Advertisment

ପ୍ରାଥମିକ ସ୍କୁଲରେ ଝୁଲୁଛି ତାଲା, ସମାଧାନ ହୋଇନି: ୨୬ରୁ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲେ ହାଇସ୍କୁଲ ଶିକ୍ଷକ

ରାଜ୍ୟ ସରକାର ଠିକା ନିଯୁକ୍ତିକୁ ଉଚ୍ଛେଦ କରିଛନ୍ତି । ତେବେ ୨୦୦୪ରୁ ୨୦୧୩ ମସିହା ମଧ୍ୟରେ ହାଇସ୍କୁଲରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ ଚାକିରି ଏପର୍ଯ୍ୟନ୍ତ ନିୟମିତ ହୋଇପାରିନି ।

author-image
Ordigital Desk
Teacher

Teacher

ନିଜର ୩ଦଫା ଦାବି ନେଇ ରାଜ୍ୟର ପ୍ରାୟ ୧.୩୦ଲକ୍ଷ ପ୍ରାଥମିକ ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀମାନେ ସମୂହ ଛୁଟିରେ ଯିବାରୁ ୫୬ହଜାର  ପ୍ରାଥମିକ ସ୍କୁଲରେ ତାଲା ଝୁଲିଥିବାବେଳେ ଆସନ୍ତା ୨୬ତାରିଖରେ ଆନ୍ଦୋଳନକୁ ଓହ୍ଲାଇବାକୁ ରାଜ୍ୟର ହାଇସ୍କୁଲ ଶିକ୍ଷକ ସଂଘ ଚେତାନୀ ଦେଇଛି ।  ଓଡ଼ିଶା ସରକାରୀ ହାଇସ୍କୁଲ ନୂଆ ପେନସନ ସ୍କିମ ଶିକ୍ଷକ ସଂଘ ବ୍ୟାନରରେ ହଜାର ହଜାର ଶିକ୍ଷକ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ଆଜି ଘୋଷଣା କରିଛନ୍ତି ।

Advertisment

ଓଡ଼ିଶା ସରକାରୀ ହାଇସ୍କୁଲ ନୂଆ ପେନସନ ସ୍କିମ୍ ଶିକ୍ଷକ ସଂଘ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛି ଯେ, ରାଜ୍ୟ ସରକାର ଯଦି ସେପ୍ଟେମ୍ବର ୨୫ତାରିଖ ସୁଦ୍ଧା ସେମାନଙ୍କର ଦାବିର ସମାଧାନ ଦିଗରେ ପଦକ୍ଷେପ ନନେବେ ତା’ହେଲେ ସେମାନେ ବାଧ୍ୟ ହୋଇ ୨୬ତାରିଖରୁ ସମୂହ ଛୁଟିରେ ଯିବେ । ସଂଘ ପକ୍ଷରୁ ଠିକା ଶିକ୍ଷକଙ୍କ ଚାକିରି ନିୟମିତକରଣ, ସର୍ଭିସ ରେକର୍ଡରେ ୬ବର୍ଷର ଠିକା ଅବଧିକୁ ସାମିଲ, ଇନକ୍ରିମେଂଟ ଓ ପେନସନ୍ ସ୍କିମ୍ ଦାବି କରାଯାଇଛି ।  ରାଜ୍ୟ ସରକାର ଠିକା ନିଯୁକ୍ତିକୁ ଉଚ୍ଛେଦ କରିଛନ୍ତି । ତେବେ ୨୦୦୪ରୁ ୨୦୧୩ ମସିହା ମଧ୍ୟରେ ହାଇସ୍କୁଲରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ ଚାକିରି ଏପର୍ଯ୍ୟନ୍ତ ନିୟମିତ ହୋଇପାରିନି । ଯେଉଁ ଶିକ୍ଷକମାନେ ଦୀର୍ଘବର୍ଷ ଧରି ଠିକାରେ କାର୍ଯ୍ୟ କରିଛନ୍ତି ସେମାନଙ୍କର ଚାକିରି ଅବଧିକୁ ମଧ୍ୟ ସର୍ଭିସ ରେକର୍ଡରେ ସାମିଲ କରାଯାଉନି । ଯଦି ରାଜ୍ୟ ସରକାର ସେପ୍ଟେମ୍ବର ୨୫ତାରିଖ ସୁଦ୍ଧା ଏସବୁ ଦାବି ଦିଗରେ ପଦକ୍ଷେପ ନନେବେ ତା’ହେଲେ ରାଜ୍ୟର ପ୍ରାୟ ୪୮୪୮ଟି ହାଇସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀମାନେ ସମୂହ ଛୁଟିରେ ଯିବାକୁ ବାଧ୍ୟ ହେବେ । ଆଉ ରାଜ୍ୟରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାହତ ପାଇଁ ସେମାନେ ଦାୟୀ ରହିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ଗତ ୮ତାରିଖରୁ ପ୍ରାଥମିକ ଶିକ୍ଷକମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ସ୍କୁଲରେ ତାଲା ଝୁଲୁଥିବାବେଳେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରି ଆନ୍ଦୋଳନରୁ ଓହରିବା ପାଇଁ ତାଗିଦ୍ କରିଛନ୍ତି । ଏହାସହିତ ଏଲିମେଂଟାରୀ ନିର୍ଦ୍ଦେଶକ ଆଜି ବିଇଓମାନଙ୍କୁ ଚିଠି ଲେଖି ସ୍କୁଲରେ ଅନୁପସ୍ଥିତ ରହୁଥିବା ପ୍ରାଥମିକ ଶିକ୍ଷକମାନଙ୍କ ସମ୍ପର୍କରେ ପ୍ରତିଦିନ ରିପୋର୍ଟ ନିର୍ଦ୍ଦେଶାଳୟକୁ ପଠାଇବାକୁ ତାଗିଦ୍ କରିଛନ୍ତି । ଗତକାଲି ଏଲିମେଂଟାରୀ ନିର୍ଦ୍ଦେଶକ ରାଜ୍ୟର ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଚିଠି ଲେଖି ଆନ୍ଦୋଳନ କରୁଥିବା ଶିକ୍ଷକମାନଙ୍କ ଉପରେ ଚାପ ପ୍ରୟୋଗ ପାଇଁ ପ୍ରୟାସ କରିଥିଲେ । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଅଲ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ସ୍ପଷ୍ଟ କରିଛି ।

Advertisment

ସୂଚନାଯୋଗ୍ୟ, ରାଜ୍ୟର ପ୍ରାଥମିକ ସ୍କୁଲ ଶିକ୍ଷକଶିକ୍ଷୟିତ୍ରୀମାନେ ଗ୍ରେଡ୍ ପେ ବୃଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ ଓ ୨୦୧୭ରୁ ପୁରୁଣା ପେନସନ ଲାଗୁ କରିବା ଦାବିରେ ସେପ୍ଟେମ୍ବର ୮ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ।

Odisha Education Odisha Teacher