Advertisment

ପରୀକ୍ଷା ହଲ୍‌ରେ ଅନାଇ ବସିଥିଲେ ଛାତ୍ରଛାତ୍ରୀ, ପ୍ରଶ୍ନପତ୍ର ଧରି ଘରେ ବସିଲେ ପ୍ରଧାନଶିକ୍ଷକ

ଦୀର୍ଘ ସମୟ ଅପେକ୍ଷା କରିବା ପରେ ଦୁଇଟି ପରୀକ୍ଷା ବଦଳରେ ଗୋଟିଏ ପରୀକ୍ଷା ଦେଇ ଘରକୁ ଫେରିଲେ। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ଏପରି ପ୍ରଧାନଶିକ୍ଷକଙ୍କ ତୁରନ୍ତ ବଦଳି ଦାବି କରିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Students

Students

ଦଶମ ଅର୍ଦ୍ଧ ବାର୍ଷିକ ପରୀକ୍ଷାର ପ୍ରଥମ ଦିନରେ ଦେଖାଦେଲା ସାଂଘାତିକ ତ୍ରୁଟି। ପରୀକ୍ଷା ଦେବାକୁ ହଲ୍‌ରେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ ଛାତ୍ରଛାତ୍ରୀ।   ମାତ୍ର ନା ପ୍ରଧାନଶିକ୍ଷକଙ୍କ ଦେଖା ମିଳିଲା ନା ପିଲାମାନେ ପାଇଲେ ପ୍ରଶ୍ନପତ୍ର। ପ୍ରଶ୍ନପତ୍ର ସହ ଘରେ ବସି ରହିଲେ ପ୍ରଧାନଶିକ୍ଷକ ।

Advertisment

ଫଳରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଦୁଇଟି ପରୀକ୍ଷା ବଦଳରେ ଗୋଟିଏ ପରୀକ୍ଷା ଦେଇ ଘରକୁ ଫେରିଲେ। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ଏପରି ପ୍ରଧାନଶିକ୍ଷକଙ୍କ ତୁରନ୍ତ ବଦଳି ଦାବି କରିଛନ୍ତି। ଏପରି ଏକ ଅଜବ କାଣ୍ଡ ଗତକାଲି କଟକ ଜିଲ୍ଲା ନିଆଳି ବ୍ଳକର ମହଙ୍ଗାପଡା ଶ୍ରୀ ଶ୍ରୀ ପିଙ୍ଗଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି।

ଶ୍ରୀ ଶ୍ରୀ ପିଙ୍ଗଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ମହାନ୍ତିଙ୍କ ନାମରେ ପୂର୍ବରୁ ବହୁ ଅଭିଯୋଗ ହୋଇ ଆସୁଛି। ମାସ ମାସ ଧରି ସେ ସ୍କୁଲକୁ ଆସୁ ନ ଥିବା କହିଛନ୍ତି ଅଭିଭାବକ ତଥା ଛାତ୍ରଛାତ୍ରୀ।

Advertisment

ଗତକାଲିଠୁ ଦଶମ ଶ୍ରେଣୀର ଅର୍ଦ୍ଧ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ଗତକାଲି ପିଲାମାନଙ୍କ ମାତୃଭାଷା ଓ ଇଂରାଜୀ ପରୀକ୍ଷା ଥିଲା। ସ୍କୁଲ ଖୋଲା ଥିବା ଦିନରେ ବି ପ୍ରଧାନଶିକ୍ଷକ ମହୋଦୟଙ୍କର କିନ୍ତୁ ସ୍କୁଲ ପରିସରରେ ଦେଖା ନ ଥିଲା।  

ଦୁଇ ଦିନ ପୂର୍ବରୁ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ମହାନ୍ତି ବିଦ୍ୟାଳୟରୁ ସମସ୍ତ ପ୍ରଶ୍ନପତ୍ର ନେଇ ଘରେ ରଖିବା ସହ ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ। ଗତ ମଙ୍ଗଳବାର ପ୍ରଧାନ ଶିକ୍ଷକଙ୍କୁ ଯୋଗାଯୋଗ କରାଯାଇଥିଲା  ।

