Advertisment

ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଙ୍କଟ: ୩ଟି ପର୍ଯ୍ୟାୟ ପରେ ବି ୧.୧୫ଲକ୍ଷରୁ ଅଧିକ ଡିଗ୍ରୀ ସିଟ୍ ଫାଙ୍କା

କଟକସ୍ଥିତ ରେଭେନସା ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ନାମଲେଖାରେ ପୁଣିଥରେ ଅଧିକ କଟଅଫ୍ ମାର୍କ ସହ ନିଜର ଏକାଡେମିକ୍ ପ୍ରଭାବ ବଜାୟ ରଖିବାରେ ସକ୍ଷମ ହୋଇଛି ।

author-image
Ordigital Desk
College Students

College Students

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆଜି ସ୍ନାତକ(ଯୁକ୍ତ ତିନି) ପାଠ୍ୟକ୍ରମରେ ନାମଲେଖା ପାଇଁ ନିଜର ତୃତୀୟ ତଥା ଶେଷ ପର୍ଯ୍ୟାୟ କଟଅଫ୍ ମାର୍କ ତାଲିକା ଜାରି କରିଛି । ଆଉ ଏହି କଟଅଫ୍ ମାର୍ଗରେ ରେଭେନ୍ସା କଲେଜ ନିଜର ଦବଦବା ଜାହିର କରିଥିବାବେଳେ ବିଭିନ୍ନ କଲେଜରେ ପ୍ରାୟ ୧.୧୫ଲକ୍ଷରୁ ଅଧିକ ଡିଗ୍ରୀ ସିଟ୍ ଫାଙ୍କା ରହିବା ରାଜ୍ୟ ସରକାରଙ୍କ ବିଫଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜାତୀୟ ଶିକ୍ଷା ନୀତି-୨୦୨୦କୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପରେ ପ୍ରଥମଥର ପାଇଁ ଆଡମିଶନ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି ।

Advertisment

ରାଜ୍ୟରେ ଖାଲି ପଡ଼ିଛି ୧.୧୫ଲକ୍ଷ ଡିଗ୍ରୀ ସିଟ୍‌

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ରାଜ୍ୟର ବିଭିନ୍ନ କଲେଜରେ ୧ଲକ୍ଷ ୧୫ହଜାର ୧୪୭ଟି ଡିଗ୍ରୀ ସିଟ୍ ଏବେ ଫାଙ୍କା ପଡ଼ିଛି । ରାଜ୍ୟରେ ମୋଟ ଅନୁମୋଦିତ ଡିଗ୍ରୀ ସିଟ୍ ସଂଖ୍ୟା ୨ଲକ୍ଷ ୭୪ହଜାର ୩୬୫ଥିବାବେଳେ ସମସ୍ତ ୩ଟି ପର୍ଯ୍ୟାୟ ପରେ ମାତ୍ର ୧ଲକ୍ଷ ୫୯ହଜାର ୨୧୮ଟି ସିଟରେ ନାମଲେଖା ସମ୍ଭବପର ହୋଇପାରିଛି । ଶେଷପର୍ଯ୍ୟାୟ ଅର୍ଥାତ୍ ତୃତୀୟ ପର୍ଯ୍ୟାୟରେ ମୋଟ ୪୯୮୧୮ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଚୟନ ହୋଇଛନ୍ତି । ତୃତୀୟ ପର୍ଯ୍ୟାୟ ତାଲିକାରେ ୨୧୦୨୩ଜଣ ଛାତ୍ର ଓ ୨୮୭୯୨ଜଣ ଛାତ୍ରୀ ଏବଂ ୩ଜଣ ତୃତୀୟ ଲିଙ୍ଗୀ ଚୟନ କରାଯାଇଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ କଟଅଫ୍ ମାର୍କ ଅଧିକ

କଟକସ୍ଥିତ ରେଭେନସା ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ନାମଲେଖାରେ ପୁଣିଥରେ ଅଧିକ କଟଅଫ୍ ମାର୍କ ସହ ନିଜର ଏକାଡେମିକ୍ ପ୍ରଭାବ ବଜାୟ ରଖିବାରେ ସକ୍ଷମ ହୋଇଛି । ରେଭେନ୍ସାରେ କଟ୍ ଅଫ ମାର୍କ ରାଜନୀତି ବିଜ୍ଞାନ(କଳା)ରେ ୯୦.୮୩%, ଫିଜିକ୍ସରେ ୯୨.୩୩%, ଜୁଲୋଜିରେ ୯୨.୩୩% ଓ କର୍ମସରେ ୮୯.୩୩% କଟଅଫ୍ ମାର୍କ ରହିଛି । ସେହିପରି ଭୁବନେଶ୍ୱରର ବିଜେବି କଲେଜରେ କମ୍ପ୍ୟୁଟର ସାଇନ୍ସରେ କଟଅଫ୍ ମାର୍କ ୮୭.୩୩%, ଉତ୍କଳ ବିଶ୍ୱବିଦ୍ୟାଳର ୟୁନିର୍ଭସିଟି ଲ’ କଲେଜରେ ୫ବର୍ଷୀୟା ଏକୀକୃତ ବିଏଲଏଲବି ପାଠ୍ୟକ୍ରମ ନିମନ୍ତେ ୮୨.୩୩ ପ୍ରତିଶତ କଟଅଫ୍ ମାର୍କ ରହିଛି ।

Advertisment

ଡିଗ୍ରୀ ସିଟ୍ ଫାଙ୍କା, ଚିନ୍ତାଜନକ ସମସ୍ୟା

ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାରର ଅଭାବ ଓ ପେଷାଦାର ଢଙ୍ଗରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନରେ ଅବହେଳା ଯୋଗୁ ଛାତ୍ରଛାତ୍ରୀମାନେ କଳା,ବିଜ୍ଞାନ,ବାଣିଜ୍ୟରେ ଡିଗ୍ରୀ ପାଠ୍ୟକ୍ରମ ପରିବର୍ତ୍ତେ ଅନ୍ୟ ପେଷାଦାର ପାଠ୍ୟକ୍ରମକୁ ଅଧିକ ଚୟନ କରିବାକୁ ଆଗ୍ରହ ଦେଖାଇଛନ୍ତି । କେବଳ ଚଳିତ ଶିକ୍ଷାବର୍ଷରେ ନୁହେଁ ପୂର୍ବରୁ ମଧ୍ୟ ଡିଗ୍ରୀ ପାଠ୍ୟକ୍ରମରେ ହଜାର ହଜାର ସିଟ୍ ଫାଙ୍କା ପଡ଼ିଥିବାର ନଜିର ରହିଛି । ରାଜ୍ୟରେ ନୂଆ ଜାତୀୟ ଶିକ୍ଷା ନୀତି ଲାଗୁ କରାଯିବା ପରେ ମଧ୍ୟ ଏହି ସିଟ୍ ଫାଙ୍କା ସମସ୍ୟା ଦୂର ନହେବା ମଧ୍ୟ ଏକ ଚିନ୍ତାଜନକ ବିଷୟ ପାଲଟିଛି । ଉଚ୍ଚଶିକ୍ଷା ବିଭାଗର ତଥ୍ୟ ଅନୁସାରେ ୨୦୨୪ ମସିହାରେ ୧.୫ଲକ୍ଷରୁ ଅଧିକ ଡିଗ୍ରୀ ସିଟ୍ ଫାଙ୍କା ପଡ଼ିଥିଲା । ସେହିପରି ୨୦୨୩ ମସିହାରେ ଉଭୟ ଡିଗ୍ରୀ ଓ ପିଜି ପାଠ୍ୟକ୍ରମରେ ମୋଟ ଅନୁମୋଦିତ ୨.୯୯ଲକ୍ଷ ସିଟ୍ ମଧ୍ୟରୁ ୯୧୪୫୭ଟି ଖାଲି ପଡ଼ିଥିଲା । ୨୦୧୭ ମସିହାରେ ମଧ୍ୟ ରାଜ୍ୟରେ ୮୩୪ଟି ଡିଗ୍ରୀ କଲେଜର ପ୍ରାୟ ୭୦ହଜାର ସଟ୍ ଖାଲି ଥିଲା ବୋଲି ଜଣାପଡ଼ିଛି ।