Advertisment

ଝାରସୁଗୁଡ଼ାରେ ଆସନ୍ତା ଦୁଇ ଦିନ ବନ୍ଦ ରହିବ ସ୍କୁଲ

ଶିକ୍ଷାର୍ଥୀମାନଙ୍କୁ ହିଟ୍‌ ୱେଭ୍ ଦାଉରୁ ରକ୍ଷା କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

author-image
Jitendra Garnayak
School

School

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତା ଦୁଇ ଦିନ (୧୯ ଓ ୨୦ ତାରିଖ) ସ୍କୁଲ୍‌ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି ଓ ଗୁରୁବାର ଜିଲ୍ଲାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ବନ୍ଦ ରହିବ।

Advertisment

ଖରା ଛୁଟି ଶେଷ ହେବା ପରେ ଆଜି ରାଜ୍ୟର ଅନେକ ଜିଲ୍ଲାରେ ସ୍କୁଲ୍‌ଗୁଡ଼ିକ ଖୋଲିଛି। କିନ୍ତୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ୍‌ଗୁଡ଼ିକୁ ସକାଳୁଆ କରାଯାଇଛି। ଆଉ କିଛି ଜିଲ୍ଲାର ଜିଲ୍ଲାପାଳମାନେ ସ୍କୁଲ୍‌ଗୁଡ଼ିକୁ ୨୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ସେହିକ୍ରମରେ ଝାରସୁଗୁଡ଼ା ଜିଲ୍ଲାପାଳ ଗତକାଲି କେବଳ ଆଜି ପାଇଁ ସ୍କୁଲ୍‌ଗୁଡ଼ିକୁ ଛୁଟି ଘୋଷଣା କରିଥିଲେ। ଏହା ସହିତ ୧୯ ଓ ୨୦ ତାରିଖରେ ସ୍କୁଲ୍‌ଗୁଡ଼ିକ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ଜିଲ୍ଲାପାଳ ନିଜର ଏହି ନିର୍ଦ୍ଦେଶକୁ ବଦଳାଇ ଆସନ୍ତାକାଲି ଓ ଗୁରୁବାର ମଧ୍ୟ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାର୍ଥୀମାନଙ୍କୁ ହିଟ୍‌ ୱେଭ୍ ଦାଉରୁ ରକ୍ଷା କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ରାଜ୍ୟ ଆଜି ୫ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିବା ବେଳେ ଝାରସୁଗୁଡ଼ାର ଦିନର ସର୍ବୋଚ୍ଚ ତାପମାତ୍ରା ୪୦.୬ ଡିଗ୍ରୀ ରହିଥିଲା। ନୂଆପଡ଼ାରେ ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରହିଥିଲା। ବଲାଙ୍ଗିରରେ ତାପମାତ୍ରା ୪୧.୫ ଡିଗ୍ରୀ ରହିଥିବା ବେଳେ ବୌଦ୍ଧରେ ୪୧.୨, ଭବାନୀପାଟଣା ଓ ଟିଟିଲାଗଡ଼ରେ ୪୧, ପାରଳାଖେମୁଣ୍ଡି ଓ ସୋନପୁରରେ ୪୦.୭,ଢେଙ୍କାନାଳ ୪୦.୪, ଭୁବନେଶ୍ୱରରେ ୩୯.୮ ଓ କଟକରେ ୩୮.୪ ଡିଗ୍ରୀ ରେକର୍ଡ କରାଯାଇଥିଲା।

Advertisment

ଭଦ୍ରକ, ଗଞ୍ଜାମ, ବରଗଡ଼, ନୂଆପଡ଼ା, ବଲାଙ୍ଗିର, ସମ୍ବଲପୁର, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ଗଜପତି ଓ ମୟୂରଭଂଜରେ ୨୦ ଯାଏଁ ଛୁଟି ଘୋଷଣା କରିଛନ୍ତି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ। ନୟାଗଡ଼ ଜିଲ୍ଲାରେ ୧୯ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଏହାପରେ ୨୦ରୁ ୨୨ ପର୍ଯ୍ୟନ୍ତ ସକାଳ ସାଢ଼େ ୬ରୁ ସାଢ଼େ ୧୦ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ଼ ଜିଲ୍ଲାପାଳ। 

School Reopen In Odisha