ଯୁକ୍ତ ୨ କଟଅଫ୍‌ ମାର୍କ; ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା, କଳାରେ କୃଷ୍ଣପ୍ରସାଦ କଲେଜ ଆଗରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୨-୨୩ ଶିକ୍ଷା ବର୍ଷ ନିମନ୍ତେ ଯୁକ୍ତ ୨ ଆଡମିଶନ ପାଇଁ ପ୍ରକାଶ ପାଇଲା କଟ୍ଅଫ୍ ମାର୍କ ତାଲିକା ।  ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା, କଳାରେ କୃଷ୍ଣପ୍ରସାଦ କଲେଜ ଶୀର୍ଷରେ ରହିଛି। ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ରେଭେନ୍ସାର କଟଅଫ୍ ସର୍ବାଧିକ ୯୪ .୩୩% ରହିଛି।  ୯୩. ୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ଏସ୍‌ଭିଏମ୍ କଲେଜ ଦ୍ୱିତୀୟରେ ରହିଛି । ୯୩% କଟଅଫ୍ ସହ ଭୁବନେଶ୍ୱର ବିଜେବି କଲେଜ ତାଲିକାର ତୃତୀୟରେ ରହିଛି […]

cut-off-mark

  • Published: Thursday, 18 August 2022
  • , Updated: 18 August 2022, 09:27 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୨-୨୩ ଶିକ୍ଷା ବର୍ଷ ନିମନ୍ତେ ଯୁକ୍ତ ୨ ଆଡମିଶନ ପାଇଁ ପ୍ରକାଶ ପାଇଲା କଟ୍ଅଫ୍ ମାର୍କ ତାଲିକା ।  ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା, କଳାରେ କୃଷ୍ଣପ୍ରସାଦ କଲେଜ ଶୀର୍ଷରେ ରହିଛି।

ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ରେଭେନ୍ସାର କଟଅଫ୍ ସର୍ବାଧିକ ୯୪ .୩୩% ରହିଛି।  ୯୩. ୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ଏସ୍‌ଭିଏମ୍ କଲେଜ ଦ୍ୱିତୀୟରେ ରହିଛି । ୯୩% କଟଅଫ୍ ସହ ଭୁବନେଶ୍ୱର ବିଜେବି କଲେଜ ତାଲିକାର ତୃତୀୟରେ ରହିଛି ।

ସେହିପରି ବାଣିଜ୍ୟରେ ୮୪.୧୭% ମାର୍କ ସହ ରେଭେନ୍ସା ଶୀର୍ଷରେ ରହିଛି । ୮୦.୬୭% କଟଅଫ୍ ମାର୍କ ସହ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ଦ୍ୱିତୀୟ ଏବଂ ୭୯.୮୩% କଟଅଫ୍ ମାର୍କ ସହ ବିଜେବି ତୃତୀୟ ସ୍ଥାନରେ ରହିଛି ।

କଳାରେ ୮୩.୫୦% ସହ କୃଷ୍ଣପ୍ରସାଦ କନ୍ଦାଖାଇ କଲେଜ ଟପ୍‌ରେ ଥିବା ବେଳେ, ୮୩.୩୩%ରେ ରେଭେନ୍ସା ୨ୟ, ୮୩.୧୭ରେ ନରସିଂହପୁର କଲେଜ ୩ୟରେ ରହିଛି।

ଆସନ୍ତା ୧୯ରୁ ୨୫ ତାରିଖ ଯାଏଁ ନାମଲେଖା ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା  ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ ବନ୍ୟା ଯୋଗୁଁ ନାମଲେଖା ଅବଧି ବୃଦ୍ଧି ପାଇଁ ସରକାରଙ୍କ ଅନୁମତି ଲୋଡ଼ା ଯାଇଥିବା ସେ କହିଛନ୍ତି । ସେପ୍ଟେମ୍ବର ୨ରେ ଦ୍ୱିତୀୟ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରକାଶ ପାଇବ ଓ ସେପ୍ଟେମ୍ବର ୫ରୁ ୭ ମଧ୍ୟରେ ନାମଲେଖା ହେବ । ଏହାପରେ ଉକ୍ତ ମାସ ୧୩ ତାରିଖରେ ସ୍ପଷ୍ଟ ଆଡମିଶନ ପାଇଁ ତାଲିକା ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ samsodisha.gov.in ସାଇଟ୍‌କୁ ଯାଇ ସେମାନଙ୍କ ନାମଲେଖା ଷ୍ଟାଟସ୍‌ ଜାଣିପାରିବେ ।

ଚଳିତ ବର୍ଷ ଯୁକ୍ତ ୨ ନାମଲେଖା ପାଇଁ ୪, ୮୦ ହଜାର ୭୦୪  ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ମାଧ୍ୟମିକ ଶିକ୍ଷା ପରିଷଦରୁ ୪, ୫୬, ୧୧୭ ଜଣ, ସିବିଏସ୍‌ଇରୁ ୧୯, ୭୫୩, ଆଇସିଏସ୍‌ଇରୁ ୩,୫୭୮ ଜଣ ଓ  ଅନ୍ୟାନ୍ୟ ବୋର୍ଡରୁ ୧,୨୪୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ୪,୦୪,୪୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣ ବର୍ଗରେ ୩, ୨୫, ୪୩୩ ଜଣ ଅଛନ୍ତି।  ଏସସି ବର୍ଗରେ ୩୮, ୮୪୭ ଜଣ ଓ ଏସ୍‌ଟି ବର୍ଗରେ ୩୮, ୬୨୩ ଜଣ ରହିଛନ୍ତି। ଅବଶିଷ୍ଟ ଛାତ୍ରଛାତ୍ରୀ ଅନ୍ୟ ୪ ବର୍ଗରୁ ରହିଛନ୍ତି।  ସେମାନଙ୍କ ମଧ୍ୟରେ ୨, ୦୩, ୮୪୫ ଛାତ୍ରୀ, ୨, ୦୦, ୫୨୩ ଜଣ ଛାତ୍ର ଓ ୩୨ ଜଣ ଟ୍ରାନ୍ସଜେଣ୍ଡର ରହିଛନ୍ତି ।

Related story