Advertisment

ମହାପ୍ରଭୁଙ୍କ ନୀତିକାନ୍ତିରେ ଅହେତୁକ ବିଳମ୍ବ, ୪ ଘଣ୍ଟା ବିଳମ୍ବ ହେଲା ମଙ୍ଗଳ ଆଳତି

ବ୍ରାହ୍ମ ମୁହୂର୍ତ୍ତରେ ହେବାକୁ ଥିବା ମଙ୍ଗଳଆଳତି ନୀତି ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ମଧ୍ୟ ସମାପନ ହୋଇ ପାରିନି। ଫଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Puri Temple

Puri Temple

ସେବକଙ୍କ ମଧ୍ୟରେ ବିବାଦରୁ ମହାପ୍ରଭୁଙ୍କ ନୀତିକାନ୍ତିରେ ଘଟିଛି ଅହେତୁକ ବିଳମ୍ବ। ଗତକାଲି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବାର ପରମ୍ପରା ରହିଥିଲା। ମାତ୍ର ଏଥିରେ ବ୍ୟତିକ୍ରମ ଘଟିଛି। ମହାପ୍ରଭୁଙ୍କ ନୀତି ବିଳମ୍ବ ଯୋଗୁଁ ଆଜି ସକାଳ ୬ଟାରେ ହେବାକୁ ଥିବା ମଙ୍ଗଳ ଆଳତି ୧୦ଟାରେ  ସମ୍ପନ୍ନ ହୋଇଛି।। ସେବକଙ୍କ ମଧ୍ୟରେ ବିବାଦରୁ ନୀତି ବିଳମ୍ବ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି।

Advertisment

ଗତକାଲି ପବିତ୍ର ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା। ଏହି ବିବାହ ମହୋତ୍ସବ ନିମନ୍ତେ ମା’ ଲକ୍ଷ୍ମୀ ଠାକୁରାଣୀ ଦେବୀ ରୁକ୍ମିଣୀ ସାଜିଥାନ୍ତେ । ଶ୍ରୀମଦନମୋହନ ସାଜିଥାନ୍ତେ ଶ୍ରୀକୃଷ୍ଣ। ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ ବିବାହ ନୀତି ସମ୍ପନ୍ନ ହୋଇଥାନ୍ତା। 

ମାତ୍ର  ଗତକାଲି ବିଳମ୍ବିତ ହୋଇଥିଲା ଦିଅଁ ବିବାହ ନୀତି। ରୁକ୍ମଣୀ ହରଣ ଏକାଦଶୀର ବିବାହ ନୀତି ଦ୍ୱାଦଶୀରେ ସମ୍ପନ୍ନ ହେଲା। ଆଜି ସକାଳ ସମୟରେ ବିବାହ ନୀତି ଆରମ୍ଭ ହେଲା। ବିବାହ ହୋମ, ପଞ୍ଚୁଗ୍ରାସୀ, ଭୋଗ ନୀତି ପରେ ମଙ୍ଗଳ ଆଳତି ହେଲା। ସିଂହାରୀ ଓ ପୂଜାପଣ୍ଡାଙ୍କ ଭିତରେ ବିବାହ ନୀତିରେ ବସିବାକୁ ନେଇ ବିବାଦ ହୋଇଥିଲା। 

Advertisment

ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ବିବାଦକୁ ତୁଟାଇ ନୀତିକୁ ବଢାଇବାକୁ ଆନ୍ତରିକତା ପ୍ରକାଶ କରି ନ ଥିଲେ। ଫଳରେ ସମନ୍ୱୟର ଅଭାବ ଯୋଗୁଁ ନୀତି ବିଳମ୍ବ ହୋଇଥିବା ଅଭିଯୋଗ କରିଛନ୍ତି ସେବାୟତ ଓ ଭକ୍ତ। ଛତିଶା ନିଯୋଗରେ ନୀତି ନିର୍ଘଣ୍ଟ ଅନୁସାରେ ନୀତି ନହେବାର କାରଣ ତଦନ୍ତ ହେବା ଆବଶ୍ୟକ ବୋଲି ବରିଷ୍ଠ ସେବାୟତଙ୍କ ଦାବି କରିଛନ୍ତି।

ସେପଟେ ରଥଯାତ୍ରା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହି ସ୍ୱତନ୍ତ୍ର ପରିଚାଳନା କମିଟି ବୈଠକରେ ୧୯୭୧ ମସିହାରେ କିଭଳି ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା ଏବଂ ଚଳିତବର୍ଷ କିଭଳି ନୀତି ସମ୍ପନ୍ନ ହେଲେ ରଥଯାତ୍ରା ଦିନ ରଥଟଣା ଯାଇପାରିବ, ସେହି ପ୍ରସଙ୍ଗରେ ଆଲୋଚନା ହେବ। ତେବେ ଶ୍ରୀମନ୍ଦିରରେ ଦେଖାଦେଇଥିବା ବିଭ୍ରାଟ ସମ୍ପର୍କରେ କିଛି ଆଲୋଚନା ହେବ ବି ନାହିଁ ସେ ନେଇ କିଛି ସଠିକ୍‌ ସୂଚନା ମିଳି ପାରିନି।

ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟର ଅଭାବରୁ ଏପରି ସାଂଘାତିକ ତ୍ରୁଟି ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳୁଛି। ଏଡାର ପ୍ରଭାବ ଦେବସ୍ନାନ ପୂର୍ଣ୍ଣିମା ଉପରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି। 

Puri Shreemandir