Advertisment

ଜଗା ସହ ମନମାନି, ଶ୍ରୀମୁଖ ଶୃଙ୍ଗାର ନିଷ୍ପତ୍ତି ପୁଣି ଝୁଲାଇଦେଲେ

ମହାପ୍ରଭୁଙ୍କ ଶ୍ରୀମୁଖରେ ବିଘ୍ନ ଜଳଜଳ ଦେଖାଗଲାଣି। ଏହା ରାଜା, ପ୍ରଜାଙ୍କ ନିମନ୍ତେ ଅମଙ୍ଗଳକାରକ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

ଅଦ୍ୟତନ ହୋଇଛି
Lord Jagannath

Lord Jagannath

Advertisment

ଜଗା ସହ ମନମାନି। ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନିଷ୍ପତ୍ତି ପୁଣି ଝୁଲାଇଦେଲେ। ମନ ହେଲେ ଜଗାର ସେବା କରିବେ, ନହେଲେ ନାହିଁ। ସରକାର, ଶ୍ରୀମନ୍ଦିର ପ୍ରଶାସନ, ସେବକ ନିଜ ମନ ମୁତାବକ ଜଗାର ସେବାପୂଜା କରିବା ଜିଦ୍‌ରେ ଅଡି ବସିଛନ୍ତି। ଫଳରେ ମହାପ୍ରଭୁଙ୍କ ଶ୍ରୀମୁଖରେ ବିଘ୍ନ ଜଳଜଳ ଦେଖାଗଲାଣି। ଏହା ରାଜା, ପ୍ରଜାଙ୍କ ନିମନ୍ତେ ଅମଙ୍ଗଳକାରକ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି କରିବାକୁ ନିମନ୍ତେ ଆଜି ବସିଥିବା ନୀତି ସବ୍‌କମିଟିରେ ମଧ୍ୟ କୌଣସି ଫଇସଲା ହୋଇପାରିନି। ଦତ୍ତ ସେବାୟତ ସେବା ନକଲେ ବିକଳ୍ପ ବାଟ କରିବ ବୋଲି ଚେତାବନୀ ଦେଇଥିବା ଶ୍ରୀମନ୍ଦିର ପ୍ରଶାସନ ଆଜି ପଛଘୁଞ୍ଚା ଦେଇଛି। ଆସନ୍ତା ୧ ତାରିଖରେ ପରିଚାଳନା କମିଟି ବୈଠକ ଶେଷ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଆଜି ସବ୍‌କମିଟି ବୈଠକ ପରେ କହିଛନ୍ତି।

Advertisment

ଶ୍ରୀ ଦାସ କହିଛନ୍ତି, ଖୁବ୍‌ଶୀଘ୍ର ବିବାଦ ସମାଧାନ ହେବ ଓ ମହାପ୍ରଭୁଙ୍କ ଶ୍ରୀମୁଖ ଶୋଭାବନ୍ତ ହୋଇ ସମସ୍ତଙ୍କ ସମ୍ମୁଖକୁ ଆସିବ ବୋଲି ପ୍ରଶାସନ ଆଶାବାଦୀ। ସବ୍‌କମିଟି ବୈଠକରେ ସେବାୟତ ନିଯୋଗ ପକ୍ଷରୁ ଏବାଦଦରେ ଭିନ୍ନଭିନ୍ନ ମତ ଆସିଛି। ଏହି ମତାମତକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉପସ୍ଥାପିତ କରାଯିବ। ତେବେ ସତ୍ତ୍ୱଲିପି ଓ ଶାସ୍ତ୍ରରେ ଥିବା ମତକୁ ସେବାୟତଙ୍କୁ ବୁଝାଇ ଦିଆଯାଇଛି। ଯେଉଁମାନେ ଠାକୁରଙ୍କ ସେବାପୂଜାର ସଯୋଗ ପାଇଛନ୍ତି, ତାହାର ଦୁରୁପଯୋଗ ନ କରି ପ୍ରଶାସନକୁ ସହଯୋଗ କରନ୍ତୁ। ପ୍ରଶାସନ ଏବେ ମଧ୍ୟ ବୁଧବାର ବନକଲାଗି କରିବା ସପକ୍ଷରେ ମତ ବାଢ଼ିଛି। ଶାସ୍ତ୍ରର ମତ ମଧ୍ୟ ବୁଧବାର କରାଯିବାକୁ କୁହାଯାଇଛି। ଏହି ଦିନ ବିଶେଷ ନୀତି ଥିଲେ ଗୁରୁବାର କରାଯାଇପାରେ। ମାତ୍ର କେଉଁଦିନ ବନକଲାଗି କରାଯିବ ତାହା ପ୍ରଶାସନ ସ୍ଥିର କରିବ। ଏହା ରାସ୍ତାଘାଟରେ ସ୍ଥିର ହେବନି। ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ପରେ ଏହାକୁ ପ୍ରଶାସନ କାର୍ଯ୍ୟାକାରୀ କରିବ। ଏହି ସେବା ଯିଏ ନ କରିବ ତାହାର ବିକଳ୍ପ ରହିଛି। ମାତ୍ର ପ୍ରଶାସନ ଏପର୍ଯ୍ୟନ୍ତ ବିକଳ୍ପ ବାଟକୁ ଆପଣାଇ ନାହିଁ। ବିକଳ୍ପ ବାଟ ଖୋଲା ଅଛି। ତେଣୁ ସମ୍ପୃକ୍ତ ସେବାୟତ ପ୍ରଶାସନକୁ ସହଯୋଗ କରନ୍ତୁ, ନଚେତ୍ ଏହି ବିକଳ୍ପ ବାଟ କରାଯିବ।

