Advertisment

ଖୋଲୁନି ମଣ୍ଡି: ସୋନପୁର ଓ ବଲାଙ୍ଗିରରେ ଚିନ୍ତାରେ କପା ଚାଷୀ

ପାଟଣାଗଡ଼/ସୋନପୁର: ପ୍ରଥମେ ବର୍ଷା ଦାଉ ସାଧିଲା। ଆଉ ଏବେ ମଣ୍ଡି ସମସ୍ୟା। ଏହାକୁ ନେଇ ଚିନ୍ତାରେ ଅଛନ୍ତି ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର କପା ଚାଷୀ। ମଣ୍ଡି ଖୋଲି ନ ଥିବାରୁ ଚାଷୀ କପା ବିକି ପାରୁ ନାହାନ୍ତି। ଏହାର ସୁଯୋଗ ନେଇ ଅସାଧୁ କପା ବେପାରୀମାନେ ଗାଁ ଗାଁକୁ ବୁଲି ଚାଷୀଙ୍କଠାରୁ କମ୍ ଦରରେ କପା କିଣି ନେଉଥିବା ଅଭିଯୋଗ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ଆନନ୍ଦପୁର ଗାଁର ଚାଷୀ ଶିବଶଙ୍କର ପାଣିଗ୍ରାହୀ କପା ଅମଳ କରି […]

ଖୋଲୁନି ମଣ୍ଡି: ସୋନପୁର ଓ ବଲାଙ୍ଗିରରେ ଚିନ୍ତାରେ କପା ଚାଷୀ

cutton

Advertisment

cuttonପାଟଣାଗଡ଼/ସୋନପୁର: ପ୍ରଥମେ ବର୍ଷା ଦାଉ ସାଧିଲା। ଆଉ ଏବେ ମଣ୍ଡି ସମସ୍ୟା। ଏହାକୁ ନେଇ ଚିନ୍ତାରେ ଅଛନ୍ତି ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର କପା ଚାଷୀ। ମଣ୍ଡି ଖୋଲି ନ ଥିବାରୁ ଚାଷୀ କପା ବିକି ପାରୁ ନାହାନ୍ତି। ଏହାର ସୁଯୋଗ ନେଇ ଅସାଧୁ କପା ବେପାରୀମାନେ ଗାଁ ଗାଁକୁ ବୁଲି ଚାଷୀଙ୍କଠାରୁ କମ୍ ଦରରେ କପା କିଣି ନେଉଥିବା ଅଭିଯୋଗ ହୋଇଛି।

Advertisment

ସୁବର୍ଣ୍ଣପୁର ଜିଲ୍ଲାର ଆନନ୍ଦପୁର ଗାଁର ଚାଷୀ ଶିବଶଙ୍କର ପାଣିଗ୍ରାହୀ କପା ଅମଳ କରି ସାରିଛନ୍ତି। ଜମି ପାଖରେ ତାଙ୍କର ଅମଳ କପା ଗଦା ହୋଇଛି। କୁଡ଼ିଆ କରି ସେ ଜଗିଛନ୍ତି କପା। କାରଣ ଅମଳ କପାକୁ ସେ ବିକ୍ରି କରିପାରୁ ନାହାନ୍ତି। ବର୍ଷା ଅଭାବରୁ ପ୍ରଥମେ ଫସଲ ମାଡ଼ ଖାଇଲା, ଯାହା ଅମଳ ହୋଇଛି ତାକୁ ବିକିପାରିବ ନା ନାହିଁ ଏବେ ସେଇ ଚିନ୍ତାରେ ସେ ଘାରି ହେଉଛନ୍ତି।  ବିକିବାକୁ ଜିଲ୍ଲାରେ ବଜାର ସୁବିଧା ନାହିଁ। ମଣ୍ଡି ଖୋଲିବ ବୋଲି ତିନି ବର୍ଷ ହେଲା ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଆସୁଛି। ତେବେ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ହିଁ ରହିଯାଇଛି।

