/odisha-reporter/media/post_attachments/uploads/2020/03/upsc-1.jpg)
upsc
ନୂଆଦିଲ୍ଲୀ: ଚଳିତ ବର୍ଷ ୟୁପିଏସସି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୟୁପିଏସସିର ଅଫିସିଆଲ ଓ୍ୱେବସାଇଟରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ୍ ୭୧୨ଟି ପୋଷ୍ଟ ଆଇଏଏସ ଏବଂ ଆଇପିଏସ ପଦବୀ ପାଇଁ ୧୧୦ଟି ପଦବୀ ଭାରତୀୟ ବନ ବିଭାଗ ପାଇଁ ପ୍ରକାଶ ପାଇଛି। ଅନ୍ ଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟା ମାର୍ଚ୍ଚ ୪ରୁ ଆରମ୍ଭ ହୋଇଯାଇଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍ ଓ୍ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ମାର୍ଚ୍ଚ ୨୪ ରହିଛି।
ଏହି ପରୀକ୍ଷା ପାଇଁ ଆବଶ୍ୟକ ଯୋଗ୍ୟତା ଗ୍ରାଜୁଏସନ ରହିଛି। ପ୍ରାର୍ଥୀଙ୍କ ବୟସ ୨୧ରୁ ୩୨ ବର୍ଷ ମଧ୍ୟରେ ରହିବା ଦରକାର। ଭାରତୀୟ ନାଗରିକ ହିଁ ଆଇଏସଏସ ଏବଂ ଆଇପିଏସ ପରୀକ୍ଷା ପାଇଁ ଆବେଦନ କରିପାରିବେ।
ଏସସି, ଏସଟି, ଶାରୀରିକ ଅକ୍ଷମ ଏବଂ ମହିଳା ପ୍ରାର୍ଥୀ ବିନା ଦେୟରେ ଆବେଦନ କରିପାରିବେ। ଅନ୍ୟମାନଙ୍କ ପାଇଁ ୧୦୦ ଟଙ୍କା ରହିଛି ଦେୟ। ଆବେଦନ ବେଳେ କୌଣସି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଚାଲାଣ, ନେଟ ବ୍ୟାଙ୍କିଂ, ଡେବିଟ କାର୍ଡ/ମାଷ୍ଟର କାର୍ଡ ଜରିଆରେ ଦେୟ ଦେବାର ବ୍ୟବସ୍ଥା ରହିଛି।
ପ୍ରାର୍ଥୀ ଚୟନ ପୂର୍ବ ପରି ସମାନ ରହିଛି। ପ୍ରାର୍ଥୀ ଚୟନ ପାଇଁ ତିନୋଟି ପର୍ଯ୍ୟାୟ ପରୀକ୍ଷା କରାଯିବ। ପ୍ରଥମଟି ହେବ ପ୍ରିଲିମ୍ ପରୀକ୍ଷା, ଯେଉଁଥିରେ ପାସ୍ କରିଥିବା ପ୍ରାର୍ଥୀମାନେ ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ ବା ମେନ୍ ପରୀକ୍ଷାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଏଥି ସହିତ ମୁଖ୍ୟ ପରୀକ୍ଷାରେ ସଫଳ ହେବାକୁ ଥିବା ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ।
ପ୍ରିଲିମ ପରୀକ୍ଷା ୪୦୦ ମାର୍କ, ମେନ୍ ପରୀକ୍ଷା ୧୭୫୦ ମାର୍କ ଏବଂ ସାକ୍ଷାତକାର ୨୭୫ ମାର୍କ ରହିଛି। ମେରିଟ୍ ତାଲିକା ପ୍ରସ୍ତୁତ କରିବାକୁ କେବଳ ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାରର ମାର୍କ ଯୋଡା ଯାଇଛି। ଯୋଗ୍ୟତା ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ଏଥିପାଇଁ ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାରର ମାର୍କକୁ ଆଧାର କରାଯିବ।
ଆବେଦନ କରିବା ପାଇଁ ଲିଙ୍କ୍: UPSC - Examination Notices / ୟୁପିଏସସି ପରୀକ୍ଷା ପାଇଁ ବିଜ୍ଞପ୍ତି (upsconline.nic.in)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
