Advertisment

ଶ୍ରୀମନ୍ଦିର ସେବକଙ୍କ ମୃତ୍ୟୁ ପରେ କେମିତି ହୁଏ ଶବ ସତ୍କାର ?

ସେବାୟତମାନେ ମହାପ୍ରଭୁଙ୍କ ସେବା କଲା ବେଳେ ଯଦି କୌଣସି ତ୍ରୁଟି ହୋଇଥାଏ, ତା’ହେଲେ ମୃତ୍ୟୁ ପରେ ବୈଷ୍ଣବ ଅଗ୍ନିରେ ସଂସ୍କାର କଲେ ସେମାନଙ୍କୁ ମୁକ୍ତି ମିଳିଯାଏ।

author-image
Ordigital Desk
ଅଦ୍ୟତନ ହୋଇଛି
Sevayat

Sevayat

ଜନ୍ମ ଅଛି ମାନେ ମୃତ୍ୟୁ ଅଛି। ଜନ୍ମ ଓ ମୃତ୍ୟୁ ମଣିଷ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ। ହିନ୍ଦୁ ଧର୍ମରେ ଶବ ବା ମୃତଦେହକୁ ପୋଡ଼ିବାର ପରମ୍ପରା ରହିଛି। ସାଧାରଣତଃ ଲୋକଙ୍କ ମୃତ୍ୟୁ ପରେ ସେମାନଙ୍କ ଶବ ଦାହ କରିବାକୁ ମୁଖାଗ୍ନି ବ୍ୟବସ୍ଥା ରହିଛି। ମୃତକଙ୍କ ବଡ଼ ପୁଅ ଏହି ପବିତ୍ର ସଂସ୍କାର ହୋଇଥିବା ଅଗ୍ନିକୁ ମୃତକଙ୍କ ମୁଖରେ ଦେଖାଇଥା’ନ୍ତି।

Advertisment

କିନ୍ତୁ ଶ୍ରୀମନ୍ଦିରରେ ସେବା କରୁଥିବା ସେବକମାନଙ୍କ ପାଇଁ ଏହାର ବିଧାନ ଟିକେ ଭିନ୍ନ। ସେମାନଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ସଂସ୍କାର ଶ୍ରୀମନ୍ଦିର ସହ ଜଡ଼ିତ। ଏଣୁ ସାଧାରଣ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥାଏ ଯେ ଜଣେ ସେବକଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କିପରି କରାଯାଇଥାଏ। ବରିଷ୍ଠ ସେବକଙ୍କ ମତରେ ଜଗନ୍ନାଥ ସଂସ୍କୃତିରେ ବ୍ରାହ୍ମଣରୁ ଶୁଦ୍ର ସମସ୍ତଙ୍କ ପାଇଁ ସମାନ ବିଧାନ ରହିଛି। ସମସ୍ତ ସେବକଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ମହାପ୍ରଭୁଙ୍କ ରୋଷଶାଳାରେ ଥିବା ପବିତ୍ର ବୈଷ୍ଣବାଗ୍ନି ହିଁ ଯୋଗାଇ ଦିଆଯାଇଥାଏ, ଯାହା ଆମ ଭଳି ସାଧାରଣ ମଣିଷଙ୍କ ଲାଗି ଦୁର୍ଲଭ।

ମୁଖପଖାଳ ସେବକ ଭଗବାନ ପଣ୍ଡା କହିଛନ୍ତି, ସେବକମାନଙ୍କର ମୃତ୍ୟୁ ହେଲେ ଅନ୍ତିମ ସଂସ୍କାର ପାଇଁ ରୋଷଶାଳାରୁ ଅଗ୍ନି ଯାଏ। ଏହା ସେମାନଙ୍କର ଅଧିକାର। ସ୍ୱର୍ଗଦ୍ୱାରରେ ସେମାନଙ୍କ ବଡ଼ ପୁଅ ମୁଖାଗ୍ନି ଦେବେ। ମନ୍ଦିରରେ ଯେଉଁ ସେବାୟତମାନେ ପ୍ରଭୁଙ୍କ ସେବା କରନ୍ତି, ସେମାନେ ଏହି ଅଧିକାରଟି ପାଇଛନ୍ତି। ସେହି ଅଗ୍ନି ପାଇ ସେମାନେ ମୁକ୍ତି ପାଆନ୍ତି।

