/odisha-reporter/media/post_attachments/uploadimage/library/16_9/16_9_0/Puri_1691146262.jpg)
Puri
ଶ୍ରୀମନ୍ଦିର ସେବା ପୂଜାରେ ଆଗକୁ ବ୍ୟାଘାତ ଆଣିବ କି ଭିନ୍ନ କୁଳ ବିବାହ? କାହିଁକିନା, ସେବାୟତ ପରିବାରର ପ୍ରଥା ପରମ୍ପରାରେ ରହିଛି ଅଠରନଳା ପାରି ହୋଇ ବନ୍ଧୁ ବାନ୍ଧିବା ମନା। ଅର୍ଥାତ ସେବାୟତ ପରିବାର କେବଳ ନିଜ କୁଳ କିମ୍ବା ସେମାନଙ୍କ ସମକୁଳରେ ବନ୍ଧୁ ବାନ୍ଧିଥିଲେ ବା ବିବାହ କରିବେ। ତାହାହେଲେ ଯାଇ ସେମାନଙ୍କୁ ଶ୍ରୀଜୀଉଙ୍କ ସେବା ପୂଜାର କରିବାର ସୁଯୋଗ ମିଳିବ। ଯାହାର ଉଦାହରଣ ସିଂହାରୀ ସେବକ ଶଙ୍ଖମିତ୍ର ସିଂହାରୀ। ଶଙ୍ଖମିତ୍ର ଅନ୍ୟ କୁଳରେ ବିବାହ କରିଥିବାରୁ ତାଙ୍କୁ ସେବା ନିବୃତ୍ତ କରାଯାଇଥିଲା। କିନ୍ତୁ ସେ ନମାନି ସେବା ପୂଜା କରିବାରୁ ନୀତି ବିଭ୍ରାଟ ହେଲା। ୯ ଘଣ୍ଟା କାଳ ଖାଡ଼ା ଉପାସ ରହିଲେ ମହାପ୍ରଭୁ। ତେବେ ସେବାୟତ କୁଳରେ ଝିଅ ତୁଳନାରେ ପୁଅଙ୍କ ସଂଖ୍ୟା କମ୍ ରହିବା ଆଗକୁ ଏ କ୍ଷେତ୍ରରେ ସମସ୍ୟାକୁ ବଢ଼ାଇବାର ଆଶଙ୍କା ସୃଷ୍ଟି କରିଛି।
ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଷ୍ଟଡିଜର ରିପୋର୍ଟ ଅନୁସାରେ ସେବାୟତ ପରିବାରରେ ଗତ ୨୦୦୫ ମସିହାରେ ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ଥିଲା ମାତ୍ର ୮୬୩। ଅବଶ୍ୟ ଏହା ପରେ ସେହି ଅନୁପାତ ୨୦୧୩ ମସିହାରେ ୮୭୩ ଓ ୨୦୨୧ ମିହାରେ ୯୨୪ରେ ପହଞ୍ଚିଛି। ତଥାପି ପୁଅ ତୁଳନାରେ ଝିଅ ସଂଖ୍ୟା କମ ଥିବାରୁ ବାଧ୍ୟ ହୋଇ କେହି କେହି ଅନ୍ୟ କୁଳରେ ବିବାହ କରୁଛନ୍ତି। ଏହାବାଦ ସାମାଜିକ ଓ ଶିକ୍ଷାଗତ ଯୋଗ୍ୟତାର ତାରତମ୍ୟ ପାଇଁ ମଧ୍ୟ ବେଳେ ବେଳେ ଭିନ୍ନକୁଳ ବିବାହ ହେଉଛି। ଫଳରେ ପ୍ରଥା, ପରମ୍ପରାର ଉଲ୍ଲଂଘନରୁ ସେବାପୂଜାର ଅଧିକାର ହରାଇବାକୁ ପଡୁଛି। ତେଣୁ ଏହା ଆଗକୁ ସମସ୍ୟା ସୃଷ୍ଟି କରି ପାରେ ବୋଲି ସେବାୟତ ମତ ଦେଇଛନ୍ତି।
ତେବେ ପୁଅ-ଝିଅ ସଂଖ୍ୟା ଅନୁପାତରେ ପାର୍ଥକ୍ୟକୁ କମ କରିବା ପାଇଁ ସେବାୟତଙ୍କ ମାନସିକତାରେ ପରିବର୍ତ୍ତନର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ପରିଚାଳନା କମିଟି ସଦସ୍ୟ। ଏପରିକି କନ୍ୟା ସନ୍ତାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିହାରୀ ନିଯୋଗ ପକ୍ଷରୁ ୧ ଲକ୍ଷ ଟଙ୍କା ଓ ଗରାବଡୁ ନିଯୋଗ ପକ୍ଷରୁ ୩୦ ହଜାର ଟଙ୍କା ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ରହିଛି। ତେଣୁ ସବୁ ନିଯୋଗ ମଧ୍ୟ ଏଭଳି ପଦକ୍ଷେପ ନେବା ସହ ସେବାପୂଜା ଜଡ଼ିତ ସମସ୍ୟା ତୁଟାଇବାକୁ ମିଳିତ ହୋଇ ସମାଧାନର ସୂତ୍ର ବାହାର କରିବା ଦରକାର ବୋଲି ବରିଷ୍ଠ ସେବାୟତ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
