Advertisment

ପ୍ରଥମ ଦିନରେ ରାମ ଲଲାଙ୍କ ଦର୍ଶନ କଲେ ୩ ଲକ୍ଷ ଶ୍ରଦ୍ଧାଳୁ

ରାମଲଲାଙ୍କୁ ଆଖି ପୂରେଇ ଟିକେ ଦେଖିବାକୁ ରାତିଅଧରୁ ରାମ ଦୁଆର ପାଲଟିଥିଲା ଭକ୍ତସମୁଦ୍ର

author-image
Biswajit Samal
ଅଦ୍ୟତନ ହୋଇଛି
ayodhya

ayodhya

ରାମ ଲଲାଙ୍କୁ ଆଖି ପୂରେଇ ଟିକେ ଦେଖିବାକୁ ରାତିଅଧରୁ ମନ୍ଦିର ସାମ୍ନା ପାଲଟିଥିଲା ଭକ୍ତ ସମୁଦ୍ର। ଭୋରରୁ ମଙ୍ଗଳ ଆଳତି ସରି ୭ଟା ବେଳକୁ ମୁଖ୍ୟ ଦ୍ୱାର ଖୋଲିବା ପରେ ଯେମିତି ପାଗଳ ପ୍ରାୟ ହୋଇ ଯାଇଥିଲେ ଭକ୍ତ। ଜଣେ ଜଣେ ଭକ୍ତଙ୍କୁ ଗର୍ଭଗୃହରେ ଦିବ୍ୟ ଚକ୍ଷୁ ସହ ଚର୍ମ ଚକ୍ଷୁର ମିଳନ ପାଇଁ ମିଳୁଥିଲା ମାତ୍ର ୧୫ରୁ ୨୦ ସେକେଣ୍ଡ। ସେତିକିରେ ନିଜ ପ୍ରାଣ ପ୍ରିୟଙ୍କୁ ଦୁର୍ଲଭ ଦର୍ଶନ ଲଭି ଯେମିତି ଜୀବନ ଧନ୍ୟ ହୋଇଯାଇଥିଲା। ପ୍ରାଣ ପ୍ରତିଷ୍ଠା ପରେ ସାଧାରଣ ଦର୍ଶନର ଆଜି ପ୍ରଥମ ଦିନରେ ପ୍ରାୟ ୩ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି।

Advertisment

ସୋମବାର (ଗତକାଲି) ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପରେ ଗର୍ଭଗୃହରେ ଆଜି ହୋଇଥିଲା ପ୍ରଥମ ମଙ୍ଗଳ ଆଳତି। ରାତ୍ରି ଶୟନ କରିଥିବା ଠାକୁରଙ୍କୁ ଆଜି ଭୋରରୁ ଉଠାଯାଇ ପ୍ରାୟ ସାଢ଼େ ୬ଟାବେଳେ ହୋଇଥିଲା ମଙ୍ଗଳ ଆଳତି। ତାଙ୍କ ସମ୍ମୁଖରୁ ପରଦା ହଟାଯିବା ପରେ ସ୍ପଷ୍ଟ ଦୃଶ୍ୟମାନ ହୋଇଥିଲା ସେ ଭବ୍ୟ ଦୃଶ୍ୟ। ବର୍ତ୍ତମାନ ସମୟରେ ସକାଳ ୭ଟାରୁ ଦିନ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଓ ଅଧଘଣ୍ଟାର ବିରତି ପରେ ଦିନ ୨ଟାରୁ ସନ୍ଧ୍ୟା ୭ଟା ଯାଏଁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ଚାଲୁଛି। ହେଲେ ଖୁବଶୀଘ୍ର ମନ୍ଦିର ଖୋଲିବାଠୁ ଆରତି, ପ୍ରସାଦ ଲାଗି ଓ ପହୁଡ଼ ସହ ଠାକୁରଙ୍କ ଦୈନ୍ୟଦିନ ନୀତିକାନ୍ତି ନିର୍ଘଣ୍ଟ ହେବ ଏବଂ ଭକ୍ତଙ୍କ ଦର୍ଶନ ସମୟ ସ୍ଥିର ହେବ ବୋଲି କହିଛନ୍ତି ଶ୍ରୀ ରାମଜନ୍ମଭୂମୀର ମୁଖ୍ୟ ପୂଜକ।

ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାକୁ ଛୁଟିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଦୈନିକ ଦେଢ଼ଲକ୍ଷ ଭକ୍ତଙ୍କୁ ଦର୍ଶନ କରାଇବାର ପ୍ରାଥମିକ ବ୍ୟବସ୍ଥା ରଖାଯାଇଥିଲେ ବି ଏ ସଂଖ୍ୟା ଦୁଇ ଗୁଣାରୁ ଅଧିକ ହେବା ଅନୁମାନ କରାଯାଉଛି। ତେଣୁ ଏଥିପାଇଁ ୮ହଜାରରୁ ଅଧିକ ଫୋର୍ସ ରାମ ମନ୍ଦିର ପାଇଁ ନିୟୋଜିତ କରାଯାଇଛି। ୟୁପି ପୁଲିସ୍ ସହ ରାପିଡ୍ ଆକ୍ସନ ଫୋର୍ସ, CRPF ଏବଂ ଅନ୍ୟ ପାରାମିଲିଟାରୀ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି। ଆଜି ପ୍ରଥମ ଦିନରେ ଅସମ୍ଭାଳ ସ୍ଥିତି ଦେଖି ବରିଷ୍ଠ ପୁଲିସ୍ ଅଧିକାରୀ ନିଜେ ଭିଡ଼ ପରିଚାଳନାରେ ଲାଗିଯାଇଥିଲେ।

Advertisment
Ayodhya Ram Mandir