ସେପଟେ ଆସନ୍ତ ବୁଧବାର ନକ୍ଷେତ୍ର ବନ୍ଦାପନା ନୀତି ରହିଥିବାରୁ ଏହିଦିନ ବନକଲାଗି ନିମନ୍ତେ ସମୟ ବାହାର କରିବା କଷ୍ଟକର ହେବ ବୋଲି ସୂଚନା ମିଳିଛି। ତେଣୁ ସେବାୟତ ଓ ପ୍ରଶାସନର ମନମାନି ଚାଲିଥିବାରୁ ଜଗା ବନକଲାଗି ନିମନ୍ତେ ଅପେକ୍ଷା କରି ବସିଛି। କୋଟି ଓଡ଼ିଆଙ୍କ ମଉଡ଼ମଣୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସେବାପୂଜା ଏଭଳି ଅବେହେଳା ଭକ୍ତଙ୍କ ମହଲରେ ଘୋର ଅସନ୍ତୋଷ ସୃଷ୍ଟି କରିଛି।

Advertisment

ବନକଲାଗି ନୀତି ବିବାଦ ନେଇ ସବ୍ କମିଟି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଦତ୍ତ ମହାପାତ୍ର ନିଯୋଗ ସଂପାଦକ ମଦନମୋହନ ଦତ୍ତ । ସେ କହିଛନ୍ତି,  ଆସନ୍ତା ବୁଧବାର ବନକଲାଗି କରିବାକୁ ଦତ୍ତମହାପାତ୍ର ନିଯୋଗ ରାଜି। ଯଦି ପରିଚାଳନା କମିଟି କହିବେ ବୁଧବାର ନୀତି କରିବାକୁ ଆମେ ପ୍ରସ୍ତୁତ ଅଛୁ । ଶ୍ରୀଜିଉଙ୍କ ନୀତିରେ ଆଉ କୌଣସି ବିଳମ୍ବ କରିବାକୁ ଆମେ ଚାହୁଁନୁ। କିନ୍ତୁ କେବଳ ବୁଧବାର ନକରି ଗୁରୁବାର ମଧ୍ୟ ନୀତି ହେବା ଦରକାର। ଏହାଦ୍ୱାରା ବିକଳ୍ପ ବାଟ ସବୁବେଳେ ଖୋଲା ରହିବ। ବନକଲାଗି ମଧ୍ୟ ୨ ଘଣ୍ଟାରେ ନିଯୋଗ ସାରିପାରିବ। ମାତ୍ର ନିର୍ଦ୍ଧାରିତ ମାସିକ ଅବଧି ଠାରୁ ବିଳମ୍ୱରେ ବନକଲାଗି କରାଗଲେ, ଏଥିନିମନ୍ତେ ଅଧିକ ସମୟ ଲାଗିଥାଏ। ଆମେ ବିଶୃଙ୍ଖଳିତ ନୁହେଁ, ତେଣୁ ଆମ ଉପରେ ପ୍ରଶାସନ କି ପଦକ୍ଷେପ ନେବ। ବିବାଦ ନେଇ ମୁଖ୍ୟପ୍ରଶାସକ ନିଯୋଗ ସହ ୱାନ ଟୁ ୱାନ୍ ଆଲୋଚନା କରିବାକୁ ଚାହୁଁଛି  ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସେପଟେ ଏଭଳି ଅବ୍ୟବସ୍ଥା ସତ୍ତ୍ୱେ ରାଜ୍ୟ ସରକାର ଚୁପ୍‌ ବସିଥିବାରୁ ଦୃଢ଼ ନିନ୍ଦା କରିଛି ବିରୋଧୀ ଦଳମାନେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ମହାପ୍ରଭୁଙ୍କ ନୀତିରେ ରାଜନୀତି ପଶିବା ଉଚିତ୍ ନୁହେଁ। ସରକାର ତୁରନ୍ତ ଜିଦରୁ ଓହରି ନୀତିକାନ୍ତି ଠିକଠାକ କରିବା ଉପରେ ଗୁରୁତ୍ୱ ଦେବା ଉଚିତ। ଏହା ସହ ପ୍ରଶାସନକୁ ଶାସକ ଦଳ ଠିକ୍ ମାର୍ଗ ଦେଖାଇବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ସାମଲ।

କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି, ଦତ୍ତ ମହାପାତ୍ର ସେବା କରିବାକୁ ଚାହୁଛନ୍ତି। ହେଲେ ପ୍ରଶାସନ ସହଯୋଗ କରୁନି।

ବିଜେଡ଼ି ବିଧାୟକ ଧ୍ରୁବ ସାହୁ ବିରୋଧୀଙ୍କ ଆରୋପକୁ ବିରୋଧ କରି କହିଛନ୍ତି, ସବୁ ସମସ୍ୟାର ସମାଧାନ ଖୁବ୍ ଶୀଘ୍ର ହେବ। ଏଥିପାଇଁ ସରକାର ଯତ୍ନବାନ ଅଛନ୍ତି।

Puri Shreemandir Puri Lord Jagannath Jagannath Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe