ରାଜ୍ୟରେ ଉଚ୍ଚ ଶିକ୍ଷାର ବିକଳ ଚିତ୍ର ସାମ୍ନାକୁ ଆସିଛି। ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ଅତିଥି ଅଧ୍ୟାପକ/ଅଧ୍ୟାପିକାଙ୍କ ଭରସାରେ ଚାଲିଛି। ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।
ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଏକ ପ୍ରଶ୍ନର ଜବାବରେ ଉଚ୍ଚଶିକ୍ଷା ମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ଥିବା ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ମୋଟ ୨୦୦୩ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ଅଛି। ସେଥିମଧ୍ୟରୁ ୬୯୬ଟି ପଦବୀରେ ଅଧ୍ୟାପକ/ଅଧ୍ୟାପିକା କାର୍ଯ୍ୟ କରୁଛନ୍ତି ଓ ୧୩୦୭ଟି ପଦବୀ ଖାଲି ଅଛି। ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କରେ ଖାଲିଥିବା ବିଭିନ୍ନ ବର୍ଗର ଅଧ୍ୟାପକ ପଦବୀଗୁଡ଼ିକର ପୂରଣ ନିମନ୍ତେ ରାଜ୍ୟ ସରକାରଙ୍କ ଚିଠି ସଂ ୪୪୭୭ ତା. ୦୧.୦୨.୨୦୨୪ ଓ ଚିଠି ସଂ ୪୪୭୮ ତା. ୦୧.୦୨.୨୦୨୪ ଦ୍ୱାରା ଜାରି ଆଦେଶ ଓ ନିର୍ଦ୍ଦେଶାବଳୀ ଅନୁଯାୟୀ, ଉକ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ଅତିଥି ଅଧ୍ୟାପକ ଓ ଅବରସପ୍ରାପ୍ତ ଅଧ୍ୟାପକମାନଙ୍କୁ ନିଯୁକ୍ତି ଦିଆଯାଉଛି। ଏଥିପାଇଁ ବିଶ୍ୱବିଦ୍ୟାଳୟମାନଙ୍କ ଦ୍ୱାରା ଏବେ ସୁଦ୍ଧା ୯୬୩ ଜଣ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ରାଜ୍ୟରେ ଥିବା ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ମୋଟ ୨୬୯୨ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଅଛି। ସେଥିରୁ ୭୮୨ଟି ପଦବୀରେ କର୍ମଚାରୀ କାର୍ଯ୍ୟ କରୁଛନ୍ତି ଓ ୧୯୧୦ଟି ପଦବୀ ଖାଲି ପଡ଼ିଛି।
ଉତ୍କଳ ବିଶ୍ୱବିଦ୍ୟାଳୟରେ ୪୬ଟି ପ୍ରଫେସର ପଦବୀ ଥିବା ବେଳେ ୩୬ଟି ଖାଲି ପଡ଼ିଛି। ସେହିପରି ୭୫ଟି ଆସୋସିଏଟ୍ ପ୍ରଫେସର ପଦବୀ ରହିଥିବା ବେଳେ ୪୫ଟି ଖାଲି ପଡ଼ିଛି। ୧୧୮ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରୁ ୫୫ଟି ଖାଲି ପଡ଼ିଛି। ଅର୍ଥାତ୍ ଏଠାରେ ମୋଟ ୨୩୯ଟି ପଦରୁ ୧୩୬ଟି ଖାଲି ପଡ଼ିଛି।
ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ମୋଟ ୨୧ଟି ଅଧ୍ୟାପକ ପଦବୀ ରହିଥିବା ବେଳେ ସବୁଗୁଡ଼ିକ ଖାଲି ପଡ଼ିଛି। ଏହି ବିଶ୍ୱବିଦ୍ୟାଳୟ ପାଇଁ ୩ଟି ପ୍ରଫେସର, ୬ଟି ଆସୋସିଏଟ୍ ପ୍ରଫେସର ଓ ୧୨ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ସୃଷ୍ଟି କରାଯାଇଥିବା ବେଳେ ସବୁଗୁଡ଼ିକ ଖାଲି ପଡ଼ିଛି। ୧୦ ଜଣ ଅତିଥି ଅଧ୍ୟାପକ (୩ ପ୍ରଫେସର ଓ ୭ ଜଣ ଆସିଷ୍ଟାଣ୍ଟ ପ୍ରଫେସର)ରେ ଏହି ବିଶ୍ୱବିଦ୍ୟାଳୟ ଚାଲିଛି।
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରକୁ ମିଶାଇ ମୋଟ ୨୬୭ଟି ପଦବୀ ରହିଥିବା ବେଳେ ସେଥିରୁ ୧୫୭ଟି ଖାଲି ପଡ଼ିଛି। ୨୯ଟି ପ୍ରଫେସର ପଦବୀରୁ ୨୦ଟି ଖାଲି ପଡ଼ିଥିବା ବେଳେ ୭୧ଟି ଆସୋସିଏଟ୍ ପ୍ରଫେସର ପଦବୀରୁ ୫୨ଟି ଓ ୧୬୭ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରୁ ୮୫ଟି ଖାଲି ପଡ଼ିଛି।
ଏମ୍ଏସ୍ସିବିରେ ୧୯ଟି ପ୍ରଫେସର, ୩୯ଟି ଆସୋସିଏଟ୍ ପ୍ରଫେସର ଓ ୫୭ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରୁ ଯଥାକ୍ରମେ ୧୫, ୨୬ ଓ ୨୪ଟି ଖାଲି ପଡ଼ିଛି। ଅର୍ଥାତ୍ ୧୧୫ଟି ଅଧ୍ୟାପକ ପଦବୀରୁ ୬୫ଟି ଖାଲି ପଡ଼ିଛି।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରକୁ ମିଶାଇ ଥିବା ୧୮୨ଟି ପଦବୀରୁ ୯୩ଟି ଖାଲି ପଡ଼ିଥିବା ବେଳେ ଜିଏମ୍ ବିଶ୍ୱବିଦ୍ୟାଳୟରେ ୧୪୪ରୁ ୭୮ଟି, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୧୩୫ଟିରୁ ୭୧ଟି, ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୧୧୭ଟିରୁ ୪୯ଟି, ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ୧୧୨ଟିରୁ ୧୧୨ଟି, ଏସ୍ଜେଏସ୍ଭିରେ ୩୮ଟିରୁ ୧୯ଟି, ରମାଦେବୀ ବିଶ୍ୱବିଦ୍ୟାଳୟରେ ୧୩୭ଟିରୁ ୭୮ଟି, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୨୬ଟିରୁ ୧୦୬ଟି, ଧରଣୀଧର ବିଶ୍ୱବିଦ୍ୟାଳୟରେ ୯୭ଟିରୁ ୯୭ଟି, ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ୧୧୧ଣୁ ୧୧୧ଟି, ଏମ୍ଏସ୍ ଲ’ ବିଶ୍ୱବିଦ୍ୟାଳୟରେ ୫୦ରୁ ୩୦ ଓ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ୧୧୨ଟିରୁ ୮୪ଟି ପଦବୀ ଖାଲି ପଡ଼ିଛି।
ଏହି ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ୨୮୭ଟି ପ୍ରଫେସର ପଦବୀରୁ ୨୪୨ଟି ଖାଲି ପଡ଼ିଥିବା ବେଳେ ୫୭୮ଟି ଆସୋସିଏଟ୍ ପ୍ରଫେସର ପଦବୀରୁ ୪୩୧ଟି ଖାଲି ପଡ଼ିଛି। ସେହିପରି ୧୧୩୮ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରୁ ୬୩୪ଟି ଖାଲି ପଡ଼ିଛି।
ଉତ୍କଳ ବିଶ୍ୱବିଦ୍ୟାଳୟରେ ୫୯ ଜଣ ଅତିଥି ଅଧ୍ୟାପକ/ଅଧ୍ୟାପିକାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ୧୦, ରେଭେନ୍ସାରେ ୮୯, ଓଏସ୍ଓୟୁରେ ୬୩, ଏମ୍ଏସ୍ସିବିରେ ୫୦, ବ୍ରହ୍ମପୁରରେ ୩୮, ଜିଏମ୍ରେ ୬୧, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୬୪, ଫକୀର ମୋହନରେ ୧୯, ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ୬୩, ଏସ୍ଜେଏସ୍ଭିରେ ୫, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୮୧, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୧୩, ଧରଣୀଧର ବିଶ୍ୱବିଦ୍ୟାଳୟରେ ୬୩, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ୭୮, ଏମ୍ଏସ୍ ଲ’ ବିଶ୍ୱବିଦ୍ୟାଳୟରେ ୪୦ ଓ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ୬୭ ଜଣ ଅତିଥି ଅଧ୍ୟାପକ/ଅଧ୍ୟାପିକାଙ୍କୁ ନିଯୁକ୍ତି ଦିଆଯାଇଛି। ୧୭ଟି ଯାକ ବିଶ୍ୱବିଦ୍ୟାଳୟରେ ଏହିଭଳି ମୋଟ ୯୬୩ ଜଣ ଅତିଥି ଅଧ୍ୟାପକ/ଅଧ୍ୟାପିକାକୁ ନିଯୁକ୍ତି ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୫୩ ଜଣ ପ୍ରଫେସର, ୬୦ ଜଣ ଆସୋସିଏଟ୍ ପ୍ରଫେସର ଓ ୮୫୦ ଜଣ ଆସିଷ୍ଟାଣ୍ଟ ପ୍ରଫେସର ଅଛନ୍ତି।