Advertisment

ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ଗଲା ରତ୍ନ ଭଣ୍ଡାର ଅଳଙ୍କାର

୫ କି ୧୦ ବର୍ଷ ନୁହେଁ ଦୀର୍ଘ ୪୬ବର୍ଷ ପରେ ଅଳଙ୍କାର ପ୍ରିୟ ଠାକୁର ଜଗନ୍ନାଥଙ୍କ ରହସ୍ୟମୟ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ହାଇଲେବଲ କମିଟିର ମେମ୍ବରମାନେ ଆଗେ କରିଥିଲେ ବୈଠକ।

author-image
Biswajit Samal
Ratna Bhandara

Ratna Bhandara

ଖୋଲିଛି ଶ୍ରୀମନ୍ଦିରର ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ୧୧ଜଣିଆ ହାଇଲେବଲ କମିଟି, ରତ୍ନଭଣ୍ଡାର ତଦାରଖ ପାଇଁ ଭିତରକୁ ଯାଇ ଅନୁଧ୍ୟାନ କରିଛନ୍ତି। ବାହାର ଭଣ୍ଡାର ତାଲା ଚାବିରେ ଖୋଲିଥିବାବେଳେ ଭିତର ଭଣ୍ଡାର ତାଲା ଭଙ୍ଗା ଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଆଜି ବାହାର ଭଣ୍ଡାର ରତ୍ନ ଅଳଙ୍କାର ସବୁ ସ୍ଥାନାନ୍ତର ହୋଇଛି। ଭିତର ଭଣ୍ଡାର ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ସବୁର ସ୍ଥାନାନ୍ତର ରଥଯାତ୍ରା ପରେ ଆଉ କୌଣସି ଏକ ଦିନ ହେବ।

Advertisment

ବାହାର ରତ୍ନଭଣ୍ଡାର ସହଜରେ ଖୋଲିଗଲା। ହେଲେ ଭିତର ଭଣ୍ଡାର ତାଲା ଖୋଲିବାକୁ ନାକେଦମ୍ ହେବାକୁ ପଡ଼ିଲ॥ ଶେଷରେ ତିନିଟି ଯାକ ତାଲା ଭଙ୍ଗା ଗଲା। ବାହାର ଭଣ୍ଡାରର ଅଳଙ୍କାର ସିଫ୍ଟ ହେଲା। ପ୍ରଚଣ୍ଡ ଆବେଗ, ପ୍ରବଳ ଉତ୍କଣ୍ଠା ଭିତରେ ଆଜି ଖୋଲିଛି ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭା ରତ୍ନଭଣ୍ଡାର। ମାହେନ୍ଦ୍ର ବେଳା ଦିନ ଗୋଟାଏ ୨୮ ମିନିଟ୍। ସେଇ ଶୁଭ ମୁହୂର୍ତ୍ତରେ ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଭେଦ୍ୟ ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ପଶିଥିଲେ ୧୧ ଜଣିଆ ହାଇଲେବଲ୍ କମିଟି। କେମିତି ସ୍ଥିତିରେ ଅଛି ଶ୍ରୀଜିଉଙ୍କ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ? କେଉଁ ଅବସ୍ଥାରେ ଅଛି ବର୍ଷ ବର୍ଷ ଧରି ରହସ୍ୟମୟ ହୋଇ ରହିଥିବା ଭଣ୍ଡାର ଘର ?

ଦୀର୍ଘ ୪ଘଣ୍ଟା ଧରି ଅନୁଧ୍ୟାନ କରିବା ପରେ ଉତ୍କଣ୍ଠାନର ଅବସାନ ଘଟାଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇ କହିଥିଲେ, ଯେହେତୁ ପୁରୀ ଟ୍ରେଜେରିରୁ ଆସିଥିବା ଚାବିରେ ଭିତର ଭଣ୍ଡାରର କୌଣସି ଗୋଟିଏ ବି ତାଲା ଖୋଲିଲା ନାହିଁ। ଏସଓପି ଅନୁସାରେ ସମସ୍ତ ତାଲା ଭାଙ୍ଗି ଭିତର ଭଣ୍ଡାର ଖୋଲାଗଲା। ବାହାର ଭଣ୍ଡାରର ସମସ୍ତ ଅଳଙ୍କାର ଆଜି ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର ହୋଇଯାଇଛି। ଚାଙ୍ଗଡ଼ା ଘର, ଫୁଲ ଘରେ ଏହି ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ କରାଯାଇଛି। ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପରେ ଏହାକୁ ସିଲ୍ କରାଯାଇଛି। ତେବେ ସମୟ ଅଭାବରୁ ଭିତର ରତ୍ନଭଣ୍ଡାର ଅଳଙ୍କାର ଆଦୌ ସ୍ଥାନାନ୍ତରଣ ହୋଇନି। କିନ୍ତୁ ଭିତର ଭଣ୍ଡାର ଅଳଙ୍କାର ସବୁ ସିନ୍ଦୁକ ଓ ଆଲମାରୀରେ ରହିଥିବା କମିଟି ଦେଖିବାକୁ ପାଇଛି। ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ପ୍ରଶାସନ ବ୍ୟସ୍ତ ଥିବାରୁ ଓ ଆଗକୁ ମହାପ୍ରଭୁଙ୍କ ସୁନାବେଶ ଥିବାରୁ ରଥଯାତ୍ରା ସମ୍ପୂର୍ଣ୍ଣ ହେବା ପରେ ଆଉ ଏକ ଦିନ ଧାର୍ଯ୍ୟ କରାଯାଇ ଅଳଙ୍କାର ସ୍ଥାନାନ୍ତର ହେବ। ଭିତର ଭଣ୍ଡାର ଅଳଙ୍କାରଗୁଡ଼ିକ ରଖିବା ପାଇଁ ଖଟଶେଯ ଘରେ ଷ୍ଟ୍ରଙ୍ଗ ରୁମ୍ କରାଯାଇଛି।