Advertisment

ପଢ଼ିହାରୀ ସେବକ ମୁକ୍ତିନାଥ ପ୍ରତିହାରୀ କହିଛନ୍ତି ଯେ ସେବାୟତ ପରିବାରରେ ଯେତେବେଳେ କାହାର ଦେହାନ୍ତ ହୁଏ, ଶ୍ରୀମନ୍ଦିର ରୋଷଶାଳାରୁ ବୈଷ୍ଣବ ଅଗ୍ନି ଅଣାଯାଇଥାଏ। ସେବାୟତମାନେ ମହାପ୍ରଭୁଙ୍କ ସେବା କଲା ବେଳେ ଯଦି କୌଣସି ତ୍ରୁଟି ହୋଇଥାଏ, ତା’ହେଲେ ମୃତ୍ୟୁ ପରେ ଏହି ବୈଷ୍ଣବ ଅଗ୍ନିରେ ସଂସ୍କାର କଲେ ସେମାନଙ୍କୁ ମୁକ୍ତି ମିଳିଯାଏ। ଏହି ଅଧିକାର ସେବାୟତମାନଙ୍କୁ ପୂର୍ବପୁରୁଷରୁ ମିଳିଛି।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଛପନ ଭୋଗୀ ଠାକୁର। ସେଥିପାଇଁ କଥାରେ ଅଛି, ମହାପ୍ରଭୁଙ୍କ ରୋଷଘରୁ ନିଆଁ ଲିଭେନି। ଆଉ ଏହି ନିଆଁ ଶ୍ରୀମନ୍ଦିର ପରିଭାଷାରେ ରୋଷ ଅଗ୍ନି ବା ବୈଷ୍ଣବାଗ୍ନି ନାମରେ ପ୍ରସିଦ୍ଧ। କିନ୍ତୁ ଆପଣଙ୍କ ମନରେ ଏ ପ୍ରଶ୍ନ ବି ଆସୁଥିବ ଯେ, ରୋଷଘରୁ ସେବକଙ୍କ ଅନ୍ତିମ ସଂସ୍କାର ପାଇଁ ନିଆଁ ଯାଏ କେମିତି ?

ପଢ଼ିହାରୀ ସେବକ ମୁକ୍ତିନାଥ ପ୍ରତିହାରୀ କହିଛନ୍ତି, କୌଣସି ସେବାୟତଙ୍କର ଯେତେବେଳେ ମୃତ୍ୟୁ ହୁଏ, ସେମାନଙ୍କ ଭାଇଆଳି ବା କୁଟୁମ୍ବ ଲୋକଙ୍କ ମଧ୍ୟରୁ ଜଣେ ଦୁଇଟି କୁଡ଼ିଆ ଧରି ଶ୍ରୀମନ୍ଦିରକୁ ଯାଆନ୍ତି। ସେ କାହାକୁ ନଛୁଇଁ ଶ୍ରୀମନ୍ଦିର ରୋଷଶାଳା ନିକଟରେ ଛିଡ଼ା ହୁଅନ୍ତି। ସେଠାରେ ଉପସ୍ଥିତ ରୋଷ ପାଇକଙ୍କୁ ସେ ବୈଷ୍ଣବ ଅଗ୍ନି ଦେବା ପାଇଁ କହନ୍ତି। ରୋଷ ପାଇକ ଏବଂ ମହାସୁଆର-ସୁଆରମାନେ ତାଙ୍କୁ ଗୋଟିଏ କୁଡ଼ିଆରେ ଅଗ୍ନି ଦେଇଥାଆନ୍ତି। ସେହି କୁଡ଼ିଆ ତଳେ ଆର କୁଡ଼ିଆଟି ରଖି ସଂପର୍କୀୟ ଜଣଙ୍କ ସେଠାରୁ ବୈଷ୍ଣବ ଅଗ୍ନି ଆଣିଥାଆନ୍ତି।

