିକାଶ ପାଇଁ ଯୋଜନାବଦ୍ଧ ଭାବରେ କାର୍ଯ୍ୟ କରିବାକୁ ସେମାନେ ପରାମର୍ଶ ଦେଇଥିଲେ।
ଏହି ପର୍ବରେ ପୌରୋହିତ୍ୟ କରିଥିଲେ ନିଖିଳ ଉତ୍କଳ ପାଟରା ସମିତିର ସଭାପତି ଡାକ୍ତର ରୁଦ୍ର ନାରାୟଣ ପୃଷ୍ଟି। ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ ସଂଜୟ ପାତ୍ର, ଉପସଭାପତି ରବି ନାରାୟଣ ସେନାପତି, ମନୋଜ ସାହୁ, ଆଲୋକ ସାହୁ, ଦିବାକର ପାତ୍ର, ମୁନୀବ ଶ୍ୟାମସୁନ୍ଦର ଚୌଧୁରୀ, ଅଜୟ ଚୌଧୁରୀ, ଉପଦେଷ୍ଟା ଦୀନବନ୍ଧୁ ସାହୁ, ପର୍ବର ସଂଯୋଜକ ଦେବେନ୍ଦ୍ର ପୃଷ୍ଟି, ଆୟୋଜକ ଆନନ୍ଦ ସାହୁ ଓ ଗୋଲକ ସାହୁ ପ୍ରମୁଖ ପାଟରା ଜାତିର ଇଷ୍ଟ ବଳଦେବଙ୍କ ମହିମା ତଥା ଜାତିର ସଂସ୍କାର ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଜୟଦେବଙ୍କ ଗୀତଗୋବିନ୍ଦ ଅନୁସାରେ ବଳରାମ ହେଉଛନ୍ତି ଭଗବାନଙ୍କ ଦଶାବତାର ମଧ୍ୟରେ ଅଷ୍ଟମ ଅବତାର। ସେ ହେଉଛନ୍ତି ହଳଧର। ହଳ କୃଷି ସଂସ୍କୃତିର ପ୍ରତୀକ। ସେ ହେଉଛନ୍ତି ରୋହିଣୀ ପୁତ୍ର। ରୋହିଣୀ ହେଲେ ଗୋମାତା। ତେଣୁ କୃଷି ଗୋପାଳନ ଜରିଆରେ ବିଶ୍ୱର ଖାଦ୍ୟ ସଂକଟ ଦୂର କରିବା ସହିତ ପ୍ରାଣୀ ଜଗତର ଚିରନ୍ତନ ସୃଷ୍ଟିର ଧାରାକୁ ଅବ୍ୟାହତ ରଖାଯାଇ ପାରିବ। ବଳଦେବ ହେଉଛନ୍ତି ବଳବାନ ପୁଣି ଭଦ୍ର। ତାଙ୍କର ଅନୁଗାମୀମାନେ ଯେତେ ଶକ୍ତିଶାଳୀ ବା ବିତ୍ତଶାଳୀ ହେଲେ ବି ଭଦ୍ର ଆଚରଣ ପ୍ରଦର୍ଶନ କରିବା ଉଚିତ ବୋଲି ବକ୍ତାମାନେ ମତ ଦେଇଥିଲେ। ଓଡ଼ିଶାର ବାଣିଜ୍ୟ ସଂସ୍କୃତି, ବୌଦ୍ଧ ଧର୍ମ ପ୍ରବର୍ତ୍ତନ ଏବଂ ଦରିଆପାରି ନୌବାଣିଜ୍ୟ ସହିତ ପାଟରା ଜାତିର ରହିଥିବା ସଂପର୍କ ଉପରେ ଗବେଷଣା କରିବାକୁ ମଧ୍ୟ ବକ୍ତାମାନେ ପ୍ରସ୍ତାବ ରଖିଥିଲେ।
ପର୍ବ ଆରମ୍ଭରେ ଗହ୍ମା ପର୍ବ ବିଧି ମୁତାବକ ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜା, ପ୍ରାର୍ଥନା, ନୈବେଦ୍ୟ, ଆଳତୀ ଆଦି ନିବେଦନ କରିଥିଲେ ପୂଜକ ପ୍ରକାଶ ସାହୁ, ପ୍ରୋଜେକ୍ଟର ମାଧ୍ୟମରେ ବଳଭଦ୍ରଙ୍କ ମହିମା ପାଠ ଓ ପ୍ରଦର୍ଶନ କରିଥିଲେ ମୋନାଲିସା ସାହୁ, ଜଗନ୍ନାଥ ଅଷ୍ଟକ ଗାନ କରିଥିଲେ ପ୍ରଜ୍ଜ୍ଷଳିତ ସାହୁ ଓ ମୀରାମ୍ବିକା ସାହୁ। ଶେଷରେ ଜଗନ୍ନାଥ ଭଜନ ଉପରେ ନୃତ୍ୟାଭିନୟ ପ୍ରଦର୍ଶନ କରିଥିଲେ କୁମାରୀ ସାଇଶ୍ରୀ ବେହେରା ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ କୁମାରୀ ପଦ୍ମାଳୟା ପୃଷ୍ଟି। ପର୍ବରେ ପରମ୍ପରା ଅନୁଯାୟୀ ବଡ଼ଭୋଗରେ ପିଠା ଓ ଶାଗଭାତରେ ବିଭିନ୍ନ ବ୍ୟଞ୍ଜନ ନିବେଦିତ ହୋଇଥିଲା।