Puri
ଆସନ୍ତାକାଲି ବାହୁଡ଼ା ଯାତ୍ରା। ତା’ପୂର୍ବରୁ ପୁରୀକୁ ନେଇ ଦୁଇଟି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ତା’ ସହିତ ପୁରୀରେ ଶ୍ରୀ ଜଗନ୍ନାଥ ମ୍ୟୁଜିୟମ, ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନନ୍ୟ। ନୟାଗଡ଼ର ଘଞ୍ଚ ଜଙ୍ଗଲରେ ଏକଦା ଅଧିଷ୍ଠିତ ପ୍ରଭୁ ନୀଳମାଧବଙ୍କ ନୀଳକନ୍ଦରକୁ ଯାତ୍ରା ହେଉଛି ଅବିସ୍ମରଣୀୟ। ଜଗନ୍ନାଥ ଧାମର ସ୍ଵର୍ଣ୍ଣିମ ଇତିହାସ ଓ ପରମ୍ପରାକୁ ଅଗଣିତ ଲୋକକଥା, ଅନେକ କାହାଣୀ ଏବଂ ଐତିହାସିକ ଘଟଣାବଳୀ ସମୃଦ୍ଧ କରିଛି। ଏହି ସଂସ୍କୃତି ସହିତ ଅନେକ ଧର୍ମୀୟ ମହାନୁଭବ, ଲେଖକ, କବି, ଗାୟକ, ନୃତ୍ୟଶିଳ୍ପୀ ଓ କାରିଗର ନିଜ ନିଜର ଅବଦାନ ଦେଇ ଆହୁରି ପରିପୃଷ୍ଟ କରିଛନ୍ତି।
କିନ୍ତୁ, ପରିତାପର ବିଷୟ ଯେ ଆଜିର ଯୁବ ସମାଜ ତଥା ପୁରୀକୁ ଆସୁଥିବା ଭକ୍ତଗଣ ଜଗନ୍ନାଥ ସଂସ୍କୃତିର ଧନିକ ଇତିହାସ ବିଷୟରେ ବେଶୀ କିଛି ଜାଣନ୍ତି ନାହିଁ। ତା’ଠୁ ଦୁଃଖର ବିଷୟ ଯେ ଏହି ସଂସ୍କୃତି ଏବଂ ଇତିହାସକୁ ଜଣାଇବା ପାଇଁ ପୁରୀ ଠାରେ କିଛି ବ୍ୟବସ୍ଥା ଗତ ସାଢ଼େ ସାତ ଦଶନ୍ଧିରେ କରାଯାଇ ପାରିଲା ନାହିଁ।
ଏତଦ ବ୍ୟତୀତ ପୁରୀକୁ ଏକ ଉତ୍ତମ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ବିଶେଷ କିଛି ପଦକ୍ଷେପ ନିଆଯାଇନାହିଁ। ଆଜି ଜଣେ ପର୍ଯ୍ୟଟକ ପୁରୀ ଆସିଲେ, ତା’ ପାଇଁ ମୁଖ୍ୟତଃ ଦୁଇଟି ଠିକଣା। ଜଗନ୍ନାଥ ମନ୍ଦିର ଏବଂ ବେଳାଭୂମି। ଏହାକୁ ଛାଡ଼ିଦେଲେ ଅନ୍ୟ କୌଣସି ମନୋରଞ୍ଜନ କିମ୍ବା ପର୍ଯ୍ୟଟନ ଭିତ୍ତିଭୂମି ନାହିଁ, ଯେଉଁଠାରେ ସେ କିଛି ସମୟ ବିତାଇ ପାରିବ।
ଯେ କୌଣସି ପର୍ଯ୍ୟଟନ ସ୍ଥଳକୁ ବିକାଶ କରିବାକୁ ହେଲେ, ପ୍ରଥମ ନିୟମ ହେଉଛି କିପରି ଜଣେ ପର୍ଯ୍ୟଟକ ସେଠାରେ ଅଧିକରୁ ଅଧିକ ସମୟ ବିତାଇ ପାରିବ। ଯାହାଦ୍ୱାରା ସେ ଅଧିକ ଖର୍ଚ୍ଚ ବି କରିବ। କିନ୍ତୁ ପୁରୀରେ ସେମିତି କିଛି ବ୍ୟବସ୍ଥା ନାହିଁ।
ତେଣୁ ଏହି ଦୁଇ ସମସ୍ୟାର ସମାଧାନ କରିବା ପାଇଁ ଆମ ସରକାର ପୁରୀ ଠାରେ ଏକ ବିଶ୍ଵ ସ୍ତରୀୟ ଶ୍ରୀ ଜଗନ୍ନାଥ ମ୍ୟୁଜିୟମ, ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ଫତ୍ତି ନେଇଛନ୍ତି। ଗୋଟିଏ ପରିସରରେ ଏହା ନିର୍ମିତ ହେବ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଶ୍ରୀ ଜଗନ୍ନାଥ ସଂଗ୍ରହାଳୟରେ ଜଗନ୍ନାଥ ସଂସ୍କୃତି ଓ ଇତିହାସ ଯେପରିକି ଏହାର ପୌରାଣିକ ମହତ୍ତ୍ଵ, ନୀଳମାଧବଙ୍କ ଠାରୁ ଆରମ୍ଭ କରି ମନ୍ଦିର ନିର୍ମାଣର ଇତିହାସ, ବିଗ୍ରହ ପ୍ରତିଷ୍ଠା, କାଞ୍ଚି ବିଜୟ, ଯାନିଯାତ୍ରା, ମନ୍ଦିରର ରୀତିନୀତି, ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଭାବାବେଗ ଇତ୍ୟାଦି ପ୍ରଦର୍ଶିତ ହେବ। ଏହି ସବୁ ଘଟଣାବଳୀକୁ ବିଭିନ୍ନ ଚିତ୍ରକଳା, ମିନିଏଚର ପ୍ରତିମୂର୍ତ୍ତି ଓ ପଟ୍ଟଚିତ୍ର ଇତ୍ୟାଦି ମାଧ୍ୟମରେ ପ୍ରଦର୍ଶିତ କରାଯାଇପାରିବ।
ସେହିପରି ଏହା ପରିସରରେ ଏକ ପୁସ୍ତକାଗାର ଏବଂ ଜଗନ୍ନାଥ ସଂସ୍କୃତି ଗବେଷଣା କେନ୍ଦ୍ର ସ୍ଥାପିତ କରାଯିବ। ଏହି ପୁସ୍ତକାଗାରରେ ଜଗନ୍ନାଥ ସଂସ୍କୃତି ସହିତ ଓଡ଼ିଆ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧୀୟ ପୁସ୍ତକ ବି ରହିବ। ଏହି ପୁସ୍ତକାଗାରରେ ଇ-ଲାଇବ୍ରେରୀର ସୁବିଧା ପ୍ରଦାନ କରାଯିବ ଏବଂ ପାଠକମାନେ ଇ-ଲାଇବ୍ରେରୀ ମଧ୍ୟମରେ ସବୁ ପ୍ରକାର ପଠନ ସାମଗ୍ରୀ ପାଇ ପାରିବେ। ଜଗନ୍ନାଥ ସଂସ୍କୃତି ଏବଂ ସାହିତ୍ଯକୁ ଋଦ୍ଧିମନ୍ତ କରିବା ପାଇଁ ଏହା ନିଶ୍ଚିତ ଭାବେ ସାହାଯ୍ୟ କରିବ।
ଏଥି ସହିତ ଏହା ପରିସରରେ ପ୍ରାୟ ୩୦୦ ଆସନ ବିଶିଷ୍ଟ ଏକ ପ୍ରେକ୍ଷାଳୟ (ଅଡିଟରିଅମ) ନିର୍ମାଣ କରାଯିବ। ଏହି ଅଡିଟରିଅମରେ ପ୍ରତି ଦିନ ଲାଇଟ ଓ ସାଉଣ୍ଡ ଶୋ ପ୍ରସ୍ତୁତ କରାଯିବ। ଜଗନ୍ନାଥ ମନ୍ଦିର ଏବଂ ଠାକୁରଙ୍କୁ ନେଇ ଅନେକ କାହାଣୀ ଓ ଅନେକ ପ୍ରସଙ୍ଗ ରହିଛି। ଏହି ସବୁ ପ୍ରସଙ୍ଗକୁ ବିଭିନ୍ନ ଅଧ୍ୟାୟରେ ବିଭାଜନ କରି ଗୋଟିଏ ଗୋଟିଏ ଅଧ୍ୟାୟ କରି ବିଭିନ୍ନ ଭାଷା ଯେପରିକି ଓଡ଼ିଆ, ହିନ୍ଦୀ, ଇଂରେଜୀ ଏବଂ ବଙ୍ଗାଳୀରେ ପ୍ରସ୍ତୁତ କରାଯାଇ ପ୍ରଦର୍ଶିତ କରାଯିବ। ତା’ ଛଡ଼ା ଏହି ପରିସର ମଧ୍ୟରେ ଏକ ମୁକ୍ତାକାଶ ରଙ୍ଗମଞ୍ଚ ବି ନିର୍ମିତ ହେବ ଯେଉଁଠି ରାଜ୍ୟର କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇପାରିବ।
ଏହି ପ୍ରକଳ୍ପ ଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ସାହିତ୍ୟକୁ ସୁଦୃଢ଼ ଏବଂ ପରିପୁଷ୍ଟ କରିବା ସହିତ ପୁରୀ ଜଗନ୍ନାଥ ଧାମକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକଙ୍କ ପାଇଁ ଉତ୍କୃଷ୍ଟ ସମୟ ବିତାଇବାର ସୁଯୋଗ ପ୍ରଦାନ କରିବ। ଏହା ପୁରୀକୁ ଦେଶର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ଦେବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Puri_1751628717.jpg)