ବୁଧବାର ସକାଳ ୧୦ଟାରେ ପରୀକ୍ଷା ଥିବାରୁ ସାଢ଼େ ୯ଟା ଯାଏଁ ପରିକ୍ଷାର୍ଥୀମାନେ ବିଦ୍ୟାଳୟରେ ପହଞ୍ଚିଥିଲେ l ଦିନ ସାଢେ ୧୦ଟାରେ ସମସ୍ତ ପରିକ୍ଷାର୍ଥୀ ପରୀକ୍ଷା ହଲ୍‌ର ନିଜ ନିଜ ସ୍ଥାନରେ ବସି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇ ସାରିଥିଲେ। କିନ୍ତୁ ପ୍ରଧାନଶିକ୍ଷକ ନ ଆସିବାରୁ ଜଗତସିଂହପୁରଠାରେ  ରହୁଥିବା ପ୍ରଧାନଶିକ୍ଷକଙ୍କ ଘରକୁ ଯାଇ ସିଆରସିସି ପହଞ୍ଚି ପ୍ରଶ୍ନପତ୍ର ଆଣିବା ପରେ  ପ୍ରାୟ ଦେଢଟା ବେଳେ ଆରମ୍ଭ ହୋଇଥିଲା ପ୍ରଥମ ପରୀକ୍ଷା। ଏହାପରେ ପ୍ରଧାନଶିକ୍ଷକ ସ୍କୁଲ ଆସିଥିଲେ । ପ୍ରଧାନଶିକ୍ଷକଙ୍କ ବିଳମ୍ବତା ନିମନ୍ତେ ଦୁଇଟି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ଆସିଥିବା ଛାତ୍ରଛାତ୍ରୀ ଗୋଟିଏ ପରୀକ୍ଷା ଦେଇ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। 

 ଛାତ୍ରଛାତ୍ରୀଙ୍କ କ୍ୟାରିଅର ଗଢ଼ିବାରେ ଦଶମ ଶ୍ରେଣୀର ପରୀକ୍ଷାର ଗୁରୁତ୍ୱ ଥିବା ବେଳେ ପ୍ରଧାନଶିକ୍ଷକଙ୍କ ଏପରି ଦାୟିତ୍ୱହୀନତାକୁ କେହି ସହଜେ ଗ୍ରହଣ କରି ପାରୁ ନାହାନ୍ତି।

ଗତକାଲି ଓଡ଼ିଆ ଓ ଇଂରାଜୀ ପରୀକ୍ଷା ଥିଲା। ମାତ୍ର ପ୍ରଧାନଶିକ୍ଷକଙ୍କ ପାଇଁ ଆମ ଓଡ଼ିଆ ପରୀକ୍ଷା ହୋଇ ପାରିଲାନି। ସାଢେ ୧ଟାରେ ଇଂରାଜୀ ପରୀକ୍ଷାରେ ଦେଲୁ। ପ୍ରଧାନଶିକ୍ଷକ ମାସକୁ ଥରେ କିମ୍ବା ସପ୍ତାହକୁ ଥରେ ସ୍କୁଲ ଆସନ୍ତି। ତାଙ୍କ ନାଁରେ ଯେବେ ଅଭିଯୋଗ ହେବ, ସେବେ ଆସିବେ, ଏହାପରେ ଆଉ ଆସିବେନି ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି ।

ପ୍ରଧାନଶିକ୍ଷକଙ୍କୁ ବହିଷ୍କାର କରିବାକୁ ଦାବି କରୁଛୁ। ତାଙ୍କୁ ବଦଳି କରା ନ ଗଲେ ଅଭିଭାବକମାନେ ରାସ୍ତାକୁ ଓହ୍ଲାଇବେ ବୋଲି ଅଭିଭାବକମାନେ ଦାବି କରିଛନ୍ତି। ଏନେଇ ପ୍ରଧାନଶିକ୍ଷକଙ୍କ ମତାମତ ମିଳି ପାରିନି।  

10th Exam Cuttack Students