ଓଡ଼ିଶାରେ ଖୋଲିବ ଆଉ ୮ଟି କେନ୍ଦ୍ରୀୟ ବିଦ୍ୟାଳୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି(ସିସିଇଏ) ବୈଠକରେ ଓଡ଼ିଶାର ୮ଟି ସମେତ ସମଗ୍ର ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନକୁ ମଞ୍ଜୁରୀ ମିଳିଛି । ଏହାସହିତ ଆଉ ୨୮ଟି ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଧ୍ୟ ସିସିଇଏ ଅନୁମୋଦନ କରିଛନ୍ତି ।

Representational image

  • Published: Friday, 06 December 2024
  • , Updated: 06 December 2024, 10:30 PM IST

ଓଡ଼ିଶାରେ ଆଉ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି(ସିସିଇଏ) ବୈଠକରେ ଓଡ଼ିଶାର ୮ଟି ସମେତ ସମଗ୍ର ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନକୁ ମଞ୍ଜୁରୀ ମିଳିଛି । ଏହାସହିତ ଆଉ ୨୮ଟି ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଧ୍ୟ ସିସିଇଏ ଅନୁମୋଦନ କରିଛନ୍ତି ।

ଓଡ଼ିଶାରେ ଯେଉଁ ୮ଟି ସ୍ଥାନରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ନୀତିଗତ ନିଷ୍ପତ୍ତି ହୋଇଛି ସେଗୁଡ଼ିକ ହେଲା ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଓ ପାଟଣାଗଡ଼, ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ତାଳଚେର, ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, କୋରାପୁଟ ଜିଲ୍ଲାର ଜୟପୁର ଓ ଖୋର୍ଦ୍ଧା ଜିଲ୍ଲାର ଆଇଟିବିପି ଖୋର୍ଦ୍ଧାରେ ଖୋଲିବ । ଏହି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ୫୮୭୨ କୋଟି ଟଙ୍କା ଓ ୨୮ଟି ନବୋଦୟ ସ୍କୁଲ ପ୍ରତିଷ୍ଠା ପାଇଁ ୨୩୫୯କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଖର୍ଚ୍ଚ ଭାରତ ସରକାର ବହନ କରିବେ ।

ସ୍ଥାନୀୟ ଲୋକମାନଙ୍କ ଦାବି ଓ ଆଶାଆକାଂକ୍ଷାକୁ ଦୃଷ୍ଟିରେ ଣଖି ସରକାର ଏହି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଓଡ଼ିଶା ସମେତ ସମଗ୍ର ଦେଶରେ ଉତ୍ତମ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା ଏହାଦ୍ୱାରା ସହଜ ହେବ ।

ଓଡ଼ିଶାରେ ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ ଗଠନ କରିବା ଦିଗରେ  କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସୂଚନାଯୋଗ୍ୟ ଏବେ ସମଗ୍ର ଦେଶରେ ୧୨୫୬ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି । ବିଦେଶରେ ମସ୍କୋ, କାଠମାଣ୍ଡୁ ଓ ତେହରାନରେ ୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଥିବାବେଳେ ମୋଟ ୧୩.୫୬ଲକ୍ଷ ଛାତ୍ରଛାତ୍ରୀ ଏହି ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି ।

Related story