Utkal University
ଚଳିତମାସରେ ଶେଷ ହେଉଥିବା ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ଆଉ ୬ମାସ ବୃଦ୍ଧି କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ନୂଆ କୁଳପତିଙ୍କ ନିଯୁକ୍ତିରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ବିଳମ୍ବ କରୁଥିବାକୁ ନେଇ ରାଜଭବନ ଗତ ସପ୍ତାହରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ୩ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ଚୟନ ନିମନ୍ତେ ଏପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ବିଜ୍ଞାପନ ଜାରି କରିନଥିବାରୁ ରାଜ୍ୟପାଳ ଆଜି ସମ୍ପୃକ୍ତ କୁଳପତିମାନଙ୍କ କାର୍ଯ୍ୟକାଳକୁ ଆଉ ୬ମାସ ବୃଦ୍ଧି କରିଛନ୍ତି ।
ଆଜି ଗୁରୁବାର ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଉତ୍କଳ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ବୃଦ୍ଧି କରିଛନ୍ତି । ଏହି ୩ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ସରିବା ଦିନଠୁ ୬ମାସ ପର୍ଯ୍ୟନ୍ତ ଅବା ନୂଆ କୁଳପତି ଯୋଗଦେବା ପର୍ଯ୍ୟନ୍ତ(ଯାହା ପ୍ରଥମେ ଆସିବ) ବୃଦ୍ଧି କରାଗଲା । ତେବେ ଏହି ସମ୍ପ୍ରସାରିତ କାର୍ଯ୍ୟକାଳ ମଧ୍ୟରେ ସମ୍ପୃକ୍ତ କୁଳପତିମାନେ କୁଳାଧିପତିଙ୍କ ବିନା ଅନୁମତିରେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କର ନଭେମ୍ବର ୨୩, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନାଗରାଜୁଙ୍କର ନଭେମ୍ବର ୨୬ ଓ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ କାର୍ଯ୍ୟକାଳ ନଭେମ୍ବର ୨୫ତାରିଖରେ ଶେଷ ହେଉଛି ।
ତେବେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଚଳିତମାସରେ ଶେଷ ହେଉଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇନାହିଁ ।
ସୂଚନାଯୋଗ୍ୟ, ଗତ ନଭେମ୍ବର ୮ତାରିଖରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ ରାଜପୁତ ରାଜ୍ୟ ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖି କୁଳପତି ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ କହିଥିଲେ । ଏହାସହିତ ଚୟନ ପ୍ରକ୍ରିୟା ବିଳମ୍ବକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1682959437.jpg)