Advertisment

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଆଜି ଯାଇଥିବା ୧୧ଜଣିଆ ଟିମରେ ସାମିଲ ହୋଇଥିଲେ-ନିଜେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ପ୍ରମୁଖ ସଦସ୍ୟଡାକ୍ତର ସିବିକେ ମହାନ୍ତି, ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏଏସ୍ଆଇ ଅଧୀକ୍ଷକ ଡି.ବି. ଗଡ଼ନାୟକ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ ନାରାୟଣ ମେକାପ, ରତ୍ନଭଣ୍ଡାର ସବ୍ କମିଟି ସଦସ୍ୟ, ତଢ଼ଉ କରଣ ଓ ଦେଉଳ କରଣ। ସମସ୍ତେ ପ୍ରଥମେ ଶୁଦ୍ଧପୂତ ହୋଇଥିଲେ। ପାରମ୍ପରିକ ବସ୍ତ୍ର ପିନ୍ଧି ବେହରଣ ଦ୍ୱାର ଦେଇ ମନ୍ଦିର ଗର୍ଭଗୃହକୁ ପ୍ରବେଶ କରିଥିଲେ।

୫ କି ୧୦ ବର୍ଷ ନୁହେଁ ଦୀର୍ଘ ୪୬ବର୍ଷ ପରେ ଅଳଙ୍କାର ପ୍ରିୟ ଠାକୁର ଜଗନ୍ନାଥଙ୍କ ରହସ୍ୟମୟ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ହାଇଲେବଲ କମିଟିର ମେମ୍ବରମାନେ ଆଗେ କରିଥିଲେ ବୈଠକ। କ’ଣ କରିବାକୁ ହେବ? କ’ଣ ରହିଛି ଏସଓପି ? ସେ ନେଇ ବିସ୍ତୃତ ଆଲୋଚନା ପରେ ସମସ୍ତେ ମହାପ୍ରଭୁଙ୍କ ନିକଟରେ ସମର୍ପଣ ଭାବ ରଖିଥିଲେ। ତେଣେ ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ଘରର ରକ୍ଷକ ଦେବ ଦେବ ମହାଦେବ ଲୋକନାଥଙ୍କ ପାଖରୁ ପାଟ, ଛତ୍ରୀ ସହ ଶ୍ରୀମନ୍ଦିରକୁ ଆସିଥିଲା ଆଜ୍ଞାମାଳ। ତେଣେ ପରମ୍ପରା ମୁତାବକ ମାଆ ବିମଳା ଓ ମହାଲକ୍ଷ୍ମୀଙ୍କ ମନ୍ଦିରରେ ବି କରାଯାଇଥିଲା ପୂଜାର୍ଚ୍ଚନା।

ଜିଲ୍ଲା ପ୍ରଶାସନ ପାଖରେ ରହୁଥିବା ଭଣ୍ଡାର ଘରର ଚାବି ଧରି ଜିଲ୍ଲାପାଳ ବି ସଠିକ୍ ସମୟରେ କମିଟି ମୁଖ୍ୟଙ୍କୁ ହସ୍ତାନ୍ତର କରିଥିଲେ। ପୂର୍ବରୁ ସ୍ନେକ ହେଲପ ଲାଇନ୍ ସଦସ୍ୟଙ୍କ ସହ ଓଡ୍ରାଫ୍ ଟିମ୍, ଡାକ୍ତରୀ ଟିମ୍ ସଜାଗ ହୋଇ ରହିଥିଲେ। ଏପଟେ ଅଳଙ୍କାରର ସୁରକ୍ଷା ଓ ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିରରେ ପହଞ୍ଚିଥିଲା ସ୍ୱତନ୍ତ୍ର ବରାଦରେ ତିଆରି ହୋଇଥିବା ୬ଟି ନୂଆ ସିନ୍ଦୁକ। ଶାଗୁଆନ କାଠରେ ତିଆରି ସିନ୍ଦୁକରେ ପିତଳ ଛାଉଣୀ ହୋଇଛି। ଗୋଟିଏ ଗୋଟିଏ ସିନ୍ଦୁକର ଲମ୍ବ ୫୪ ଇଞ୍ଚ, ଚଉଡ଼ା ୩୬ ଇଞ୍ଚ ଓ ଗଭୀରତା ୩୦ ଇଞ୍ଚ ରହିଛି। ଭୁବନେଶ୍ୱରରୁ ଆଗରୁ ଆହୁରି ୯ଟି ସିନ୍ଦୁକ ପଠାଇବାକୁ ବରାଦ ଦିଆଯାଇଛି।

Puri Shreemandir Puri