ଡିମ୍ଡ ଟୁ ବି ୟୁନିଭର୍ସିଟିରେ ଇଂଜିନିୟରିଂ ହେଉ କି ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମ ପାଇଁ କେତେ ଫି ନିଆଯିବ ସେ ନେଇ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଶ୍ରୀକ୍ରିଷ୍ଣା କମିଟି ରିପୋର୍ଟ ଦେଇଛନ୍ତି। ଯାହାକୁ ଅଖିଳ ଭାରତ ବୈଷୟିକ ଶିକ୍ଷା ପରିଷଦ ବା AICTE ଅନୁମୋଦନ ଦେଇଛି। ସେହିକ୍ରମରେ ଦେଶର ଇଂଜିନିୟରିଂ କଲେଜଗୁଡ଼ିକ ବିଟେକ୍ କୋର୍ସରେ ବାର୍ଷିକ ସର୍ବନିମ୍ନ 79 ହଜାର 600 ଟଙ୍କାରୁ ଆରମ୍ଭ କରି ସର୍ବୋଚ୍ଚ 1 ଲକ୍ଷ 89 ହଜାର ପର୍ଯ୍ୟନ୍ତ ନେଇପାରିବେ 2022ରେ କୁହାଯାଇଥିଲା। ମାତ୍ର ସେତେବେଳେ ଶ୍ରୀକ୍ରିଷ୍ଣା କମିଟିର ସୁପାରିଶ ସୀମାକୁ ଫୁ କରି ଉଡ଼ାଇ ଦେଇଥିଲା କିଟ୍। ନିଜ ଇଚ୍ଛାରେ ପିଲାଙ୍କଠାରୁ ସେମିଷ୍ଟର ପିଛା 1 ଲକ୍ଷ 75 ହଜାର ଟଙ୍କା ଅର୍ଥାତ୍ ବାର୍ଷିକ 3 ଲକ୍ଷ 50 ହଜାର ଟଙ୍କା ଆଦାୟ କରୁଥିଲା। ଅର୍ଥାତ୍ ବାର୍ଷିକ ଅତି କମରେ ପ୍ରାୟ 1 ଲକ୍ଷ 60 ହଜାର ଟଙ୍କା ଅଧିକ ଆଦାୟ କରୁଥିଲା କିଟ୍। ବିଭିନ୍ନ କୋର୍ସ ପାଇଁ ବାର୍ଷିକ ଫି କେତେ ଅଛି ସର୍ବସାଧାରଣରେ ଓ୍ବେବସାଇଟରେ ତଥ୍ୟ ଦେବାକୁ AICTEର ନିୟମ ରହିଥିବା ବେଳେ 2025 ଆଡ଼ମିଶନ ବେଳେ ଏବେ ଏହାକୁ ଓ୍ବେବସାଇଟରୁ ଉଡ଼ାଇ ଦେଇଛି କିଟ୍। ବାର୍ଷିକ ବା ମୋଟ ଫି କେତେ ଅଛି, କେବଳ ଜଣେ ଛାତ୍ର ଆବେଦନ କଲା ପରେ ହିଁ ଜାଣିପାରିବ। ସମସ୍ତେ ଜାଣିପାରିବେ ନାହିଁ। ଏହା AICTEର ନିୟମକୁ ଉଲ୍ଲଂଘନ କରୁଛି। ଏଥିପାଇଁ ୟୁନିଭର୍ସିଟି ଆଦାୟ କରିଥିବା ଫିର 5ଗୁଣା ଜୋରିମାନା ଆଦାୟ କରାଯିବା ପାଇଁ ନିୟମ ଥିଲେ ବି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ରାଜ୍ୟ ସରକାର ଚୁପ୍ ବସିଛନ୍ତି। ଅନ୍ୟପଟରେ ମେରିଟ୍ ଲିଷ୍ଟ ପ୍ରସ୍ତୁତି ବେଳେ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଆଇଆଇଟି ଓ ଏନଆଇଟି ପାଇବା ଭଳି ମାର୍କ ରଖିଥିବା ଛାତ୍ରଙ୍କୁ ଆଡମିଶନ କରିଦିଆଯାଉଛି। ପରେ ସେମାନେ ସେହି ସିଟ୍ ଛାଡ଼ି ଦେଲା ପରେ ତାକୁ ବ୍ଲକ୍ କରି ଚଢ଼ା ଦରରେ ବିକ୍ରି କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ବୈଷୟିକ ଶିକ୍ଷା ବିଶେଷଜ୍ଞ ଇଂ ଦିଲୀପ କୁମାର ସାହୁ।
