ପୁଣି ଥରେ ପ୍ରକାଶ ପାଇଲା NEET-UG ପରୀକ୍ଷା ଫଳ

exams.nta.ac.in ୱେବସାଇଟ ମାଧ୍ୟମରେ ଦେଖିପାରିବେ ରେଜଲ୍ଟ। 

ପ୍ରତିକାତ୍ମକ ଚିତ୍ର

  • Published: Thursday, 25 July 2024
  • , Updated: 25 July 2024, 05:47 PM IST

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA) ପୁଣି ଥରେ ପ୍ରକାଶ କଲା NEET-UG ପରୀକ୍ଷା ଫଳ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ଫଳାଫଳ ପ୍ରକାଶ ପାଇଛି। exams.nta.ac.in ୱେବସାଇଟ ମାଧ୍ୟମରେ ରେଜଲ୍ଟ ଦେଖିପାରିବେ। 

ମେଡିକାଲ ପ୍ରବେଶି ପରୀକ୍ଷାରେ ବ୍ୟାପକ ଅନିୟମିତତାକୁ ନେଇ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଶୁଣାଣି କରି ସଂଶୋଧିତ ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫିଜିକ୍ସ ପ୍ରଶ୍ନ ପାଇଁ କିଛି ନିର୍ଦ୍ଦିଷ୍ଟ ଛାତ୍ରଛାତ୍ରୀଙ୍କୁ ମିଳିଥିବା ଗ୍ରେସ୍ ମାର୍କକୁ ପ୍ରତ୍ୟାହର କରି ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ।

ପ୍ରଥମେ ପ୍ରକାଶ ପାଇଥିବା ରେଜଲ୍ଟରେ NTA ନିର୍ଦ୍ଦିଷ୍ଟ କିଛି ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ(ଗ୍ରେସ୍) ମାର୍କ ଦେଇଥିଲା। ଯେଉଁମାନେ ପୁରୁଣା NCERT ଦ୍ୱାଦଶ ବିଜ୍ଞାନ ବହି ଅନୁସାରେ ଭୁଲ୍ ଉତ୍ତର ଦେଇଥିଲେ, ସେମାନଙ୍କୁ ଏହି ମାର୍କ ମିଳିଥିଲା। 

କିନ୍ତୁ ଜଣେ ଛାତ୍ର ଏ ଉପରେ ପ୍ରଶ୍ନ ଉଠାଇଥିଲେ। ଫିଜିକ୍ସ ପରୀକ୍ଷାର "ପ୍ରଶ୍ନ ନମ୍ବର 29"ର ଦୁଇଟି ସମ୍ଭାବ୍ୟ ଉତ୍ତର ରହିଛି। ଏଥିପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ଉତ୍ତର ରହିବା ଉଚିତ୍ ବୋଲି ସେ କହିଥିଲେ। ସୁପ୍ରିମକୋର୍ଟ ଏହାକୁ ଗୁରୁତର ସହ ନେଇ ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକଙ୍କୁ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଯାଞ୍ଚ କମିଟି ବୁଧବାର ମଧ୍ୟାହ୍ନରେ ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ କହିଥିଲେ, ଫିଜିକ୍ସର ଆଟୋମିକ ଥିଓରି ପ୍ରଶ୍ନ ନଂ 29 ପାଇଁ ଗୋଟିଏ ଉତ୍ତର ଅପ୍ସନ 4 ରହିବ।  

ଏହାର ଯାଞ୍ଚ କରି ଆଜି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ସଂଶୋଧିତ ଫଳାଫଳ ଓ ଟପ୍ପର ତାଲିକା ପ୍ରକାଶ କରିଛି। ତେବେ ସଂଶୋଧିତ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ 720ରୁ ପୂର୍ଣ୍ଣ ମାର୍କ ରଖି ପାସ୍ କରିଥିଲେ, ସେମାନଙ୍କର 4 ମାର୍କ କମି ଯାଇଥିବ ନିଶ୍ଚୟ। 

Related story