Advertisment

ମା’ ଶାରଳାଙ୍କ ମନ୍ଦିରରେ ଲାଗୁ ହୋଇପାରେ ନୂଆ ନିୟମ, ଭକ୍ତ ଓ ସେବାୟତଙ୍କ ପାଇଁ ରହିବ ଅନେକ କଟକଣା

ଗୃହୀତ ନିୟମ ଅନୁଯାୟୀ, ନିର୍ଦ୍ଦିଷ୍ଟ ସମୟ ବ୍ୟତୀତ ମା’ଙ୍କ ବିଗ୍ରହରୁ ଚନ୍ଦନ, ଫୁଲମାଳ ଆଣିବା ନିଷେଧ। ମା’ଙ୍କ ପୂଜା ନିମନ୍ତେ ଠାଆ ହେବା ପରେ ମନ୍ଦିର ମଧ୍ୟକୁ ପ୍ରବେଶ ନିଷେଧ।

author-image
Jitendra Garnayak
ଅଦ୍ୟତନ ହୋଇଛି
Temple

Temple

ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିରରେ ଗୃହୀତ ହୋଇଛି ନୂଆ ନିୟମ। ମନ୍ଦିର ନିୟମରେ ସଂସ୍କାର ପାଇଁ ମନ୍ଦିର ପରିଚାଳନା କମିଟି ବୈଠକରେ ନୂଆ ନିୟମ ଗୃହୀତ ହୋଇଛି। ଏହାକୁ କାର୍ଯ୍ୟକାରୀ କରିବାକୁ କେବଳ ଜିଲ୍ଲାପାଳଙ୍କ ସ୍ୱୀକୃତିକୁ ଅପେକ୍ଷା ରହିଛି।

Advertisment

ଗୃହୀତ ନିୟମ ଅନୁଯାୟୀ, ନିର୍ଦ୍ଦିଷ୍ଟ ସମୟ ବ୍ୟତୀତ ମା’ଙ୍କ ବିଗ୍ରହରୁ ଚନ୍ଦନ, ଫୁଲମାଳ ଆଣିବା ନିଷେଧ। ମା’ଙ୍କ ପୂଜା ନିମନ୍ତେ ଠାଆ ହେବା ପରେ ମନ୍ଦିର ମଧ୍ୟକୁ ପ୍ରବେଶ ନିଷେଧ।

ଯାତ୍ରୀ ବା ସେମାନଙ୍କ ପିଲାମାନଙ୍କୁ ଗର୍ଭଗୃହ ମଧ୍ୟକୁ ନେବା ନିଷେଧ। ବ୍ରତ ହୋଇ ନଥିବା ପଣ୍ଡା ସେବକ ଓ ଅବିବାହିତ ରାଉଳ ସେବକ ଗର୍ଭଗୃହ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ।

Advertisment

ମଝିଦେଉଳ ଓ ଗର୍ଭଗୃହକୁ ମୋବାଇଲ ମନା। କେହି ମା’ଙ୍କ ବିଗ୍ରହ ଫଟୋ ଉଠାଇ ପାରିବେ ନାହିଁ। ପ୍ରଥମ ଥର ଭୁଲ ପାଇଁ ୫୦୦ ଟଙ୍କା ଓ ଦ୍ୱିତୀୟ ଥର ଭୁଲ ପାଇଁ ୧୦୦୦ ଟଙ୍କା ଜୋରିମାନା ଆଦାୟ କରାଯିବ। ବେଢ଼ା ମଧ୍ୟରେ କେହି ମୋବାଇଲ ବ୍ୟବହାର କରିପାରିବେ ନାହିଁ।

ପଣ୍ଡା ସେବକମାନେ ଭକ୍ତ ବା କାର୍ଯ୍ୟରତ ମନ୍ଦିର କର୍ମଚାରୀମାନଙ୍କୁ ଖରାପ ବ୍ୟବହାର କଲେ ତୁରନ୍ତ ଲିଖିତ ଭାବେ ପୁଲିସକୁ ଜଣାଇବାକୁ ପରାମର୍ଶ ଦିଆଯାଇଛି।

ପଣ୍ଡା ସେବକମାନେ ଭକ୍ତମାନଙ୍କୁ ସେମାନଙ୍କ ଘର ସଂପର୍କରେ ପଚାରି ବିରକ୍ତ କରିବେ ନାହିଁ। ପଣ୍ଡା ସେବକମାନେ କୌଣସି ଭକ୍ତଙ୍କ ଠାରୁ ଜୁଲମ କରି ଅର୍ଥ ଆଦାୟ କଲେ ସେମାନେ ଲିଖିତ ଭାବେ ଅଭିଯୋଗ କରିପାରିବେ। ମନ୍ଦିର ପ୍ରଶାସନ ଓ ପୁଲିସ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଭକ୍ତମାନେ ଅଭିଯୋଗ ଦେବା ପାଇଁ ଏକ ଅଭିଯୋଗ ବାକ୍ସ ରହିବ। ଉତ୍ତମ ପ୍ରସ୍ତାବ ଦେବା ପାଇଁ ଅଭିଯୋଗ ପୁସ୍ତକ ରଖାଯିବ। ୭ ଦିନରେ ଥରେ ଉପଜିଲ୍ଲାପାଳ, ତହସିଲଦାର, ଇନ୍‌ସପେକ୍ଟର ଇନ୍‌ଚାର୍ଜ ଓ ମନ୍ଦିର ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ଅଭିଯୋଗ ବାକ୍ସକୁ ଖୋଲା ଯାଇ ଆଇନ ଅନୁସାରେ ଉଚିତ୍ ପଦକ୍ଷେପ ନିଆଯିବ।

ସେବାୟତମାନଙ୍କ ଦ୍ୱାରା ମନ୍ଦିର ପ୍ରଶାସନକୁ ଦିଆଯାଉଥିବା ଯେକୌଣସି ଦରଖାସ୍ତକୁ ତୁରନ୍ତ ବିଚାରକୁ ନେଇ ସମାଧାନ କରାଯିବ। ପାଳିଆମାନଙ୍କ ଦ୍ୱାରା ଭୋଗ ଦୋକାନ ପାଖରେ ଆଦାୟ ହେଉଥିବା ଦକ୍ଷିଣାରେ କେତେକ ସଂଶୋଧନ ତଥା ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମନ୍ଦିର ପ୍ରଶାସନ ସହିତ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବାକୁ ସ୍ଥିର ହୋଇଛି।

ମନ୍ଦିର ଅଫିସରେ ଭକ୍ତମାନଙ୍କ ଦ୍ୱାରା ଦିଆଯାଉଥିବା ଦାନ, ଯଥା- ଶାଢ଼ୀ, ସୁନା, ରୁପା, ଘଣ୍ଟଘଣ୍ଟା ବା ରସିଦ ହେଉଥିବା ଯେକୌଣସି ଦ୍ରବ୍ୟ ଯଦି କେହି ସେବାୟତ ଦାଖଲନ ଦିଅନ୍ତି ମନ୍ଦିର ପ୍ରଶାସନ ଆଇନ ଅନୁସାରେ ତୁରନ୍ତ ପଦକ୍ଷେପ ନିଆଯିବ।

ମନ୍ଦିର ମଧ୍ୟରେ ପାନପିକ ଅଳିଆ ପକାଇବା ପାଇଁ ଉଦ୍ଦିଷ୍ଟ ସ୍ଥାନ ବ୍ୟତୀତ ଅନ୍ୟତ୍ର ପକାଇଲେ ଦଣ୍ଡନୀୟ ଅପରାଧ ଭାବରେ ଗ୍ରହଣ କରାଯିବ। ମନ୍ଦିର ବେଢ଼ାକୁ ପଲିଥିନ, ଥର୍ମକୁଲ ମୁକ୍ତ କରିବା ପାଇଁ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି।

ତହସିଲଦାର ପ୍ରତି ଦୁଇ ଦିନରେ ଏହି ସମସ୍ତ ନିୟମ ଓ ଅନ୍ୟାନ୍ୟ କାର୍ଯ୍ୟ ଠିକ୍ ଭାବେ ପାଳନ ହେଉଛି କି ନାହିଁ ତଦାରଖ କରି ଉପଜିଲ୍ଲାପାଳଙ୍କୁ ତଥ୍ୟ ଦେବେ। ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ନିୟମାବଳୀ ପାଳନର ତର୍ଜମା କରାଯିବ।

ଏହି ସବୁ ନିୟମ ରକ୍ଷା କରିବାକୁ ସେବାୟତ କମିଟି ପ୍ରଶାସନକୁ ପୂର୍ଣ୍ଣ କ୍ଷମତା ସହିତ ଅନୁରୋଧ କରିଛି। ଏଥିରେ କେହି ଖିଲାପ କଲେ ପ୍ରଶାସନିକ କୈଫତ ସନ୍ତୋଷ ଜନକ ନହେଲେ ଜୋରିମାନା ଓ କଠୋର ଦଣ୍ଡ ବିଧାନ ପାଇଁ ନିଷ୍ପତ୍ତି ହୋଇଛି।

ଏଭଳି ନିୟମକୁ ଭକ୍ତ, ସେବାୟତ ସ୍ୱାଗତ କରିଛନ୍ତି। ତେବେ ମନ୍ଦିର ପ୍ରଶାସନ ସମସ୍ତଙ୍କ ସହିତ ଆଲୋଚନା କରି ଓ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିୟମ ପାଳନ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ବି ମତ ପ୍ରକାଶ ପାଇଛି।

Maa Sarala Sarala Temple