ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାର୍ଚ୍ଚରେ ଦ୍ୱାଦଶ ବୋର୍ଡ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ସମ୍ବଳିତ ଚିଠି ଜାରି ହୋଇଛି।
ଏହି ଚିଠି ଅନୁଯାୟୀ, ଆସନ୍ତା ଜାନୁଆରୀ ୧୦ ସୁଦ୍ଧା ତୃତୀୟ ତ୍ରୈମାସିକ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତ୍ରୈମାସିକ ପରୀକ୍ଷା ସାରି ପିଲାଙ୍କ ମାର୍କ ରେକର୍ଡ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖୁବ୍ ଶୀଘ୍ର ପରିଷଦ ପକ୍ଷରୁ ଏକ ଲିଙ୍କ୍ ପ୍ରଦାନ କରାଯିବ।
ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସେହି ଲିଙ୍କରେ ମାର୍କ ଅପ୍ଲୋଡ୍ କରିବେ। ପ୍ରତିକୂଳ ପରିସ୍ଥିତିରେ ପରୀକ୍ଷା ହୋଇ ନପାରିଲେ ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ବିକଳ୍ପ ବ୍ୟବସ୍ଥା ସ୍ୱରୂପ ତ୍ରୈମାସିକ ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ୍ଚରେ ହେବାକୁ ଥିବା ଦ୍ୱାଦଶ ବୋର୍ଡ ପରୀକ୍ଷାର ବିସ୍ତୁତ ବିବରଣୀ ସଠିକ୍ ସମୟରେ ସୂଚାଇ ଦିଆଯିବ ବୋଲି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତା'ର ବିଜ୍ଞପ୍ତିରେ କହିଛି।