ନିକଟରେ ସୁଆରବଡୁ ସେବକ ଜଗନ୍ନାଥ ମେକାପଙ୍କ ଦେହାନ୍ତ ହୋଇଛି। ମନ୍ଦିର ପରିସରରେ ସେ ହୃଦଘାତରେ ଅସୁସ୍ଥ ହୋଇଯାଇଥିଲେ। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସେ ଠାକୁରଙ୍କ ସେବା କରୁଥିବା ବେଳେ ପ୍ରାଣ ହରାଇଥିଲେ। ପରମ୍ପରା ମୁତାବକ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା, ଯାହା ସାଧାରଣ ଲୋକଙ୍କ ଅନ୍ତିମ ସଂସ୍କାରଠାରୁ ପୂରା ଭିନ୍ନ ଥିଲା। 

ପଢ଼ିହାରୀ ସେବକ ମୁକ୍ତିନାଥ ପ୍ରତିହାରୀ କହିଛନ୍ତି, ସେବାୟତଙ୍କ ସଂସ୍କାର ସମୟରେ ପ୍ରଥମେ ସଜଡ଼ା ଯାଇଥିବା ଜୁଇରେ ବୈଷ୍ଣବାଗ୍ନିକୁ ରଖାଯାଏ। ସେହି ଅଗ୍ନିରେ ପିଣ୍ଡ ଭାତ ରନ୍ଧା ଯାଏ। ପିଣ୍ଡ ଭାତ ରନ୍ଧା ହେଲା ପରେ ସେଠାରେ ଉପସ୍ଥିତ ବ୍ରାହ୍ମଣଙ୍କ ସହାୟତାରେ ପିଣ୍ଡ ଦାନ କରାଯାଏ। ତା’ପରେ ଶବକୁ ଜୁଇରେ ରଖାଯାଏ। ସାଧାରଣ ଲୋକଙ୍କ କ୍ଷେତ୍ରରେ ଜୁଇ ସଜଡ଼ା ଯିବା ପରେ ସେଥିରେ ଶବ ରଖାଯାଏ ଓ ତା’ପରେ ଅଗ୍ନି ସଂଯୋଗ କରାଯାଏ। କିନ୍ତୁ ସେବାୟତଙ୍କ କ୍ଷେତ୍ରରେ ପ୍ରଥମେ ଜୁଇରେ ଅଗ୍ନି ଦିଆଯାଏ।

ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସେବକ ପ୍ରିୟ। ଯିଏ ତାଙ୍କର ଭକ୍ତ ସିଏ ତାଙ୍କର ପ୍ରିୟ। ସେ ତାର ସୁଖ ଦୁଃଖରେ ଠିଆ ହୁଅନ୍ତି। ଏହା କେବଳ ଯେ, ଲୋକ ବିଶ୍ୱାସ ତାହା କହିବା ଭୁଲ୍ ହେବ। ସମ୍ଭବତଃ ମହାପ୍ରଭୁଙ୍କ ଏହି ମାନବୀୟ ମୂଲ୍ୟବୋଧ ଆଧାରିତ ତତ୍ତ୍ୱକୁ ଦେଖାଇବା ପାଇଁ ଏହି ବୈଷ୍ଣବାଗ୍ନି ବ୍ୟବସ୍ଥା ରହିଛି। ତେବେ ଆପଣଙ୍କ ମନରେ ଏ ପ୍ରଶ୍ନ ବି ଆସୁଥିବ ଯେ, ରଥଯାତ୍ରା ସମୟରେ ମହାପ୍ରଭୁ ଗୁଣ୍ଡିଚା ଘରେ ଥାଆନ୍ତି। ଏହି ସମୟରେ ବୈଷ୍ଣବାଗ୍ନୀ କେଉଁଠୁ ଆସିଥାଏ। ଶ୍ରୀ ମନ୍ଦିରରେ ଶ୍ରୀ ବିଗ୍ରହଙ୍କ ଅନୁପସ୍ଥିତିରେ ବଡ଼ଛତା ମଠରୁ ଏହି ବୈଷ୍ଣବାଗ୍ନୀ ସଂଗୃହୀତ ହୋଇ ରହିଥାଏ, ଯାହାକୁ ସେବାୟତଙ୍କ ଅନ୍ତିମ ସଂସ୍କାର ପାଇଁ ଯୋଗାଇ ଦିଆଯାଇଥାଏ। ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା ଭିତରେ ଏହା ନିଶ୍ଚିତ ଭାବେ ଗୋଟିଏ ଦୁର୍ଲଭ ବ୍ୟବସ୍ଥା ବୋଲି କହିବା ଆଦୌ ଭୁଲ ହେବନାହିଁ।

Puri Temple