ରାଜ୍ୟରେ ଗଠନ ହେବ ଆଉ ୩ଟି ନୂଆ ନିର୍ଦ୍ଦେଶାଳୟ, କ୍ୟାବିନେଟ୍ ଦେଲେ ମଞ୍ଜୁରୀ

୩ଟି ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଗଠନ ନିଷ୍ପତ୍ତି ସମେତ ମୋଟ ୧୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଲୋକସେବା ଭବନ

  • Published: Thursday, 19 October 2023
  • , Updated: 19 October 2023, 09:10 PM IST

ରାଜ୍ୟରେ ଆଉ ୩ଟି ସ୍ୱତନ୍ତ୍ର ନୂଆ ନିର୍ଦ୍ଦେଶାଳୟ ଗଠନ ହେବ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ସ୍ୱତନ୍ତ୍ର ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ, ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ ଓ ସ୍ୱତନ୍ତ୍ର ସଂଗ୍ରହାଳୟ ନିର୍ଦ୍ଦେଶାଳୟ ଗଠନ କରାଯିବ । ଏହି ୩ଟି ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଗଠନ ନିଷ୍ପତ୍ତି ସମେତ ମୋଟ ୧୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ବିଭିନ୍ନ ରାଜ୍ୟ ଯଥା- ପଶ୍ଚିମବଙ୍ଗ,ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ସଂଗ୍ରହାଳୟଗୁଡ଼ିକର ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ରହିଛି । ତେଣୁ ଅନୁରୂପ ଢଙ୍ଗରେ ଓଡ଼ିଶାରେ ବିଭିନ୍ନ ସମୟରେ ଆବିଷ୍କୃତ ସମୃଦ୍ଧ ଐତିହାସିକ, ସାଂସ୍କୃତିକ, କଳା କୀର୍ତ୍ତିରାଜିଗୁଡ଼ିକର ସଂରକ୍ଷଣ ଓ ଗବେଷଣା,ପ୍ରଚାର ନିମିତ୍ତ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଗଠନର ଆବଶ୍ୟକତା ରହିଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ୟାବିନେଟ୍ ଆଜି ଏହି ସଂଗ୍ରହାଳୟ ନିର୍ଦ୍ଦେଶାଳୟ ନିମନ୍ତେ ଆବଶ୍ୟକ ଅମଲା ଓ ବୈଷୟିକ ପଦବୀ ସୃଷ୍ଟିକୁ ମଞ୍ଜୁରୀ ଦେଇଛନ୍ତି । ଏହା ବ୍ୟତୀତ ନୂଆ ଭାବେ ସଂଗ୍ରହାଳୟ ସେବା ବର୍ଗ ସୃଷ୍ଟି କରି ସେଥିରେ ଆବଶ୍ୟକୀୟ ସହକାରୀ ସଂଗ୍ରାହକ, ସଂଗ୍ରାହକ, ସହ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ତଥା ଅଧିକ୍ଷକ, ରାଜ୍ୟ ସଂଗ୍ରହାଳୟ ନିର୍ଦ୍ଦେଶକ ପଦବୀ ସୃଷ୍ଟି କରିବାକୁ ମଞ୍ଜୁରୀ ଦିଆଗଲା ।

ଓଡ଼ିଶାରେ ବହୁ ପୁରାତନ ମନ୍ଦିର ତଥା ବିଭିନ୍ନ ସମୟର ପ୍ରତ୍ନତତ୍ତ୍ୱ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶଳୟ ଗଠନର ଆବଶ୍ୟକତା ରହିଛି । ୨୦୨୦ ସେପ୍ଟେମ୍ବର ୨ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଏହି ନିର୍ଦ୍ଦେଶାଳୟ ଗଠନ ପାଇଁ ନିଆଯାଇଥିବା ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ନିର୍ଦ୍ଦେଶାଳୟ ପାଇଁ ଆବଶ୍ୟକୀୟ ଅମଲା ଓ ବୈଷୟିକ ପଦବୀ ସୃଷ୍ଟିକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତିି ।

ବିଭିନ୍ନ ରାଜ୍ୟରେ ସର୍ବସାଧାରଣ ଗ୍ରନ୍ଥାଗାରଗୁଡ଼ିକ(ପବ୍ଲିକ ଲାଇବ୍ରେରୀ)ର ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ ରହିଛି । ଅନୁରୂପ ଭାବେ ଓଡ଼ିଶାରେ ଏହି ନିର୍ଦ୍ଦେଶାଳୟ ଗଠନ ହେଲେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର, ବିଭିନ୍ନ ଜିଲ୍ଲାରେ ଥିବା ଜିଲ୍ଲା ଗ୍ରନ୍ଥାଗାର ଓ ବ୍ଲକସ୍ତରୀୟ ବିଭିନ୍ନ ଗ୍ରାମୀଣ ଗ୍ରନ୍ଥାଗାରଗୁଡ଼ିକର ସମନ୍ୱୟ ଓ ସୁପରିଚାଳନା ହୋଇପାରିବ । ଏହି ନିର୍ଦ୍ଦେଶାଳୟ ନିମନ୍ତେ ଆବଶ୍ୟକୀୟ ଅମଲା ପଦବୀ ସୃଷ୍ଟିକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

Related story