/odisha-reporter/media/post_attachments/uploads/2021/03/kerla-digital-university.jpg)
kerla-digital-university
ଥିରୁଅନନ୍ତପୁରମ: ଉଦଘାଟନ ହେଲା ଦେଶର ପ୍ରଥମ ଡିଜିଟାଲ ବିଶ୍ୱବିଦ୍ୟାଳୟ। କେରଳ ସରକାର ଏହି ବିଶ୍ୱବିଦ୍ୟାଳୟର ଉଦଘାଟନ କରିଛନ୍ତି। ଥିରୁଅନନ୍ତପୁରମ ମଙ୍ଗଲାପୁରମ ସ୍ଥିତ ଟେକ୍ନୋସିଟିରେ ଦେଶର ଏହି ପ୍ରଥମ ଡିଜିଟାଲ ବିଶ୍ୱବିଦ୍ୟାଳୟର ଉଦଘାଟନ ହୋଇଛି। ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ଅଧ୍ୟକ୍ଷତାରେ ରାଜ୍ୟପାଳ ଆରିଫ ମହମ୍ମଦ ଏହି ବିଶ୍ୱବିଦ୍ୟାଳୟକୁ ଭିଡିଓ କନଫରେନସିଂ ଜରିଆରେ ଉଦଘାଟନ କରିଛନ୍ତି। ଏହି ବିଶ୍ଵବିଦ୍ୟାଳୟ ପାଖାପାଖି ୧୦ ଏକର ଜାଗାରେ ତିଆରି ହୋଇଛି।
କେରଳ ୟୁନିଭର୍ସିଟି ଅଫ୍ ଡିଜିଟାଲ ସାଇନ୍ସ, ଇନୋଭେସନ ଆଣ୍ଡ ଟେକ୍ନୋଲଜି (KUDSIT)ର କୁଳପତି ହେଉଛନ୍ତି ରାଜ୍ୟପାଳ ଆରିଫ। ଉଚ୍ଚ ଶିକ୍ଷା କ୍ଷେତ୍ରରେ କେରଳ ସରକାରର ଏହି ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି।
ରାଜ୍ୟପାଳ କହିଛନ୍ତି, ଆମ ଜୀବନରେ ଜ୍ଞାନର ଭୂମିକା ରହିଛି। ଏହାଦ୍ୱାରା ମଣିଷ ନିଜ ଭିତରେ ଆତ୍ମବିଶ୍ୱାସ, ବିଚାରଧାରା ବଢାଇଥାଏ। ଏହା ଆମକୁ ଅନ୍ଧାରରୁ ମୁକ୍ତ କରି ଆଲୋକ ଆଡକୁ ଅଗ୍ରସର ହେବା ପାଇଁ ମାଧ୍ୟମ ସାଜିଥାଏ। ସେ କହିଛନ୍ତି ଯେ ଏହି ଡିଜିଟାଲ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଛାତ୍ରମାନଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବ୍ଲକ୍ ଚେନ୍, ଡାଟା ଆନାଲିଟିକ୍ସ ସହିତ ଅନ୍ୟ ଡିଜିଟାଲ୍ ପାଠ୍ୟକ୍ରମ ଶିକ୍ଷା ଦିଆଯିବ। ଏହାଦ୍ୱାରା ସେମାନଙ୍କର ଅଗ୍ରଗତି ହୋଇପାରିବ।
ସେହିପରି ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି ଯେ ଏହା ହେଉଛି ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ ଏବଂ ଏହା ମାଧ୍ୟମରେ ଯୁବକମାନଙ୍କ ପାଇଁ ବଡ଼ ସୁଯୋଗ ସୃଷ୍ଟି ହେବ। ସେ କହିଛନ୍ତି, "ସମଗ୍ର ବିଶ୍ୱରେ ବୈଷୟିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଘଟୁଛି। ଏଥିପାଇଁ ପ୍ରତିଭାବାନ ଲୋକଙ୍କୁ ବୈଷୟିକ ପ୍ରୋତ୍ସାହନ ଆବଶ୍ୟକ।
ଏହି ବିଶ୍ୱବିଦ୍ୟାଳୟରେ ୫ଟି ବିଭାଗ ରହିଛି। ଏଥି ମଧ୍ୟରେ ସ୍କୁଲ ଅଫ୍ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ସ୍କୁଲ ଅଫ୍ ଡିଜିଟାଲ ସାଇନ୍ସ, ସ୍କୁଲ ଅଫ୍ ଇଲେକ୍ଟ୍ରୋନିକ୍ ସିଷ୍ଟମ ଏବଂ ଅଟୋମେସନ୍, ସ୍କୁଲ୍ ଅଫ୍ ଇନଫର୍ମେଟିକ୍ସ ଏବଂ ସ୍କୁଲ୍ ଅଫ୍ ଡିଜିଟାଲ୍ ହ୍ୟମାନିଟିଜ ଏବଂ ଲିବରାଲ୍ ଆର୍ଟସ ସାମିଲ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
