Puri
ଶ୍ରୀମନ୍ଦିରେ ପୁଣି ବଡ଼ ଧରଣର ନୀତି ବିଭ୍ରାଟ। ସେବାନିବୃତ ସେବକ ଶଙ୍ଖମିତ୍ର ସିଂହାରୀଙ୍କ ଜିଦ ପାଇଁ ୯ ଘଣ୍ଟା ଖାଡ଼ା ଉପାସ ରହିଲେ ଚତୁର୍ଦ୍ଧାମୂରତୀ। ଶ୍ରୀମନ୍ଦିର କମାଣ୍ଡର ସବୁ କାଣ୍ଡ କାରଖାନା ଦେଖୁଥିଲେ। ହେଲେ କେହି ଜଣେ ବି ପାଳିଆ ସେବାୟତ ମୁହଁ ଖୋଲୁନଥିଲେ। ତେଣୁ ୭ ଘଣ୍ଟା ନୀତି ବନ୍ଦ ସାଙ୍ଗକୁ ଦୁଇ ଦୁଇ ଥର ମହାସ୍ନାନ ସାରି ମହାପ୍ରଭୁ ସକାଳ ଜଳଖିଆ ଗୋପାଳ ବଲ୍ଳଭ ଖାଇଲାବେଳକୁ ସନ୍ଧ୍ୟା ୫ ବାଜିଗଲା। ତେବେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଥିବା ଆଜିର ଘଟଣା ପଛର କାରଣ କଣ?
ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ସୂଚନା ଅନୁସାରେ, ସକାଳ ୬ଟା ୫୫ ମିନିଟରେ ମଙ୍ଗଳ ଆଳତୀ ସରିବା ପରେ ସୃଷ୍ଟି ହୋଇଥିଲା ବିବାଦ। ଅନ୍ୟ ଜାତିରେ ବିବାହ କରିଥିବାରୁ ୫ ବର୍ଷ ତଳୁ ନିଜ ନିଯୋଗ ଦ୍ୱାରା ସେବାନିବୃତ ହୋଇଥିବା ସିଂହାରୀ ସେବକ ଶଙ୍ଖମିତ୍ର ସିଂହାରୀ ଆଜି ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳ ଆଳତୀ କରିଥିଲେ। ଯାହାକୁ ବିରୋଧ କରି ଅନ୍ୟ ପାଳିଆ ସେବକମାନେ ଆଉ ନୀତି ଆଗକୁ ନେଇନଥିଲେ।
ବିବାଦ ବଢ଼ିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା। ଏହା ତୁଟିବାବେଳକୁ ଦିନ ଦୁଇଟା ବାଜି ଯାଇଥିଲା। ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଥିଲେ, ଏଭଳି ଘଟଣାର ତଦନ୍ତ ହେବ। ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଜଣେ ସେବାନିବୃତ୍ତ ସେବକ ରତ୍ନସିଂହାସନ ଉପରକୁ ଉଠିଲେ କେମିତି ? ଅନ୍ୟ ସେବକ ଓ ଶ୍ରୀମନ୍ଦିର କମାଣ୍ଡର ସେତେବେଳେ ତାଙ୍କୁ କାହିଁକି ଅଟକାଇଲେନି? ଏସବୁ ପ୍ରଶ୍ନ ନେଇ କିନ୍ତୁ ମୁଖ୍ୟ ଶ୍ରୀମନ୍ଦିର ପ୍ରଶାସକଙ୍କ ଉତ୍ତର ଆଦୌ ସନ୍ତୋଷଜନକ ନଥିଲା।
ଗୋଟିଏ ପଟେ ଆଜି ସପ୍ତପୁରୀ ଅମାବାସ୍ୟ। ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସାଙ୍ଗକୁ ନାରାୟଣଙ୍କ ସାଗର ବିଜେ ନୀତି ହୋଇଥାଏ। ହଜାର ହଜାର ଶ୍ରଦ୍ଧାଳୁ ମଧ୍ୟ ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛନ୍ତି। ହେଲେ ଘୋର ନୀତି ବିଭ୍ରାଟ ସହ ଠାକୁରମାନେ ଖାଡ଼ା ଉପାସ ରହିବା କଥା ଶୁଣି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ଭକ୍ତ। ତା’ସହ ଠିକ ସମୟରେ ଆନନ୍ଦ ବଜାରରେ ମହାପ୍ରସାଦ ନପାଇ ନିରାଶ ହୋଇ ଫେରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Puri_1691146262.jpg)