କିଟ୍ ଡିମ୍ଡ ଟୁ ବି ୟୁନିଭର୍ସିଟିର ଏଭଳି ଅସ୍ପଷ୍ଟ ଆର୍ଥିକ କାରବାରକୁ ସମସ୍ତେ ଜାଣୁଥିଲେ ବି କେହି ହସ୍ତକ୍ଷେପ କରୁନାହାନ୍ତି। କିଟ ୱେବସାଇଟରେ ଦିଆଯାଇଥିବା 2023-24ର ଅଡିଟେଡ୍ ବାଲାନସ ସିଟକୁ ଦେଖିଲେ, 2023-2024 ଆର୍ଥିକ ବର୍ଷରେ କିଟ୍ 1808.94 କୋଟି ଟଙ୍କା ଆୟ କରିଥିବା ଦର୍ଶାଇଛି। ଏଥିରୁ ଆଡମିଶନ ବାବଦରେ 1370.54 କୋଟି ଟଙ୍କା ପାଇଥିବାବେଳେ ମେଡିକାଲ୍ ଭଳି ଅନ୍ୟାନ୍ୟ ସଂସ୍ଥାରୁ 424.33 କୋଟି ଟଙ୍କା ଆୟ କରିଥିବା ଦର୍ଶାଇଛି। ସମସ୍ତ ପ୍ରଶାସନିକ ଖର୍ଚ୍ଚ ପରେ କିଟ୍ ଗୋଟିଏ ବର୍ଷରେ 199.23 କୋଟି ଟଙ୍କା ଅର୍ଥାତ୍ ପ୍ରାୟ 200 କୋଟି ଟଙ୍କା ବଳିଥିବା ଦର୍ଶାଇଛି। ପ୍ରାୟ 25 ବର୍ଷ ତଳେ ଗଢ଼ାଯାଇଥିବା କିଟ୍ ଖାତାରେ ଏବେ 2,687 କୋଟି ଟଙ୍କାର ବଳକା ପୁଞ୍ଜି ରହିଥିବା ଦର୍ଶାଇଛି। ‘ତେବେ ଆୟକର ଆଇନରେ 2 ଲକ୍ଷ ଟଙ୍କା ଉପରକୁ ଟଙ୍କା ନଗଦ କ୍ୟାସରେ ନେଲେ ସେତିକି ଟଙ୍କାର ଜୋରିମାନା ପଡ଼ିବ ବୋଲି ନିୟମ ରହିଥିବାବେଳେ ଏହା ବାହାରେ କଳା ସାମ୍ରାଜ୍ୟକୁ ଆକଳନ କରିବା କଷ୍ଟକର’ ବୋଲି କହିଛନ୍ତି ଚାର୍ଟଡ ଆକାଉଣ୍ଟାଣ୍ଟ୍ ଚିତ୍ତରଂଜନ ବେହେରା।
କିଟରେ ଏବେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ନେପାଳୀ ଛାତ୍ରଙ୍କୁ ଅମାନୁଷିକ ଭାବେ ଆକ୍ରମଣ ଓ ବାଧ୍ୟ କରି ଟ୍ରେନରେ ପଠାଇବା ଇତ୍ୟାଦି ଘଟଣା ପଦାକୁ ଆସିବା ପରେ ଓଡ଼ିଶାର ନାମ ବିଶ୍ବସ୍ତରରେ ବି ବଦନାମ ହୋଇଛି। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କିଟ୍ ଫି ଉପରେ ତୁରନ୍ତ ଅଙ୍କୁଶ ଲଗାଇବା ସହ ଜୋରିମାନା ଆଦାୟ କରିବା ଉଚିତ ବୋଲି ମତ ପ୍ରକାଶ ପାଉଛି। ଏ ନେଇ ଆମେ କିଟ୍ ମୁଖ୍ୟ ଲୋକସଂପର୍କ ଅଧିକାରୀଙ୍କୁ ଫୋନ୍ କରିଥିଲୁ, ମାତ୍ର ପ୍ରତିକ୍ରିୟା ମିଳିନଥିଲା। ଅନ୍ୟପଟରେ ଆମେ ବୈଷୟିକ ଶିକ୍ଷା ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ବାଇଁଙ୍କ ପ୍ରତିକ୍ରିୟା ନେବାକୁ ଫୋନ୍ କରିଥିଲ ସୁଦ୍ଧା ତାହା ମିଳିପାରିନଥିଲା।
(ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ, ଓଡ଼ିଶା ରିପୋର୍ଟର)
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।