Advertisment

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ; ଘୂରି ବୁଲୁଛି ଗଣିତ ପ୍ରଶ୍ନ

ପ୍ରଶ୍ନ ପତ୍ର ଭାଇରାଲ ଅଭିଯୋଗକୁ ଖଣ୍ଡନ କରିଛି ବୋର୍ଡ।

ଅଦ୍ୟତନ ହୋଇଛି
Maths question paper

Maths question paper

Advertisment

ମୋବାଇଲରୁ ମୋବାଇଲ୍ ଘୂରି ବୁଲୁଛି ମାଟ୍ରିକ ପ୍ରଶ୍ନପତ୍ର। ବୋର୍ଡର ଶତଚେଷ୍ଟା ସତ୍ତ୍ୱେ ପ୍ରଶ୍ନପତ୍ର ଭାଇରାଲ୍ ପରି ଘଟଣାକୁ ପୂର୍ବ ବର୍ଷ ପରି ଚଳିତ ଥର ମଧ୍ୟ ରୋକାଯାଇପାରି ନାହିଁ। ଆଜି ଗଣିତ ପରୀକ୍ଷା ଥିବା ବେଳେ ଏହାର କିଛି ପ୍ରଶ୍ନପତ୍ର କେନ୍ଦୁଝର ଜିଲ୍ଲାରେ ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଛି। ଭାଇରାଲ୍ ହେଉଥିବା ପ୍ରଶ୍ନପତ୍ରରେ ସେଟ୍- C ଓ D ଲେଖାଯାଇଛି। ତେବେ ପ୍ରଶ୍ନପତ୍ର କିଏ ଭାଇରାଲ କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

Advertisment

ପିଲାମାନେ ପରୀକ୍ଷା ଦେବାକୁ ଯିବାର ଯଥେଷ୍ଟ ସମୟ ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ଖଣ୍ଡନ କରିଛି ବୋର୍ଡ। ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଉପସଭାପତି କହିଛନ୍ତି, ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ। ଆସିଥିବା ଅଭିଯୋଗ ମିଥ୍ୟା। ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ କୌଣସି ସୂଚନା ଆମ ପାଖକୁ ମିଳିନାହିଁ।

ଅନ୍ୟପକ୍ଷରେ ଭାଇରାଲ୍ ପ୍ରଶ୍ନପତ୍ରକୁ ପିଲାଏ ଚିହ୍ନିଲା ପରେ ଅଜବ ଉତ୍ତର ରଖିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ଭାଇରାଲ୍ ସମ୍ପର୍କରେ ଗଣମାଧ୍ୟମ ବୋର୍ଡ ସଭାପତିଙ୍କୁ ପ୍ରଶ୍ନ ପଚାରିଥିଲା। ହେଲେ ଏସମ୍ପର୍କରେ ସ୍ପଷ୍ଟୀକରଣ ଦେବା ପରିବର୍ତ୍ତେ ଗଣମାଧ୍ୟମକୁ ଓଲଟା ଟାର୍ଗେଟ କରିଛନ୍ତି ବୋର୍ଡ ସଭାପତି। ସେ କହିଛନ୍ତି, ସବୁ କେନ୍ଦ୍ରରେ ସୁରୁଖୁରୁରେ ପରୀକ୍ଷା ସରିଛି। ଖବରକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରସାରଣ କରିଛି ଓଟିଭି। ଏପରିକି ଯେଉଁ ପିଲା ଭାଇରାଲ୍ ପ୍ରଶ୍ନପତ୍ର ଚିହ୍ନିଛନ୍ତି ସେମାନେ ବି ଓଟିଭିର ବୋଲି କହିବାକୁ ପଛାଇ ନାହାନ୍ତି ବୋର୍ଡ ସଭାପତି। ଖାଲି ଓଟିଭି ନୁହେଁ, ଗଣମାଧ୍ୟମକୁ ଦୋଷ ଲଦିଛନ୍ତି।  

Advertisment

ଗଣିତ ପ୍ରଶ୍ନପତ୍ରର ଦୁଇଟି ସେଟ୍‌ ଲିକ୍‌ ଅଭିଯୋଗ ନେଇ ପରୀକ୍ଷା ହଲ୍‌ରୁ ବାହାରିବା ପରେ ଚିନ୍ତା ପ୍ରକଟ କରିଛନ୍ତି ପରୀକ୍ଷାର୍ଥୀ। ଜଣେ ପରୀକ୍ଷାର୍ଥୀ କହିଛନ୍ତି,  ଗଣିତ C ଓ D ସେଟ୍‌ର ଭାଇରାଲ ପ୍ରଶ୍ନ ଆଜିର ପ୍ରଶ୍ନ ସହ ମିଶୁଛି। ଯେଉଁ ଜିଲ୍ଲାରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି, କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆମକୁ ଆଉ ଥରେ ପରୀକ୍ଷା ଦେବାକୁ ଚାପ ନ ପକାଯାଉ। ଦୋଷୀକୁ ଚିହ୍ନଟ କରାଯାଇ ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ଏହା ପୂର୍ବରୁ ବି ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହେବା ନେଇ ଖବର ଆସିଥିଲା। ହେଲେ ଏହାକୁ ଖଣ୍ଡନ କରିଥିଲେ ବୋର୍ଡ କତ୍ତୃପକ୍ଷ। ଏବେ ପୁଣି ଥରେ ଭାଇରାଲ୍ ଅଭିଯୋଗ ଅନେକ ପ୍ରଶ୍ନ ଛିଡ଼ା କରିଛି।

