Advertisment

ମାଟ୍ରିକ୍ ପରୀକ୍ଷା: ସିସିଟିଭି ଲାଗିଛି, ଏଆଇ ଜଗିଛି, ତଥାପି ପିଛା ଛାଡୁନି ବିବାଦ

ସୋଶାଲ୍ ମିଡିଆରେ ଘୂରିବୁଲିଲା ମାଟ୍ରକ୍‌ ପରୀକ୍ଷାର ଇଂରାଜୀ ଭାଷାର ଉଭୟ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ପ୍ରଶ୍ନପତ୍ର

Board Office

Board Office

Advertisment

ସିସିଟିଭି ଲାଗିଛି। ଏଆଇ ଜଗିଛି। ତଥାପି ସମସ୍ଥଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି କାଲି ପରୀକ୍ଷା ପୂର୍ବରୁ ସୋଶାଲ୍ ମିଡିଆରେ ଘୂରିବୁଲିଲା ମାଟ୍ରକ୍‌ ପରୀକ୍ଷାର ଇଂରାଜୀ ଭାଷାର ଉଭୟ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ପ୍ରଶ୍ନପତ୍ର। ତା' ସାଙ୍ଗକୁ ବୁଲିଲା ଉତ୍ତର। ପୁଣି ଗୋଟିଏ ନୁହେଁ, ଚାରି ଚାରିଟି ସେଟର ପ୍ରଶ୍ନପତ୍ର ଓ ଉତ୍ତର ଭାଇରାଲ ହେଲା।

Advertisment

ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ୮ଟା ୧୪ରୁ ହ୍ୱାଟସଆପ ଏବଂ ସୋଶାଲ୍ ମିଡିଆର ବିଭିନ୍ନ ପ୍ଲାଟଫ୍ରମ୍‌ରେ ଭାଇରାଲ ହୋଇଯାଇଥିଲା ପ୍ରଶ୍ନପତ୍ର। ତେବେ ସେତେବେଳେ ସତ ମିଛ ପରଖିବାର ଅବକାଶ ନଥିଲା। ଦ୍ୱନ୍ଦ୍ୱରେ ଥିଲେ ସମସ୍ତେ। ହେଲେ ସାଢ଼େ ୧୧ ଟାରେ ପରୀକ୍ଷା ସରିବା ପରେ ବୋର୍ଡ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନପତ୍ର ସହ ଭାଇରାଲ୍ ପ୍ରଶ୍ନପତ୍ର ସମ୍ପୂର୍ଣ୍ଣ ମେଳ ଖାଉଥିବା ଦେଖିବାକୁ ମିଳିବାରୁ ହଇଚଇ ଖେଳିଯାଇଥିଲା। ଉଦବେଗ ପ୍ରକାଶ କରିଥିଲେ ଅଭିଭାବକ। ହେଲେ ବୋର୍ଡ କର୍ତ୍ତୃପକ୍ଷ ଏଭଳି ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିବା ସହ ବିଭ୍ରାନ୍ତ କରିବାକୁ କେହି ଏଭଳି କରିଥିବା କହିଛନ୍ତି।

ଏଠି ପ୍ରଶ୍ନ ଉଠୁଛି ଯଦି ପ୍ରଶ୍ନପତ୍ର ଲିକ୍ ହୋଇନାହିଁ, ସକାଳ ୮ଟା ୧୪ରୁ ପ୍ରଶ୍ନପତ୍ର ସୋଶାଲ୍ ମିଡିଆକୁ ଆସିଲା କେମିତି? ବଡ଼ କଥା ହେଉଛି, ପ୍ରଶ୍ନପତ୍ର ଲିକ୍ କଥାକୁ ବୋର୍ଡ ଅସ୍ୱୀକାର କରିଥିଲେ ବି ଯାଜପୁର ଜିଲ୍ଲା ଆଉଁରି ପଞ୍ଚାୟତ ଜିସି ହାଇସ୍କୁଲରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇଥିବା ଏଆଇ ଧରିଛି। ୮ଟା ୩୦ରେ ପ୍ରଶ୍ନପତ୍ର ଖୋଲାଯିବାକୁ ଥିବା ବେଳେ ଏଠି ୮ଟା ୧୪ରେ ଖୋଲାଯାଇଥିଲା ପ୍ରଶ୍ନପତ୍ର। ସେହିପରି ଭଦ୍ରକର ମଦନମୋହନ ହାଇସ୍କୁଲରେ ମଧ୍ୟ ପ୍ରଶ୍ନପତ୍ର ନିର୍ଦ୍ଧାରିତ ସମୟ ପୂର୍ବରୁ ଖୋଲାଯାଇଥିବା ଏଆଇ ନଜରରେ ଆସିଛି।

Advertisment

ଅନ୍ୟପକ୍ଷରେ ଏଇ ଦୁଇଟି ସେଣ୍ଟରର ସୁପରିନଟେଣ୍ଡେଣ୍ଟ ଭୁଲବଶତଃ ଏଭଳି କରିଥିବା ମାନିବାରୁ ସେମାନଙ୍କୁ ଚେତାବନୀ ଦିଆଯାଇଥିବା ବୋର୍ଡ ଉପସଭାପତି କହିଛନ୍ତି। ଏଠି ପ୍ରଶ୍ନ ଅଜ୍ଞତାରୁ ନା ଲିକ୍ ଉଦ୍ଦେଶ୍ୟରେ ଜାଣିଶୁଣି ଏପରି କରାଯାଇଛି। ପ୍ରାୟ ସାଢ଼େ ୫ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜଡ଼ିତ ଏ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରତି ଏଭଳି ଦାୟିତ୍ୱହୀନତା କିଭଳି ସମ୍ଭବ?

ଏସବୁ ଘଟଣା ଲିକ୍ ଓ ଭାଇରାଲ୍ ସନ୍ଦେହକୁ ଦୃଢୀଭୂତ କରୁଥିଲା ବେଳେ ପ୍ରସଙ୍ଗକୁ ନେଇ ରାଜନୀତି ବି ତେଜିଛି। ବିଜେପି ଯୁବ ମୋର୍ଚ୍ଚା ଘଟଣାରେ ସରକାରଙ୍କ ଅପାରଗତାକୁ ଦାୟୀକରି ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା ବେଳେ କଂଗ୍ରେସ ମଧ୍ୟ ପ୍ରଶ୍ନପତ୍ର ଲିକ୍ କରୁଥିବ ରାକେଟ୍ ସହ ସରକାର ମିଶିକି ଥିବା କହି ବର୍ଷିଛି। ତେବେ ଏନେଇ ବିଜେଡି କିମ୍ବା ଗଣଶିକ୍ଷାମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଯୋଗ୍ୟ, ଇଂରାଜୀ ପରୀକ୍ଷା ସମୟରେ କେନ୍ଦୁଝର, ନବରଙ୍ଗପୁର ଓ ଗଜପତିର ଗୋଟିଏ ଲେଖାଏଁ ସ୍କୁଲରେ ହୋଇଥିବା ଏକାଧିକ ତ୍ରୁଟିକୁ ଏଆଇ ସାମ୍ନାକୁ ଆଣିବା ପରେ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ଦିଆଯାଇଛି। କେନ୍ଦୁଝର ସାହାରପଡ଼ା ହାଇସ୍କୁଲରେ କପି ହେଉଥିବାର ପ୍ରମାଣ ମିଳିବା ପରେ ସଂପୃକ୍ତ ସେଣ୍ଟର ସୁପରିନଣ୍ଟେଣ୍ଡେଣ୍ଟଙ୍କୁ ବଦଳାଯାଇଛି।

10th Exam Odisha 10th Board Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe