Teachers
ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ପ୍ରାଥମିକ ସ୍କୁଲର ୬୬୦ଜଣ ଶିକ୍ଷକଙ୍କୁ ଏକକାଳୀନ ବଦଳି କରିଛନ୍ତି। ଏହି ଶିକ୍ଷକମାନେ ନିଜର ପତି ଅବା ପତ୍ନୀ କାର୍ଯ୍ୟରତ ଥିବା ଜିଲ୍ଲାକୁ ବଦଳି ପାଇଁ କରିଥିବା ଆବେଦନକୁ ବିଚାର କରି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଶିକ୍ଷକମାନେ ଯେଉଁ ନୂଆ ଜିଲ୍ଲାକୁ ବଦଳି ହୋଇଛନ୍ତି ସେଠାରେ କାର୍ଯ୍ୟରେ ଯୋଗ ଦେବାପରେ ସମ୍ପୃକ୍ତ ଜିଲ୍ଲାରେ ନିଜ କ୍ୟାଡ଼ରରେ ସବୁଠୁ କନିଷ୍ଠ ଭାବେ ପରିଗଣିତ ହେବେ ତଥା ସେମାନେ ନିଜର ବରିଷ୍ଠତା ହରାଇବେ ବୋଲି ଗଣଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।
ରାଜ୍ୟସ୍ତରୀୟ ବଦଳି କମିଟିର ସୁପାରିଶ ଆଧାରରେ ବିଭିନ୍ନ ଜିଲ୍ଲାରେ ପ୍ରଧାନଶିକ୍ଷକ, ଆସିଷ୍ଟାଣ୍ଟ ଶିକ୍ଷକ, କନିଷ୍ଠ ଶିକ୍ଷକ, କନିଷ୍ଠ ଶିକ୍ଷକ(ସ୍କିମେଟିକ୍) ବର୍ଗର ୬୬୦ଜଣ ଶିକ୍ଷକଙ୍କୁ ବଦଳି କରାଯାଇଛି । ଏହି ବଦଳି ପାଇଁ ସମ୍ପୃକ୍ତ ଶିକ୍ଷକମାନେ ଲିଖିତ ଅନୁରୋଧ କରିଥିଲେ । ତେବେ ରାଜ୍ୟ ସରକାର ଏହି ଶିକ୍ଷକମାନଙ୍କୁ ସେମାନଙ୍କ ପସନ୍ଦର ଜିଲ୍ଲାକୁ ବଦଳି କରିବାବେଳେ କେତେକ ସର୍ତ୍ତ ନିର୍ଦ୍ଧାରଣ କରିଛନ୍ତି । ନିଜ ପତି ଅବା ପତ୍ନୀ କାର୍ଯ୍ୟରତ ଥିବା ଜିଲ୍ଲାକୁ ବଦଳି ପାଇଁ କରିଥିବା ଆବେଦନ ଆଧାରରେ ଏହି ୬୬୦ଜଣ ଶିକ୍ଷକଙ୍କ ବଦଳି ହୋଇଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।
ବଦଳି ହେବାପରେ ନୂଆ ଜିଲ୍ଲାରେ ସମ୍ପୃକ୍ତ ଶିକ୍ଷକଙ୍କ ବରିଷ୍ଠତା ରହିବ ନାହିଁ । ତାଙ୍କୁ ସମ୍ପୃକ୍ତ ଜିଲ୍ଲାରେ ଗ୍ରେଡେସନ୍ ତାଲିକାର ସର୍ବନିମ୍ନରେ ରହିବାକୁ ପଡ଼ିବ । ଉଭୟ ଆସିଷ୍ଟାଣ୍ଟ ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କ ସର୍ଭିସ ରେକର୍ଡକୁ ସେମାନେ ଯୋଗ ଦେବା ପରେ ତୁରନ୍ତ ନୂଆ ଜିଲ୍ଲାକୁ ପଠାଯିବ । କନିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକ(ସ୍କିମେଟିକ) ନିଜର ଚାକିରି କାଳ ମଧ୍ୟରେ ଥରେ ‘ଦମ୍ପତି ଟ୍ରାନ୍ସଫର’ ପାଇଁ ଯୋଗ୍ୟ ହେବେ । ଯଦି କୌଣସି କନିଷ୍ଠ ଶିକ୍ଷକ(ସ୍କିମେଟିକ)ଙ୍କ ବଦଳି ହୋଇଥିବ ତା’ହେଲେ ସେ ପ୍ରାଥମିକ ସ୍କୁଲର ଶିକ୍ଷକ ଭାବେ ଲେଭଲ-୫ କ୍ୟାଡ଼ରରେ ନିୟମିତ ଶିକ୍ଷକ ହେବାପରେ ସେହି ବଦଳି ସଂକ୍ରାନ୍ତ ତଥ୍ୟ ତାଙ୍କ ସର୍ଭିସ ବୁକରେ ଉଲ୍ଲେଖ ରହିବ । ଏହି ବଦଳି ପାଇଁ ସମ୍ପୃକ୍ତ ଶିକ୍ଷକମାନଙ୍କୁ କୌଣସି ଟିଏ ଅବା ଡିଏ ମିଳିବ ନାହିଁ । ବଦଳି ପରେ ଅବସର ପର୍ଯ୍ୟନ୍ତ ଦୀର୍ଘକାଳୀନ ଛୁଟି କୌଣସି ପରିସ୍ଥିତିରେ ବି ଗ୍ରହଣୀୟ ହେବ ନାହିଁ ।
ନୂଆ ଜିଲ୍ଲାରେ ସେମାନେ କେଉଁଠି ନିଯୁକ୍ତି ପାଇବେ ତାହା ସମ୍ପୃକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ପ୍ରାବଧାନ ଆଧାରରେ ସ୍ଥିରୀକୃତ ହେବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Teachers_1728057692.jpg)