ସୂଚନାଯୋଗ୍ୟ,  ଆଜି ମାଟ୍ରିକ ପରୀକ୍ଷାର୍ଥୀମାନେ ଗଣିତ ବିଷୟରେ ପରୀକ୍ଷା ଦେଇଥିଲେ। ପରୀକ୍ଷା ହେବାର ଦେଢ଼ ଘଣ୍ଟା ଆଗରୁ ହଲରେ ପ୍ରବେଶ କରିଥିଲେ ଛାତ୍ରଛାତ୍ରୀ। ଏଥର ପ୍ରାୟ ୫ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି।

ଓଟିଭି କୌଣସି ଖବରକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରସାରଣ କରେ ନାହିଁ

ଓଟିଭି ପକ୍ଷରୁ କୁହାଯାଇଛି, ଆମେ କହି ରଖୁଛି ଯେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଓଟିଭି ବିରୋଧରେ ଆଣିଥିବା ଅଭିଯୋଗ ସଂପୂର୍ଣ୍ଣ ଅମୂଳକ ଓ ବିଭ୍ରାନ୍ତିକର। ଓଟିଭି କୌଣସି ଖବରକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରସାରଣ କରେ ନାହିଁ। ଯାହା ଘଟଣା ଘଟେ ତାକୁ ନିରପେକ୍ଷ ଭାବେ ରିପୋର୍ଟିଂ କରିବା ସହିତ ଖବର ସହ ଜଡ଼ିତ ବିଭିନ୍ନ ପକ୍ଷଙ୍କର ପ୍ରତିକ୍ରିୟାକୁ ଦର୍ଶକଙ୍କ ସାମ୍ନାରେ ଉପସ୍ଥାପନ କରିବା ସାମ୍ବାଦିକତାର କର୍ତ୍ତବ୍ୟ। ଯାହା ଓଟିଭିର ଚାର୍ଟର ଅନୁଯାୟୀ ଆମେ ବର୍ଷ ବର୍ଷ ଧରି କରିଆସିଛୁ। ନା ଓଟିଭିର କୌଣସି ରିପୋର୍ଟର ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ଖବରକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରସାରିତ କରିଛନ୍ତି, ନା ସିଧାପ୍ରସାରଣରେ ଥିବା ପରୀକ୍ଷାର୍ଥୀମାନଙ୍କୁ ଶିଖାଇ କିଛି କହିବାକୁ ବାଧ୍ୟ କରାଯାଇଛି। ଏଭଳି ସ୍ଥଳେ ବୋର୍ଡ ସଭାପତିଙ୍କ ପ୍ରତିକ୍ରିୟା ଦୁର୍ଭାଗ୍ୟଜନକ।

ବୋର୍ଡ ସଭାପତିଙ୍କ ଉପରେ ହେବ କି ଆକ୍ସନ ?

  • ପ୍ରଶ୍ନପତ୍ର ଲିକ୍‌ ନେଇ ପରୀକ୍ଷାର୍ଥୀ, ଅଭିଭାବକ କ’ଣ ମିଛ କହୁଛନ୍ତି ?
  • ପରୀକ୍ଷା ଆରମ୍ଭ ପୂର୍ବରୁ ଯୋଗାଯୋଗ ହୋଇଥିଲା, କାହିଁକି ଚୁପ୍‌ ରହିଲା ବୋର୍ଡ?
  • ମିଡିଆ ବି ବାରମ୍ବାର ବୋର୍ଡକୁ ଯୋଗାଯୋଗ କରିଥିଲା, କିନ୍ତୁ କିଛି ଉତ୍ତର ଦେଲେନି।
  • ପ୍ରଶ୍ନପତ୍ର ଲିକ୍‌ ଖବର ସକାଳୁ ଆସିଥିଲା, କାହିଁକି କାର୍ଯ୍ୟାନୁଷ୍ଠାନ ନେଲେନି ?
  • ପରୀକ୍ଷା ପରିଚାଳନାକୁ ନସୁଧାରି ଗଣମାଧ୍ୟମକୁ ଦୋଷ କେତେ ଠିକ୍‌ ?
  • ସେତେବେଳେ ଚୁପ୍‌ ରହି ଏବେ ବିଭ୍ରାନ୍ତିକର ମନ୍ତବ୍ୟ ଦେବା, କେତେ ଠିକ୍‌ ?
  • ଦାୟିତ୍ୱ ତୁଲାଇବାରେ ବିଫଳ ବୋର୍ଡ ସଭାପତିଙ୍କ ଉପରେ ହେବ କି ଆକ୍ସନ ?
MatricExam Question
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe