Advertisment

ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ରଙ୍ଗ ଓ ଲୋଗୋ ସହ ‘ଆଇ କାର୍ଡ’, ଚଳିତ ଶିକ୍ଷାବର୍ଷରୁ ଲାଗୁ

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଏହି ନୂଆ ଆଇକାର୍ଡ, ୟୁନିଫର୍ମ, ବ୍ରାଣ୍ଡିଂ ସହ ଟୋପି, ଜେତା-ମୋଜା ଆଦି ସରକାରଙ୍କ ପକ୍ଷରୁ ଏହି ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି ।

Odisha

Odisha

Advertisment

ରାଜ୍ୟ ସରକାର ପ୍ରାଥମିକ ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଚଳିତ ଶିକ୍ଷାବର୍ଷ(୨୦୨୫-୨୬)ରୁ ନୂଆ ପରିଚୟ ପତ୍ର(ଆଇକାର୍ଡ) ଲାଗୁ କରିଛନ୍ତି । କେନ୍ଦ୍ର ସରକାରଙ୍କ ପିଏମଶ୍ରୀ ଯୋଜନାର ‘ଲୋଗୋ’ ଥିବା ନିର୍ଦ୍ଧାରିତ ଫର୍ମାଟରେ ଆଇ କାର୍ଡ ପ୍ରସ୍ତୁତ କରିବା ନିମନ୍ତେ ଜିଲ୍ଲାସ୍ତରରେ ସମଗ୍ର ଶିକ୍ଷା ପ୍ରକଳ୍ପ ସଂଯୋଜକଙ୍କ ଦ୍ୱାରା ଟେଣ୍ଡର ଆହ୍ୱାନ କରାଯାଇଛି । ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ଦ୍ୱାରା ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ପ୍ରାଥମିକ ସ୍କୁଲ ଗୁଡ଼ିକରେ ଏହି ନୂଆ ଆଇକାର୍ଡ ସହ ‘ହାଉସ୍ ୟୁନିଫର୍ମ’ ଓ ବିଦ୍ୟାବନ୍ତ ବିଦ୍ୟାର୍ଥୀ,ବିକଶିତ ଓଡ଼ିଶା’ଲେଖାଥିବା ‘ଟୋପି’ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଏହି ନୂଆ ଆଇକାର୍ଡ, ୟୁନିଫର୍ମ, ବ୍ରାଣ୍ଡିଂ ସହ ଟୋପି, ଜେତା-ମୋଜା ଆଦି ସରକାରଙ୍କ ପକ୍ଷରୁ ଏହି ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ଏହି ଆଇ କାର୍ଡ ବିନା ସ୍କୁଲ ପରିସରକୁ ପ୍ରବେଶର ଅନୁମତି ମିଳିବ ନାହିଁ ବୋଲି ମଧ୍ୟ ମାର୍ଗଦର୍ଶିକା ଜାରି ହୋଇଥିବା ସୂଚନା ମିଳିଛି । ତେବେ ଏହି ଆଇ କାର୍ଡର ରଙ୍ଗ(ଗେରୁଆ ରଙ୍ଗ କରାଯିବ)କୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିଛନ୍ତି ।

ରାଜ୍ୟ-କେନ୍ଦ୍ର ସରକାରଙ୍କ ଯୋଜନାରେ ଦିଆଯିବ ୟୁନିଫର୍ମ ଓ ଆଇକାର୍ଡ

ରାଜ୍ୟ ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ସଙ୍ଗୀତା ବେହେରା ଚଳିତମାସ ୨୬ତାରିଖରେ ସମସ୍ତ ଜିଲ୍ଲାର ଶିକ୍ଷାଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ(ସମଗ୍ର ଶିକ୍ଷା)ଙ୍କୁ ଚିଠି ଲେଖି ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଓ ଜୋତା ଆଦି ଉପକରଣ ବଂଟନ ସମ୍ପର୍କରେ ସୂଚନା ଦେଇଛନ୍ତି ।

Advertisment

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଚଳିତ ଶିକ୍ଷାବର୍ଷ(୨୦୨୫-୨୬)ରୁ ସରକାର ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମୁଣ୍ଡପିଛା ୫୦୦ଟଙ୍କାରେ ୧ହଳ ଜୋତା, ୨ହଳ ମୋଜା, ଗୋଟିଏ ଟି-ସାର୍ଟ ଓ ଟ୍ରାକ୍ ପ୍ୟାଂଟ, ଗୋଟିଏ ଟୋପି(ବ୍ରାଣ୍ଡିଂ ସହ) ଓ ଗୋଟିଏ ଆଇକାର୍ଡ ପ୍ରଦାନ କରାଯିବ । କେନ୍ଦ୍ର ସରକାରଙ୍କ ପିଏମଶ୍ରୀ ଯୋଜନା ଓ ରାଜ୍ୟ ସରକାରଙ୍କ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ ଏହି ଉପକରଣ ବଂଟନ କରାଯିବ ।

ନୂଆ ଗେରୁଆ ରଙ୍ଗର ଆଇ କାର୍ଡ

ସରକାର ଏକ ନୂଆ ଆଇ କାର୍ଡକୁ ଚଳିତ ଶିକ୍ଷାବର୍ଷରୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଜିଲ୍ଲାସ୍ତରରେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ଆଇକାର୍ଡ ବା ପରିଚୟ ପତ୍ର ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ଭାଷାରେ ରହିବ । ସେଥିରେ ରାଜ୍ୟ ସରକାର ଓ ପିଏମଶ୍ରୀ ଲୋଗୋ ରହିବା ସହ ସ୍କୁଲର ନାମ-ଠିକଣା, ଛାତ୍ରଛାତ୍ରୀଙ୍କ ନାମ-ଶ୍ରେଣୀ(ସେକ୍ସନ) ଓ ରୋଲ୍ ନମ୍ବର, ଜନ୍ମ ତାରିଖ, ବ୍ଲଡ୍ ଗ୍ରୁଫ, ପିତା ଓ ମାତାଙ୍କ ନାମ, ମୋବାଇଲ୍ ଫୋନ୍ ନମ୍ବର, ଆଧାର ନମ୍ବର ଓ ଠିକଣା ରହିବ । ଏହି ପରିଚୟ ପତ୍ରରେ ପ୍ରଧାନଶିକ୍ଷକଙ୍କ ଦସ୍ତଖତ ମଧ୍ୟ ରହିବ। ସ୍କୁଲ ପରିସରରେ ପ୍ରବେଶ ପାଇଁ ଏହି ପରିଚୟ ପତ୍ର ଜରୁରୀ ବୋଲି ଦର୍ଶାଯାଇଛି ।

କେବଳ ଛାତ୍ରଛାତ୍ରୀ ନୁହନ୍ତି ଶିକ୍ଷକମାନଙ୍କ ପାଇଁ ମଧ୍ୟ ଅନୁରୂପ ପରିଚୟ ପତ୍ର ପ୍ରସ୍ତୁତ ହୋଇଛି । ଶିକ୍ଷକଙ୍କର ପରିଚୟ ପତ୍ରଟିର ବୈଧତା ୩ବର୍ଷ ବୋଲି ଉଲ୍ଲେଖ କରାଯିବ ।

ପିଲାଙ୍କୁ ମିଳିବ ଟ୍ରାକପ୍ୟାଂଟ ଓ ଟି-ସାର୍ଟ ଓ ‘ହାଉସ୍ ୟୁନିଫର୍ମ’

ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ସରକାର ଘରୋଇ ସ୍କୁଲଗୁଡ଼ିକ ଭଳି ବିଭିନ୍ନ ‘ହାଉସ୍ ୟୁନିଫର୍ମ’କୁ ଲାଗୁ କରିଛନ୍ତି । ପୂର୍ବବର୍ଷ ଭଳି ୟୁନିଫର୍ମ ହାଉସ ରଙ୍ଗରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ମାତ୍ର ପ୍ରଥମଥର ଚଳିତ ଶିକ୍ଷାବର୍ଷରୁ ଏଥିରେ ଟୋପିକୁ ସାମିଲ କରାଯାଇଛି ।

ଏହି ନୂଆ ଯୋଜନା ଅନୁଯାୟୀ, ଗୋଟିଏ ଟୋପି ଦିଆଯିବ ଯେଉଁଥିରେ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ,ବିକଶିତ ଓଡ଼ିଶା’ ସ୍ଲୋଗାନ ସହ ଅଶୋକ ଚକ୍ରର ଲୋଗୋ ମଧ୍ୟ ରହିବ । ପ୍ରାଥମିକ ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ‘ହାଉସ ୟୁନିଫର୍ମ’ପ୍ରଦାନ କରାଯିବ । ଏହି ୟୁନିଫର୍ମରେ ଟ୍ରାକ୍ ପ୍ୟାଂଟର ପାର୍ଶ୍ୱ ଏବଂ ଆଗ ଭାଗରେ ସ୍ୱତନ୍ତ୍ର ଡିଜାଇନ ରହିବ, ଯାହା ଛାତ୍ରଛାତ୍ରୀଙ୍କୁ ଏକ ସୁନ୍ଦର ଓ ମର୍ଯ୍ୟାଦାପୂର୍ଣ୍ଣ ଚେହେରା ପ୍ରଦାନ କରିବ । ଟ୍ରାକ୍ ପ୍ୟାଂଟ ନୀଳ ରଙ୍ଗର ହେବ ଏବଂ ଟି-ସାର୍ଟ ୪ଟି ରଙ୍ଗ ଯଥା- ହଳଦୀ, ସବୁଜ, ନାଲି ଓ ନୀଳ ରଙ୍ଗରେ ଉପଲବ୍ଧ ହେବ ।

Odisha Odisha Education
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe