/odisha-reporter/media/post_attachments/uploads/2022/01/591.jpg)
Samir Dash
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୮,୧୦୨ ଶିକ୍ଷା ସହାୟକଙ୍କ ପାଇଁ ନୂଆ ବର୍ଷର ପ୍ରଥମ ଦିନ ଆଣି ଦେଇଛି ଖୁସି ଖବର। ସେମାନଙ୍କୁ ସରକାର ନିୟମିତ କରିଛନ୍ତି। ୨୦୧୫ ଜାନୁଆରୀ ମାସରେ ନିଯୁକ୍ତି ପାଇଥିବା ଏହି ଶିକ୍ଷକମାନଙ୍କୁ ନିୟମିତ କରାଯାଇଥିବା ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି।
ନିୟମିତ ହୋଇଥିବା ଏହି ଶିକ୍ଷକମାନଙ୍କୁ ମନ୍ତ୍ରୀ ଶ୍ରୀ ଦାଶ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଓ ସେମାନଙ୍କ ପରିବାର ଲୋକଙ୍କ ଉନ୍ନତି କାମନା କରିଛନ୍ତି।
ସେ ଆହୁରି କହିଛନ୍ତି, ରାଜ୍ୟର ୨୫୦ଟି ବ୍ଲକ୍ରେ ଆଦର୍ଶ ବିଦ୍ୟାଳୟ ଖୋଲା ଯାଇଛି। ଆଉ ୬୪ଟି ବ୍ଳକ୍ରେ ଚଳିତ ବର୍ଷ ଠାରୁ ଆଦର୍ଶ ବିଦ୍ୟାଳୟ ଖୋଲିବ ଓ ଷଷ୍ଠ ଶ୍ରେଣୀରୁ ପାଠପଢ଼ା ଆରମ୍ଭ ହେବ। ସେହିପରି ରାଜ୍ୟର ସମସ୍ତ ସ୍କୁଲ୍ ଗୁଡ଼ିକର ରୂପାନ୍ତରୀକରଣ କରାଯିବ। ସ୍କୁଲ୍ ରୂପାନ୍ତରୀକରଣ ସହିତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଜାରି ରହିଛି। ହାଇସ୍କୁଲ୍ ଗୁଡ଼ିକରେ ଆହୁରି ୧୧ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ବାହାରିଛି। ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ୧,୭୦୦ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ବାହାରିଛି।
ଚଳିତ ବର୍ଷ ଦଶମ ଓ ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷା ଠିକ୍ ସମୟରେ ହୋଇ ଠିକ୍ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ଆଶା କରିଛନ୍ତି। ଯଦି କିଛି ସମସ୍ୟା ଉପୁଜେ ତା’ହେଲେ ସେଥିପାଇଁ ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