ଶିବଶଙ୍କର ପାଣିଗ୍ରାହୀ କହିଛନ୍ତି, ପ୍ରଶାସନ ଥରେ କହିଲା ୨ ତାରିଖରେ ମଣ୍ଡି ଖୋଲିବ। ପୁଣି କହିଲା ୩ ତାରିଖରେ ଖୋଲିବ। ତା’ପରେ କହିଲା ୭ ତାରିଖରେ ଖୋଲିବ। ପଚାରିଲେ ଖାଲି ଏମିତି ଗୋଟିଏ ଗୋଟିଏ ତାରିଖ କହି ଦେଉଛନ୍ତି। କପା ତୋଳା ହୋଇ ପ୍ୟାକିଂ ହୋଇଗଲାଣି। କିନ୍ତୁ ମଣ୍ଡି ଖୋଲୁ ନାହିଁ।

Advertisment

ତେବେ ଏ ଅବସ୍ଥା କେବଳ ଶିବଶଙ୍କର ନୁହେଁ। ଜିଲ୍ଲାର ଅନ୍ୟ କପା ଚାଷୀମାନେ ମଧ୍ୟ ସମ ଦଶା ଭୋଗୁଛନ୍ତି।

ଅନ୍ୟପକ୍ଷରେ ସୁବର୍ଣ୍ଣପୁର ଉପକୃଷି ନିର୍ଦ୍ଦେଶକ ସତ୍ୟନାରାୟଣ ମିଶ୍ର କହିଛନ୍ତି, ଏସ୍.କଳାପଥର ଗାଁରେ ସିଦ୍ଧାର୍ଥ କୋଟେକ୍ସ ନାମକ ଏକ ସଂସ୍ଥାକୁ ଅସ୍ଥାୟୀ ମଣ୍ଡି ଖୋଲିବାକୁ ଜିଲ୍ଲାପାଳ କହିଛନ୍ତି। ସେମାନେ ଦୁଇ ତିନି ଦିନ ମଧ୍ୟରେ ପଦକ୍ଷେପ ନେବାକୁ କହିଛନ୍ତି।

ବଲାଙ୍ଗିର ପାଟଣାଗଡ଼ ଅଞ୍ଚଳରେ ବି କପା ଚାଷୀ ସମାନ ସମସ୍ୟା ଦେଇ ଗତି କରୁଛନ୍ତି। ବର୍ଷା ଅଭାବରୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ତା ସହ ଏବେ ଦେଖାଦେଇଛି ବିକ୍ରି ସମସ୍ୟା। ଚଳିତ ବର୍ଷ କଟନ୍ କର୍ପୋରେସନ ଅଫ ଇଣ୍ଡିଆ ଜିଲ୍ଲାରୁ କପା କିଣିବ ବୋଲି ସ୍ଥିର ହୋଇଥିଲା। ତେବେ ଆରଏମସିରୁ ମିଲକୁ କପା ନେବା ବାବଦକୁ ଭଡ଼ା ଚାଷୀ ଦେବେ ବୋଲି କଟନ୍ କର୍ପୋରେସନ କହିବା ପରେ ଦେଖାଦେଇଛି ବିବାଦ। ଏହାର ସୁଯୋଗ ନେଇ ଅସାଧୁ ବେପାରୀ ଚାଷୀଙ୍କଠାରୁ କମ୍ ଦରରେ କପା କିଣି ନେଉଥିବା ଅଭିଯୋଗ ହୋଇଛି। ବଲାଙ୍ଗିର କୃଷକ ମହାସଂଘ ସଂପାଦକ ଜତି ପ୍ରଧାନ କହିଛନ୍ତି ଯେ କଟନ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଓ ଆରଏମସିର ବିବାଦ ମଧ୍ୟରେ କପା ଚାଷୀମାନେ ପେଶି ହୋଇଗଲେଣି।

ପାଟଣାଗଡ଼ ଉପଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ସେ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇ ସାରିଛନ୍ତି। ଦିନେ ଦୁଇ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇଯିବ। ତା’ପରେ ଯୋଗୀମୁଣ୍ଡା ମାର୍କେଟ ୟାର୍ଡରେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଚାଷୀଙ୍କଠାରୁ କପା କିଣାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe