୨୪ ବର୍ଷ କ୍ଷମତାରେ ରହିଥିବା ବିଜେଡି ସରକାରର ଅପାରଗତା ଯୋଗୁ ଏବେ ରାଜ୍ୟର ଉଚ୍ଚଶିକ୍ଷାରେ ବିକଟାଳ ସ୍ଥିତି ଉପୁଜିଛି । ‘ନୂଆଓ’ ଭଳି କାର୍ଯ୍ୟକ୍ରମ କରି କଲେଜ ପିଲାଙ୍କୁ ନାଚଗୀତରେ ମତୁଆଲା କରିବା ସହ ହାତଖର୍ଚ୍ଚ ବାଂଟିଥିବା ବିଜେଡି ସରକାର ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶୈକ୍ଷିକ ବାତାବରଣ କିମ୍ବା ଭିତ୍ତିଭୂମି ପ୍ରସ୍ତୁତ ଦିଗରେ ସାମାନ୍ୟତମ ଆଗ୍ରହ ଦେଖାଇନାହାନ୍ତି । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁକ୍ରବାର ବିଧାନସଭାରେ ଯେଉଁ ତଥ୍ୟ ରଖିଛନ୍ତି ତାହା ଏଭଳି ଦିଗକୁ ଇଙ୍ଗିତ କରୁଛି । ରାଜ୍ୟର ସମସ୍ତ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟର ପାଠପଢ଼ା କିଭଳି ଚାଲୁଥିବା ତାହା ମନ୍ତ୍ରୀ ଦେଇଥିବା ଉତ୍ତରରୁ ହିଁ ଜଳଜଳ ପ୍ରତୀତ ହେଉଛି । ଏହିସବୁ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ମାତ୍ର ୩୪.୭୪% ଅଧ୍ୟାପକ କାର୍ଯ୍ୟ କରୁଛନ୍ତି । ଅର୍ଥାତ୍ ମଞ୍ଜୁରୀପ୍ରାପ୍ତ ପଦବୀର ପ୍ରାୟ ୬୫% ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ଉତ୍କଳ ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ରେଭେନ୍ସା, ରମାଦେବୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆଦିରେ ୬୦ ପ୍ରତିଶତରୁ ଅଧିକ ପଦବୀ ଅଧ୍ୟାପକ ପଦବୀ ଖାଲି ପଡ଼ିଛି ।
ବିଧାନସଭାରେ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୁକ୍ରବାର ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ଥିବା ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ମୋଟ ୨୦୦୩ଟି ମଞ୍ଜୁରୀପ୍ରାପ୍ତ ପଦବୀ ଅଛି । ସେଥିରୁ ୬୯୬ଟି ପଦବୀରେ ଅଧ୍ୟାପକ/ଅଧ୍ୟାପିକା କାର୍ଯ୍ୟ କରୁଛନ୍ତି । ୧୩୦୭ଟି ପଦବୀ ଖାଲି ପଡ଼ିଛି । ଓଡ଼ିଶା ବିଶ୍ୱବିଦ୍ୟାଳୟ ଚିଠା ଅଧିନିୟମ-୨୦୨୪ କ୍ୟାବିନେଟ ବୈଠକରେ ପାରିତ ହୋଇ ବିଧାନସଭାରେ ଉପସ୍ଥାପନ କରାଯାଇଛି । ଏହା ଆଇନରେ ପରିଣତ ହେଲେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସମସ୍ତ ପଦବୀ ନିୟମିତ ଭାବେ ପୂରଣ କରାଯିବା ପାଇଁ ପଦକ୍ଷେପ ନିଆଯିବ । ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଖାଲିଥିବା ଅଧ୍ୟାପକ ପଦବୀଗୁଡ଼ିକରେ ଅତିଥି ଅଧ୍ୟାପକ ଓ ଅବସରପ୍ରାପ୍ତ ଅଧ୍ୟାପକମାନଙ୍କୁ ନିଯୁକ୍ତି ଏବେ ଦିଆଯାଉଛି । ଏଥିପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକ ଦ୍ୱାରା ଏବେସୁଦ୍ଧା ୯୬୩ଟି ଗେଷ୍ଟ ଫ୍ୟାକଲିଟି ନିଯୁକ୍ତି ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଅର୍ଥାତ୍ ଏହି ଅତିଥି ଅଧ୍ୟାପକମାନଙ୍କ ସହାୟତାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଉଚ୍ଚଶିକ୍ଷା ପରିଚାଳନା ହେଉଛି ।
ମନ୍ତ୍ରୀ ଶ୍ରୀ ସୂରଜ ଦେଇଥିବା ଉତ୍ତର ଅନୁସାରେ ରାଜ୍ୟର ପ୍ରତିଷ୍ଠିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ମୋଟ ୨୩୯ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ମଧ୍ୟରୁ ଏବେ ୧୩୬ଟି ଖାଲି ପଡ଼ିଛି । ପ୍ରଫେସର ପାହ୍ୟାରେ ୪୬ରୁ ମାତ୍ର ୩୬ଟି ଖାଲି ପଡ଼ିଛି । ଆସୋସିଏଟ୍ ପ୍ରଫେସର ପାହ୍ୟାରେ ୭୫ରୁ ୪୫ଟି ପଦବୀ ଏବଂ ଆସିଷ୍ଟାଣ୍ଟ ପ୍ରଫେସରରେ ୧୧୮ଟି ପଦବୀ ମଧ୍ୟରୁ ୫୫ଟି ଖାଲି ପଡ଼ିଛି । ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୨୯ରୁ ୨୦ଟି ପ୍ରଫେସର ପଦବୀ, ୭୧ରୁ ୫୨ଟି ଆସୋସିଏଟ୍ ପ୍ରଫେସର, ୧୬୭ରୁ ୮୫ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ପଡ଼ିଛି । କଟକସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ସମସ୍ତ ମଞ୍ଜୁରୀପ୍ରାପ୍ତ ୬ଟି ପ୍ରଫେସର ଓ ୧୨ଟି ଆସୋସିଏଟ ପ୍ରଫେସର ପଦବୀ ଖାଲି ପଡ଼ିଛି । ତେବେ ଆସିଷ୍ଟାଣ୍ଟ ପ୍ରଫେସର ପାହ୍ୟାରେ ମଞ୍ଜୁରୀପ୍ରାପ୍ତ ୩୨ଟିରୁ ୧୨ଟି ଖାଲି ପଡ଼ିଛି । ଏଭଳି ଭାବେ ମୋଟ ୫୦ଟି ପଦବୀରୁ ୩୦ଟି ଖାଲିପଡ଼ିଛି । ଓଡ଼ିଆ ବିଶ୍ୱବିଦ୍ୟାଳୟରେ ସମସ୍ତ ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ଖାଲି ପଡ଼ିଛି ।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ବିଜେଡି ସରକାର ଭିତ୍ତିଭୂମିର ଯାଂଚ ନକରି ଯେଉଁ ସବୁ କଲେଜକୁ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରି ଦେଇଥିଲା ସେଗୁଡ଼ିକରେ ମଞ୍ଜୁରୀପ୍ରାପ୍ତ ସବୁ ବର୍ଗର ଅଧ୍ୟାପକ ପଦବୀ ଖାଲି ପଡ଼ିଛି । କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ଓ ଜୟପୁରରୁ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ସମସ୍ତ ମଞ୍ଜୁରୀପ୍ରାପ୍ତ ପଦବୀ ଏବେବି ଖାଲି ପଡ଼ିଛି । କଳାହାଣ୍ଡିର ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ମୋଟ ୧୧୨ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୮୪ଟି ପଦବୀରେ ଅଧ୍ୟାପକ ନଥିବା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି ।
ଅଧ୍ୟାପକ ନଥାଇ ଏସବୁ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କିଭଳି ହେଉଛି ଓ ଏଠାରେ ପାଠପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ପ୍ରତି ସରକାର କାହିଁକି ଏଭଳି ଆଖିବୁଜି ଦେଇଛନ୍ତି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।